ଆକ୍ରମଣକାରୀଙ୍କ ଘରୁ ବ୍ଲାଷ୍ଟିଂ ମେସିନ୍, ଟ୍ରାକ୍ଟର ଓ ଜିପ୍ ଜବତ
ଆର୍ଆଇଙ୍କୁ ଆକ୍ରମଣ ଘଟଣା
ନୀଳଗିରି (ଆପ୍ର): ବାଲେଶ୍ୱର ଜିଲ୍ଲା ନୀଳଗିରି ବ୍ଲକ୍ର ସଜନାଗଡ଼ ଆରଆଇ କେ ସନ୍ତୋଷ କୁମାରଙ୍କୁ ଚୋରା ପଥର ବେପାରୀମାନେ ଆକ୍ରମଣ କରିବା ଘଟଣାରେ ପ୍ରଶାସନ ରକ୍ତମୁଖା ହୋଇଛି । ପୁଲିସ ଘଟଣାକୁ ଗୁରୁତର ସହିତ ନେଇ ଅଭିଯୁକ୍ତଙ୍କୁ ଖୋଜୁଛି । ସମ୍ବାଦ ଲେଖା ହେଲାବେଳକୁ କୌଣସି ଅଭିଯୁକ୍ତଙ୍କୁ ଗିରଫ କରାଯାଇ ନ ଥିବା ଜଣାପଡ଼ିଛି । ଅନ୍ୟପକ୍ଷରେ ଉପଜିଲ୍ଲାପାଳ ଦୀପ୍ତିରଞ୍ଜନ ସେଠୀଙ୍କ ନେତୃତ୍ୱରେ ତହସିଲଦାର ଓ ଆଇଆଇସି ମିଳିତଭାବେ ସଦଳବଳେ ବିଭିନ୍ନ ସ୍ଥାନରେ ଚଢ଼ଉ କରି ଅଭିଯୁକ୍ତ କୁହାଯାଉଥିବା ପୋଡ଼ାସୁଳ ଗ୍ରାମର ବିଶ୍ୱନାଥ ଦାସଙ୍କ ଘରୁ ଜିପ, ଟ୍ରାକ୍ଟର, ବ୍ଲାଷ୍ଟିଂ ମେସିନ ଇତ୍ୟାଦି ଜବତ କରି ଥାନାକୁ ଆଣିଛନ୍ତି । ଗତ ସୋମବାର ତହସିଲଦାର ଅଶେଷ କୁମାର ନାୟକଙ୍କ ନିଦେ୍ର୍ଦଶରେ ସଜନାଗଡ଼ ଆରଆଇ ସନ୍ତୋଷ କୁମାର ସ୍ୱର୍ଣ୍ଣଚୁଡ଼ ସଂରକ୍ଷିତ ଜଙ୍ଗଲର ବାଘମରା ପଥର ଖାଦାନ ଅଂଚଳକୁ ତଦନ୍ତ ପାଇଁ ଯାଇଥିବା ବେଳେ ଆକ୍ରମଣର ଶିକାର ହୋଇଥିଲେ । ଏ ସମ୍ପର୍କରେ ଥାନାରେ ଅଭିଯୋଗ ହେବାପରେ ପ୍ରଶାସନ ପକ୍ଷରୁ କାର୍ଯ୍ୟାନୁଷ୍ଠାନ ଆରମ୍ଭ ହୋଇଛି ।