ମାଡାମ୍ ପ୍ରେସିଡେଣ୍ଟ୍
ପଞ୍ଚଦଶ ରାଷ୍ଟ୍ରପତି ରୂପେ ଶପଥ ନେଲେ ଦ୍ରୌପଦୀ ମୁର୍ମୁ
ନୂଆଦିଲ୍ଲୀ, ୨୫ା୭: ଓଡ଼ିଶାର ଦ୍ରୌପଦୀ ମୁର୍ମୁ ସୋମବାର ଦେଶର ପଞ୍ଚଦଶ ରାଷ୍ଟ୍ରପତି ରୂପେ ଶପଥ ଗ୍ରହଣ କରିଛନ୍ତି । ସଂସଦ ଭବନର ସେଣ୍ଟ୍ରାଲ୍ ହଲ୍ରେ ଆୟୋଜିତ ଭବ୍ୟ ସମାରୋହରେ ସୁପ୍ରିମ୍ କୋର୍ଟର ପ୍ରଧାନ ବିଚାରପତି ଏନ୍ଭି ରମଣା ତାଙ୍କୁ ହିନ୍ଦୀ ଭାଷାରେ ଶପଥ ପାଠ କରାଇଛନ୍ତି ।
ଶପଥ ଗ୍ରହଣ ପରେ ନୂଆ ରାଷ୍ଟ୍ରପତିଙ୍କୁ ୨୧ ତୋପ ସଲାମି ଏବଂ ଗାର୍ଡ ଅଫ୍ ଅର୍ନର ଦିଆଯାଇଥିଲା । ଶପଥ ସମାରୋହରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ପୂର୍ବତନ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଓ ପ୍ରତିଭା ଦେବୀସିଂ ପାଟିଲ, ଉପରାଷ୍ଟ୍ରପତି ଭେଙ୍କେୟା ନାଇଡୁ, ଲୋକସଭା ବାଚସ୍ପତି ଓମ୍ ବିରଳା, କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ, ସମସ୍ତ କେନ୍ଦ୍ରମନ୍ତ୍ରୀ, ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସମେତ କେତେକ ରାଜ୍ୟର ମୁଖ୍ୟମନ୍ତ୍ରୀ ସମେତ ଅନେକ ଗଣ୍ୟମାନ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ ।
ସବୁଜ ଓ ଲାଲ୍ ବର୍ଡର ଥିବା ଧଳା ହାତବୁଣା ସାନ୍ତାଳୀ ଶାଢି ଓ ଚପଲ ପିନ୍ଧି ଶପଥ ସମାରୋହ ସ୍ଥଳକୁ ଆସିଥିଲେ ଦେଶର ପ୍ରଥମ ଆଦିବାସୀ ମହିଳା ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ଏହା ରାଷ୍ଟ୍ରପିତା ମହାତ୍ମା ଗାନ୍ଧୀଙ୍କ ସ୍ୱପ୍ନର ଅନୁରୂପ । ନୂଆ ରାଷ୍ଟ୍ରପତିଙ୍କ ଶପଥ ସମାରୋହର ଅନେକ ଫଟୋଚିତ୍ର ଦ୍ରୁତ ବେଗରେ ଭାଇରାଲ୍ ହେବାରେ ଲାଗିଛି । ଲୋକେ ରାଷ୍ଟ୍ରପତିଙ୍କ ସରଳତା ଓ ହସ ହସ ମୁହଁର ପ୍ରଶଂସା କରୁଛନ୍ତି ।
ଶପଥ ସମାରୋହରେ ସାମିଲ୍ ହେବା ପାଇଁ ଦ୍ରୌପଦୀ ମୁର୍ମୁ (୬୪) ସେଣ୍ଟ୍ରାଲ୍ ହଲ୍ରେ ପ୍ରବେଶ କରିବା ମାତ୍ରେ ଉପସ୍ଥିତ ସମସ୍ତ ବ୍ୟକ୍ତି ଛିଡ଼ା ହୋଇ ଅଭିବାଦନ ଜଣାଇଥିଲେ । ଶପଥ ସମାରୋହକୁ ଆସିବା ପୂର୍ବରୁ ସେ ମହାତ୍ମା ଗାନ୍ଧୀଙ୍କ ସମାଧୀ ସ୍ଥଳକୁ ଯାଇ ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ । ଶପଥ ଗ୍ରହଣ ପରେ ସେ ପ୍ରଧାନମନ୍ତ୍ରୀଙ୍କ ଅଭିବାଦନ ଗ୍ରହଣ କରିଥିଲେ । ୨୧ ତୋପ ସଲାମି ଦିଆଯିବା ସମୟରେ ତିନି ସେନାଧ୍ୟକ୍ଷ ଉପସ୍ଥିତ ଥିଲେ । ପରିଶେଷରେ ନୂଆ ରାଷ୍ଟ୍ରପତି ୨୫୦ରୁ ଅଧିକ ଘୋଡସବାର ତଥା ଅଙ୍ଗରକ୍ଷୀମାନଙ୍କ ଗହଣରେ ରାଷ୍ଟ୍ରପତି ଭବନ ଅଭିମୁଖେ ଲିମୋଜିନ କାର୍ ଯୋଗେ ଯାତ୍ରା କରିଥିଲେ । ଇତିମଧ୍ୟରେ ପୂର୍ବତନ ରାଷ୍ଟ୍ରପତି ରାମନାଥ କୋବିନ୍ଦ ରାଷ୍ଟ୍ରପତି ଭବନରୁ ବିଦାୟ ନେଇ ଜନପଥ ରୋଡ୍ସ୍ଥିତ ନୂତନ ବାସଭବନକୁ ଯାଇଛନ୍ତି ।
ଶପଥ ଗ୍ରହଣ କରିବା ପରେ ଶ୍ରୀମତୀ ମୁର୍ମୁ ୧୮ ମିନିଟ୍ ପାଇଁ ପ୍ରଥମ ଭାଷଣ ଦେଶବାସୀଙ୍କ ଉଦେ୍ଦଶ୍ୟରେ ଦେଇଥିଲେ । ଏଥିରେ ସେ ଗରୀବ, ମହିଳା, ଯୁବଗୋଷ୍ଠୀ ଏବଂ ମହିଳାଙ୍କ ସମ୍ପର୍କରେ ନିଜ ସଂକ୍ଷିପ୍ତ ଅଭିବ୍ୟକ୍ତି ରଖିଥିଲେ । ସ୍ୱାଧୀନ ଭାରତର ଅଗ୍ରଗତି ତଥା ବିକାଶ ଯାତ୍ରା ଉପରେ ଆଲୋକପାତ କରିବା ସହ ସେ କହିଥିଲେ, ମୋ ପାଇଁ ଦେଶର ଯୁବଗୋଷ୍ଠୀ ଏବଂ ମହିଳାଙ୍କ ବିକାଶ ସର୍ବୋପରି ହେବ ।
ମହାମହିମ ମୁର୍ମୁ କହିଲେ, ଦେଶର ପ୍ରତ୍ୟେକ ଗରିବ ସ୍ୱପ୍ନ ଦେଖିପାରିବେ ଏବଂ ସେସବୁକୁ ପୂରଣ ମଧ୍ୟ କରିପାରିବେ । ରାଷ୍ଟ୍ରପତି ଭାବେ ସେ ନିର୍ବାଚିତ ହେବା ଏସବୁର ଏକ ବଳିଷ୍ଠ ପ୍ରମାଣ । ତାଙ୍କ ଭଳି ଜଣେ ଆଦିବାସୀ ମହିଳା ଆଜି ଦେଶର ରାଷ୍ଟ୍ରପତି ହୋଇପାରିଛନ୍ତି । ପ୍ରଥମେ ୱାର୍ଡ କାଉନସିଲରରୁ ସେ ଆରମ୍ଭ କରିଥିବା ଯାତ୍ରା ଆଜି ରାଷ୍ଟ୍ରପତି ଭଳି ଏକ ଗୌରବମୟ ଦାୟିତ୍ୱରେ ଆସି ଉପନୀତ ହୋଇଛି । ଏହା ଲୋକତନ୍ତ୍ରର ଜନନୀ ଭାରତବର୍ଷର ବିଶାଳତା । ଏକ ଗରିବ ଆଦିବାସୀ ପରିବାରରେ ଜନ୍ମ ଗ୍ରହଣ କରିଥିବା ଝିଅ, ଦେଶର ସର୍ବୋଚ୍ଚ ସାମ୍ବିଧାନିକ ପଦ ପର୍ଯ୍ୟନ୍ତ ପହଞ୍ଚôପାରିଛି ।
ଏହା କେବଳ ମହାନ୍ ଭାରତୀୟ ସମ୍ବିଧାନରେ ଥିବା ସାମ୍ବିଧାନିକ ଶକ୍ତି ଦ୍ୱାରା ହିଁ ସମ୍ଭବ । ଏପର୍ଯ୍ୟନ୍ତ ପହଞ୍ଚôବା କେବଳ ତାଙ୍କର ଏକାକୀ ଉପଲବ୍ଧି ନୁହେଁ ବରଂ ଦେଶର ପ୍ରତ୍ୟେକ ଗରିବଙ୍କ ଉପଲବ୍ଧି । ଏହା ତାଙ୍କ ପାଇଁ ଅତ୍ୟନ୍ତ ସନ୍ତୋଷଜନକ । ଯେଉଁମାନେ ଶହ ଶହ ବର୍ଷ ଧରି ବଞ୍ଚିତ ଓ ଯେଉଁମାନେ ବିକାଶର ସୁଫଳ ପାଇନାହାନ୍ତି, ସେହି ଗରିବ, ଦଳିତ, ଅନଗ୍ରସର ଓ ଆଦିବାସୀମାନେ ଆଜି ତାଙ୍କ ମଧ୍ୟରେ ସେମାନଙ୍କ ପ୍ରତିଛବି ଦେଖିପାରୁଥିବେ ବୋଲି ସେ ବିଶ୍ୱାସ କରୁଥିବା ମୁର୍ମୁ କହିଛନ୍ତି । ନିଜ ଜନଜାତି ସମ୍ପ୍ରଦାୟ ସମ୍ପର୍କରେ କହିବାକୁ ଯାଇ ମୁର୍ମୁ କହିଥିଲେ ଯେ, ଦେଶର ସ୍ୱାଧୀନତା ସଂଗ୍ରାମରେ ଆଦିବାସୀଙ୍କ ଯୋଗଦାନ ଇଂରେଜ ବିରୋଧୀ ଲଢ଼େଇକୁ ବେଶ୍ ସଶକ୍ତ କରିଥିଲା । ସାନ୍ତାଳ ବିପ୍ଳବ ଠାରୁ ଅ ।ରମ୍ଭ କରି, ପାଇକ ବିପ୍ଳବ, କୋଲ ବିପ୍ଳବ ଓ ଭିଲ୍ ବିପ୍ଳବ ଭଳି ପ୍ରତ୍ୟେକ ବିପ୍ଳବ, ସ୍ୱାଧୀନତା ସଂଗ୍ରାମରେ ଆଦିବାସୀଙ୍କ ଭୂମିକା ଓ ପରାକ୍ରମର ପରିଚୟ ପ୍ରଦାନ କରିଥାଏ । ସେହି ମହାନ୍ ଜନଜାତିର ଝିଅ ଭାବେ ମୁର୍ମୁ ନିଜକୁ ଗର୍ବିତ ମନେ କରୁଥିବା କହିଛନ୍ତି । ମୁର୍ମୁଙ୍କ କହିବାନୁସାରେ ସାମାଜିକ ଉତ୍ଥାନ, ଏବଂ ଦେଶ ପ୍ରେମ ପାଇଁ ଧରଣୀ ପୁତ୍ର ଭଗବାନ୍ ବିର୍ସା ମୁଣ୍ଡା ଦେଇଥିବା ବଳିଦାନରୁ ତାଙ୍କୁ ପ୍ରେରଣା ମିଳୁଛି । ପ୍ରତ୍ୟେକଙ୍କୁ ଦେଶର ପ୍ରତ୍ୟେକ ବୀର ପୁତ୍ରଙ୍କ ଠାରୁ ପ୍ରେରଣା ନେବା ଉଚିତ୍ । ସେହିପରି ନିଜ ଜୀବନରେ ସେ ସାମ୍ନା କରିଥିବା ଅନେକ ଘାତ ପ୍ରତିଘାତ ସମ୍ପର୍କରେ ମଧ୍ୟ ମୁର୍ମୁ କହିଥିଲେ । ସ୍ୱାମୀଙ୍କୁ ହରାଇବା ତାଙ୍କ ଜୀବନରେ ସୁନାମୀ ଭଳି ପରିସ୍ଥିତି ଆଣିଥିବା ସତ୍ତ୍ୱେ ସେ ଭାଙ୍ଗିନପଡ଼ି ଦୃଢ଼ତାର ସହ ଆଗକୁ ବଢ଼ିଥିଲେ ବୋଲି କହିଛନ୍ତି ଶ୍ରୀମତୀ ମୁର୍ମୁ ।
ମୁର୍ମୁ କହିଲେ, ଭାରତୀୟ ଭାବେ ଆମେ କେବଳ ଏହି ବୈଶ୍ୱିକ ଆହ୍ୱାନର ସାମ୍ନା କରିନାହୁଁ ବରଂ ଆମ ଉଦ୍ୟମ ଦ୍ୱାରା ଆମେ ବିଶ୍ୱରେ ଏକ ମାନକ ପ୍ରତିଷ୍ଠା କରିବାରେ ମଧ୍ୟ ସଫଳ ହୋଇଛୁ । ଏଇମାତ୍ର କିଛି ଦିନ ଆଗରୁ ଭାରତ ୨ଠଠ କୋଟି କରୋନା ଟୀକା ପ୍ରଦାନ କରି ଏକ ରେକର୍ଡ ସ୍ଥାପନ କରିଛି । ଏଭଳି କଠିନ ପରିସ୍ଥିତିରେ ଭାରତ କେବଳ ନିଜର ଯତ୍ନ ନେଇନାହିଁ ବରଂ ବିଶ୍ୱକୁ ସାହାଯ୍ୟ କରିଛି । କରୋନା ବୈଶ୍ୱିକ ମହାମାରୀ ଯୋଗୁଁ ଯେଉଁଭଳି ବାତାବରଣ ସୃଷ୍ଟି ହେଲା, ସେଥିରେ ସମଗ୍ର ବିଶ୍ୱ ଭାରତକୁ ନୂତନ ଆତ୍ମବିଶ୍ୱାସର ସହ ଦେଖିବାକୁ ବାଧ୍ୟ ହୋଇଛି । ଯେଉଁ ଧୈର୍ଯ୍ୟ, ସାହସ ଓ ସହଯୋଗ ଭାରତବାସୀ ଏହି ସମୂହ ସଂଗ୍ରାମରେ ପ୍ରଦର୍ଶନ କରିଛନ୍ତି, ତାହା ଆମର କ୍ରମବର୍ଦ୍ଧିଷ୍ଣୁ ଶକ୍ତି ଓ ସମ୍ବେଦନଶୀଳ ସମାଜର ପ୍ରତୀକ କହିଲେ ଅତୁ୍ୟକ୍ତି ହେବନାହିଁ । କରୋନା ମହାମାରୀ ଭଳି ବୈଶ୍ୱିକ ସ୍ଥିତିର ମୁକାବିଲା ଦିଗରେ ଭାରତ ଯେଉଁ ସାମର୍ଥ୍ୟ ପ୍ରଦର୍ଶନ କରିଛି ତାହା ଭାରତର ସୁଖ୍ୟାତିକୁ ବିଶ୍ୱ ଦରବାରରେ ପ୍ରତିଷ୍ଠା କରିପାରିଛି ।
ଶ୍ରୀମତୀ ମୁର୍ମୁଙ୍କ ମତରେ ବୈଶ୍ୱିକ ଆର୍ଥିକ ସ୍ଥିରତା, ଯୋଗାଣ ବ୍ୟବସ୍ଥା ସୁପରିଚାଳନା ଓ ଶାନ୍ତି ନିମନ୍ତେ ଆଜି ଆନ୍ତର୍ଜାତିକ ସମୁଦାୟର ଭାରତ ଉପରେ ଉଚ୍ଚ ଆଶା ରହିଛି । ଭାରତ ନିଜର ଅଧ୍ୟକ୍ଷତାରେ ଅ ।ଗାମୀ ମାସରେ ଜି-୨୦ ଗ୍ରୁପ୍ ଶିଖର ସମ୍ମିଳନୀ ଆୟୋଜନ କରିବାକୁ ଯାଉଛି । ଭାରତ ଅଧ୍ୟକ୍ଷତାରେ ବିଶ୍ୱର ୨ଠଟି ଦେଶ ବୈଶ୍ୱିକ ସମସ୍ୟା ନେଇ ବିସ୍ତୃତ ଆଲୋଚନା କରିବେ । ଭାରତରେ ଏହି ଆଲୋଚନା ଯୋଗୁଁ ଯେଉଁ ଉପସଂହାରରେ ସେମାନେ ଉପନୀତ ହେବେ ତାହା ଆଗାମୀ ଦଶନ୍ଧି ନିମନ୍ତେ ବିଭିନ୍ନ ସମସ୍ୟାର ଦିଗ ନିର୍ଦ୍ଧାରଣ କରିବ ।
ନୂଆ ରାଷ୍ଟ୍ରପତି ଯୁବଗୋଷ୍ଠୀ ବିଶେଷ କରି ଦେଶର ପ୍ରତ୍ୟେକ ଝିଅ, ମହିଳା ଆତ୍ମବିଶ୍ୱାସର ସହ ଆଗକୁ ବଢ଼ିବା ଏବଂ ଦେଶକୁ ନେତୃତ୍ୱ ନେବାର ପରାକାଷ୍ଠା ପ୍ରଦର୍ଶନ କରିବାକୁ ଆହ୍ୱାନ ଦେଇଥିଲେ । ରାଷ୍ଟ୍ରପତି ଭାବେ ନିର୍ବାଚିତ ହେବା କ୍ଷେତ୍ରରେ ନିଜକୁ ସ୍ୱାଧୀନ ଭାରତରେ ଜନ୍ମିତ ପ୍ରଥମ ବ୍ୟକ୍ତିତ୍ୱ ଭାବେ ବିବେଚନା କରିଛନ୍ତି ମୁର୍ମୁ । ମୁର୍ମୁଙ୍କ କହିବାନୁସାରେ ବିବିଧତାରେ ପରିପୂର୍ଣ୍ଣ ଆମ ଦେଶରେ ଆମେ ଅନେକ ଭାଷା, ଧର୍ମ, ସମ୍ପ୍ରଦାୟ, ଖାଦ୍ୟ ଓ ଜୀବନଶୈଳୀ ଏବଂ ପ୍ରଥା ଇତ୍ୟାଦିକୁ ଗ୍ରହଣ କରି ଏକ ଭାରତ, ଶ୍ରେଷ୍ଠ ଭାରତ ନିର୍ମାଣରେ ଲାଗି ପଡିଛୁ । ଏହି ଅବସରରେ ମୁର୍ମୁ ଦେଶର ପ୍ରଥମ ରାଷ୍ଟ୍ରପତି ଡ. ରାଜେନ୍ଦ୍ର ପ୍ରସାଦଙ୍କ ଠାରୁ ଆରମ୍ଭ କରି ବିଦାୟୀ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ କାର୍ଯ୍ୟକାଳ ପର୍ଯ୍ୟନ୍ତ ସ୍ମୃତି ଚାରଣ କରିଥିଲେ । ସେହିପରି ନେତାଜୀ ସୁଭାଷ ଚନ୍ଦ୍ର ବୋଷ, ଜବାହର ଲାଲ ନେହରୁ, ସର୍ଦ୍ଦାର ବଲ୍ଲଭଭାଇ ପଟେଲ, ବାବା ସାହେବ ଆମ୍ବେଦକର, ଭଗତ୍ ସିଂ, ସୁଖଦେବ, ରାଜଗୁରୁ ଓ ଚନ୍ଦ୍ରଶେଖର ଆଜାଦଙ୍କ ଭଳି ଦେଶର ସ୍ୱତନ୍ତ୍ର ସେନାନୀ, ଏବଂ ଜନନାୟକଙ୍କ ସମ୍ପର୍କରେ ମଧ୍ୟ ମୁୂର୍ମୁ କହିଥିଲେ । ଏତଦ୍ବ୍ୟତୀତ ଝାନ୍ସୀ ଲକ୍ଷ୍ମୀବାଇଙ୍କ ଭଳି ସ୍ୱାଧୀନତା ସଂଗ୍ରାମରେ ସାମିଲ ହୋଇଥିବା ନାରୀଶକ୍ତିଙ୍କ ସମ୍ପର୍କରେ ମଧ୍ୟ ସେ ନିଜ ଅଭିବ୍ୟକ୍ତି ରଖିଥିଲେ ।
ମୁର୍ମୁ ଏହି ଅବସରରେ ଶ୍ରୀଜଗନ୍ନାଥ କ୍ଷେତ୍ର ଓଡ଼ିଶାର ପ୍ରସିଦ୍ଧ କବି ଭୀମଭୋଇଙ୍କ ପ୍ରସିଦ୍ଧ କବିତା ପଂକ୍ତି ‘ମୋ ଜୀବନ ପଛେ ନର୍କେ ପଡିଥାଉ, ଜଗତ ଉଦ୍ଧାର ହେଉ’ ଉଦ୍ଧାର କରିଥିଲେ ଏବଂ ଏହାର ସାରମର୍ମ ସମାରୋହରେ ସାମିଲ ସମସ୍ତ ମାନ୍ୟଗଣ୍ୟ ବ୍ୟକ୍ତିଙ୍କୁ ସରଳ ଶବ୍ଦରେ ବୁଝାଇଥିଲେ । ମୁର୍ମୁ କହିଥିଲେ, ନିଜ ସ୍ୱାର୍ଥଠାରୁ ଜଗତ କଲ୍ୟାଣ କାହିଁ କେତେ ଗୁଣରେ ମହାନ୍ । ବିଶ୍ୱ କଲ୍ୟାଣର ଏହି ଉତ୍ସାହ ସହ ସେ ପ୍ରତ୍ୟେକ ଦେଶବାସୀଙ୍କୁ ଆସ୍ଥା ଭାଜନ ହୋଇ ସମ୍ପୂର୍ଣ୍ଣ ଉତ୍ସାହୀ ଓ କର୍ତ୍ତବ୍ୟ ପରାୟଣ ହୋଇ କାର୍ଯ୍ୟ କରିବେ ବୋଲି କହିଥିଲେ ।
ଶେଷରେ ଏପରି ଏକ ବିଶାଳ ସଂସ୍କୃତି, ପରମ୍ପରାର ପ୍ରତିନିଧିତ୍ୱ କରିବା ପାଇଁ ତାଙ୍କୁ ଦାୟିତ୍ୱ ଦେଇଥିବାରୁ ଶ୍ରୀମତୀ ମୁର୍ମୁ, ସମଗ୍ର ଦେଶବାସୀଙ୍କୁ କୃତଜ୍ଞତା ଜଣାଇଥିଲେ । ସର୍ବୋଚ୍ଚ କର୍ମନିଷ୍ଠା ସହ ସେ ନିଜର ଦାୟୀତ୍ୱ ନିର୍ବାହ କରିବେ ବୋଲି କହିଥିଲେ । ତାଙ୍କ ପାଇଁ ଭାରତର ଗଣତାନ୍ତ୍ରିକ, ସାଂସ୍କୃତିକ ଆଦର୍ଶ ଓ ସମସ୍ତ ନାଗରିକ ଶକ୍ତିର ଉତ୍ସ ହୋଇ ରହିବେ ବୋଲି ସେ କହିବା ସହ ସମସ୍ତେ ଏକାଠି ହୋଇ ଉତ୍ସର୍ଗୀକୃତ ମନୋଭାବ ସହ କର୍ତ୍ତବ୍ୟ ପଥରେ ଆଗେଇ ଏକ ଗୌରବମୟ ଓ ଅ ।ତ୍ମର୍ନିଭର ଭାରତ ଗଠନ କରିବା ଦିଗରେ ବ୍ରତୀ ହେବାକୁ ଆହ୍ୱାନ ଜଣାଇଥିଲେ । ମୁର୍ମୁ କହିଥିଲେ ଯେ, ସ୍ୱାଧୀନତାର ୭୫ ବର୍ଷ ଉପଲକ୍ଷେ ଉପନୀତ ଏକ ଅମୃତକାଳ ଭାରତର ନୂତନ ସଂକଳ୍ପ ପାଇଁ ଉଦ୍ଦିଷ୍ଟ । ନୂତନ ଭାବନା ସହ ଭାରତ ବର୍ଷ ଆଜି ନୂଆ ଯୁଗକୁ ସ୍ୱାଗତ କରିବା ପାଇଁ ଉତ୍ସାହିତ । ସେହିପରି ୭୫ବର୍ଷର ସଂସଦୀୟ ଗଣତନ୍ତ୍ର ଭାବେ ଭାରତ ବିକାଶର ସଂକଳ୍ପକୁ ଭାଗିଦାରୀତା ଓ ସହମତି ଭିତ୍ତିରେ ଆଗେଇ ନେଇଛି । ଭାରତ ବିଶ୍ୱକୁ ପରିବେଶ ସୁରକ୍ଷା ଉପରେ ମାର୍ଗଦର୍ଶନ ଦେଉଥିବା ଏବଂ ଭାରତ ପ୍ରତ୍ୟେକ କ୍ଷେତ୍ରରେ ବିକାଶର ନୂତନ ଅଧ୍ୟାୟ ଯୋଡୁଥିବା ଦେଖି ସେ ବେଶ୍ ଆତ୍ମସନ୍ତୋଷ ଲାଭ କରିଥିବା ମୁର୍ମୁ କହିଥିଲେ । ଏଥିସହ ସେ ଉପସ୍ଥିତ ସଦସ୍ୟଙ୍କୁ ଧନ୍ୟବାଦ, ଜୟହିନ୍ଦ୍ କହି ନିଜ ବକ୍ତବ୍ୟ ଶେଷ କରିଥିଲେ ।