ଯୁବକଙ୍କୁ ବାନ୍ଧି ନିସ୍ତୁକ ଛେଚିଲେ

ବେତନଟୀ (ଆପ୍ର): ବେତନଟୀ ଥାନା ଅଞ୍ଚଳ ଏବେ ଅପରାଧୀଙ୍କ ଗନ୍ତାଘର ପାଲଟିଛି । ଥାନା ଓ ପୁଲିସର ନିୟନ୍ତ୍ରଣରେ ରହୁ ନାହିଁ ଅପରାଧ । କିଛି ଦିନ ପୂବରୁ ଏଠାରୁ ସାଇବର କ୍ରାଇମ ଘଟଣାର ପର୍ଦ୍ଦାଫାଶ ହୋଇ ଥିବା ବେଳେ ଜଣେ ଯୁବକର କଳା କାରନାମା ଏବେ ସମସ୍ତଙ୍କୁ ହତଚକିତ କରିଛି । ଏହି ଯୁବକ ଜଣକ ହେଲେ ପ୍ରଶାନ୍ତ ଦାଶ ଓରଫ ଅଜୁ ।
ଯୁବକ ଜଣକ କିଛି ଲୋକଙ୍କୁ ବହଲାଇ ଫୁସୁଲାଇ ସେମାନଙ୍କୁ ଚାକିରି କରାଇ ଦେବ କହି ସେମାନଙ୍କ ପାଖରୁ ଲକ୍ଷ ଲକ୍ଷ ଟଙ୍କା ଲୁଟି ନେଇ ଥିବାର ଜଣାପଡ଼ିଛି । ଅନ୍ୟ କେତେକଙ୍କ ପାଖରୁ ଊଜ୍ଜ୍ୱଳା ଗ୍ୟାସ କରାଇ ଦେବ ବୋଲି ମଧ୍ୟ ଟଙ୍କା ନେଇ ଥିବାର ଅଭିଯୋଗ ହୋଇଛି । ତେବେ ଲୋକମାନେ ଚାକିରି ଓ ଗ୍ୟାସ ଉଭୟରୁ ନିରାଶ ହେବା ପରେ ଆଜି ଅଜୁକୁ ଧରି ଥିଲେ । ଟଙ୍କା ମାଗିବା ପରେ ଅଜୁ ପୀଡ଼ିତ ଜନସାଧାରଣଙ୍କ ସହିତ ବଚସା କରିଥିଲେ । ଏଥିରେ ଉତ୍କ୍ଷିପ୍ତ ହୋଇ ଲୋକମାନେ ତାଙ୍କୁ ରେଳଧାରଣାରେ ବାନ୍ଧି ନିସ୍ତୁକ ମାଡ଼ ମାରିଥିବା ଜଣାପଡ଼ିଛି । ଏହି ମାଡ ମାରିବା ବେଳେ ପ୍ରାଥମିକ ଆକଳନ ହିସାବରେ ଏହି ବ୍ୟକ୍ତି ଜଣକ ୯ ଲକ୍ଷରୁ ଅଧିକ ଟଙ୍କା ଠକେଇ କରି ଥିବାର କୁହାଯାଉଛି । ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲା । ଲୋକଙ୍କ କବଳରୁ ଅଜୁଙ୍କୁ ଉଦ୍ଧାର କରି ଅଟକ ରଖିଛି ପୁଲିସ୍ । ଖବର ଲେଖା ଯିବା ପର୍ଯ୍ୟନ୍ତ ଅଜୁ ବିରୁଦ୍ଧରେ ଶ୍ରୀକାନ୍ତ ଗିରି ଉଜ୍ଝ୍ୱଳା ଯୋଜନାରେ ଗ୍ୟାସ କରାଇ ଦେବ ବୋଲି କହି ଠକେଇ କରିଥିବାର ଥାନାରେ ଅଭିଯୋଗ କରିଛନ୍ତି । ସେହିପରି ଚାକିରି କରାଇ ଦେବାକୁ ଶୁଭପ୍ରଶନ୍ନ ଜେନାଙ୍କ ଠାରୁ ୨ ଲକ୍ଷ ଟଙ୍କା ନେଇଥିବା ଶୁଭପ୍ରଶନ୍ନ ଅଜୁଙ୍କ ବିରୁଦ୍ଧରେ ଥାନାରେ ଅଭିଯୋଗ କରିଛନ୍ତି ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *