ପୁଅର ଲାପ୍ଟପ୍ ପାଇଁ ମା’ର ଜୀବନ ଗଲା

କୁତ୍ତାଖାଇ ଗଳି ହତ୍ୟାକାଣ୍ଡ
କଟକ (ବୁ୍ୟରୋ): ଓଡ଼ିଆ ବଜାର ଅଞ୍ଚଳର କୁତ୍ତାଖାଇ ଗଳିରେ ଘରେପଶି ବି. ଗୁଣବତୀଙ୍କୁ ଗଳାକାଟି ହତ୍ୟା କରିବା ଘଟଣାର ପର୍ଦ୍ଦାଫାସ କରିଛି ଲାଲବାଗ ଥାନା ପୁଲିସ । ଗିରଫ ଅଭିଯୁକ୍ତ ଦ୍ୱୟହେଲେ ୱାଇ ସୁଦୀପ (୨୫) ଏବଂ ୱାଇ ସୁନୀଲ(୨୫) । ଏନେଇ ଆଜି ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇ ଡିସିପି ପିନାକ ମିଶ୍ର କହିଛନ୍ତି, କୁତ୍ତାଖାଇ ଗଳିର ମର୍ଡ଼ର ମିଷ୍ଟ୍ରିକୁ ନେଇ ଲାଗିଥିବା ସସ୍ପେନ୍ସର ଆଜି ପର୍ଦ୍ଦାଫାସ ହୋଇଛି । ଏହି ଘଟଣାରେ ଏକ ସ୍ୱତନ୍ତ୍ର ଟିମ୍କୁ ତଦନ୍ତ ଭାର ଦିଆଯାଇଥିଲା । କୌଣସି କ୍ଲୁ ନ ଥାଇ ମଧ୍ୟ ଆମେ ସଫଳ ହୋଇଛୁ । ଏପରିକି ଏହି ହତ୍ୟାକାଣ୍ଡର ମୂଳ କାରଣ ହେଉଛି ମୃତକଙ୍କ ପୁଅର ଲାପ୍ଟପ । ଯେଉଁଥିରେ ଜଣେ ଯୁବତୀଙ୍କ ଅଶ୍ଲୀଳ ଭିଡିଓ ଓ ଫଟୋ ରହିଥିଲା । ଯାହାକୁ ହାସଲ କରିବାକୁ ଯାଇ ଅଭିଯୁକ୍ତ ସୁନୀଲ ଓ ସୁଦୀପ ଦୁହେଁ ବି. ଗୁଣବତୀଙ୍କୁ ପନିକିରେ ହାଣି ହତ୍ୟା କରିଥିଲେ ବୋଲି ଡିସିପି କହିଛନ୍ତି ।
ସୂଚନାଯୋଗ୍ୟ, ମୃତକ ଗୁଣବତୀଙ୍କ ପୁଅ ବି ରବି କୁମାରଙ୍କ ଲାପ୍ଟପରେ ସେହି ଗଳିର ଜଣେ ଯୁବତୀଙ୍କ ଆପତ୍ତିଜନକ ଫଟୋ ଓ ଭିଡିଓ ରଖିଥିଲେ । ଏନେଇ ଯୁବତୀଙ୍କ ପରିବାର ଜାଣିବା ପରେ ଲାପ୍ଟପକୁ ହାତେଇବାକୁ ଯୋଜନା କରିଥିଲେ । ସମ୍ପୃକ୍ତ ଯୁବତୀଙ୍କ ବାପା ଭି. ପ୍ରସାଦ ଲାପ୍ଟପକୁ ଆଣିବାକୁ ୱାଇ ସୁନୀଲ ଓ ୱାଇ ସୁଦୀପ ନାମକ ଦୁଇଜଣ ଯୁବକଙ୍କୁ ଦାୟିତ୍ୱ ଦେଇଥିଲେ । ଦୁହେଁ ଲାପ୍ଟପ ଆଣିବାକୁ ଯାଇଥିବାବେଳେ ମୃତକ ବି.ଗୁଣବତୀ ଉଭୟଙ୍କୁ ବାଧା ଦେଇଥିଲେ । ତେଣୁ ପନିକିରେ ତାଙ୍କ ବେକକୁ କାଟି ହତ୍ୟା କରିଥିଲେ ଦୁଇ ଅଭିଯୁକ୍ତ । ଦୁଇ ଅଭିଯୁକ୍ତ ସୁଦୀପ ଓ ସୁନୀଲ ଭି. ପ୍ରସାଦଙ୍କ ନିକଟରୁ ୯୦ ହଜାର ଟଙ୍କା କରଜ କରିଥିଲେ । ଯାହା ସୁଧମୂଳ ସହିତ ଅଢ଼େଇ ଲକ୍ଷ ଟଙ୍କା ହୋଇଯାଇଥିଲା । ଲାପ୍ଟପ ଆଣିଦେଲେ ଏହି ଟଙ୍କା ଛାଡ଼ କରିଦେବେ ବୋଲି ପ୍ରସାଦ ତାଙ୍କୁ ପ୍ରତିଶ୍ରୁତି ଦେଇଥିଲେ । ଏହାସହିତ ତାଙ୍କର ଅନ୍ୟ ୧୨ ଲକ୍ଷ ଟଙ୍କା ଋଣ ସୁଝିବେ ବୋଲି କହିଥିଲେ । ତେଣୁ ତାଙ୍କ ପ୍ରତିଶ୍ରୁତିରେ ରାଜି ହୋଇ ଦୁଇ ଅଭିଯୁକ୍ତ ଏଭଳି ଜଘନ୍ୟ କାଣ୍ଡ ଭିଆଇ ଥିଲେ ବୋଲି ଡିସିପି କହିଛନ୍ତି । ତେବେ ହତ୍ୟାର ବ୍ୟବହୃତ ପନିକ ଓ ନେଇଯାଇଥିବା ଲାପ୍ଟପକୁ ମହାନଦୀରେ ଫିଙ୍ଗି ଦେଇଥିବା ନେଇ ଅଭିଯୁକ୍ତଦ୍ୱୟ ସ୍ୱୀକାର କରିଛନ୍ତି । ଲାପ୍ଟପଟିକୁ ମହାନଦୀରୁ କାଢ଼ିବା ପାଇଁ, ଅଗ୍ନିଶମ ଯବାନ ଓ ସ୍କୁବା ଡାଇଭରଙ୍କ ସହାୟତା ନେଇ ସନ୍ଧାନ କାର୍ଯ୍ୟ ଆରମ୍ଭ କରିଛି ପୁଲିସ ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *