ମୁଁ ବହୁତ ଖୁସି, ଓଡ଼ିଶା ପାଇଁ ଗୌରବର ବିଷୟ
ଶପଥ ସମାରୋହରେ ମୁଖ୍ୟମନ୍ତ୍ରୀ ସ୍ୱତନ୍ତ୍ର ଅତିଥି
ଭୁବନେଶ୍ୱର, ୨୫ା୭ (ବୁ୍ୟରୋ): ଭାରତର ଗଣତାନ୍ତ୍ରିକ ଇତିହାସରେ ନୂଆ ଅଧ୍ୟାୟ ଯୋଡ଼ି ହୋଇଛି । ରାଷ୍ଟ୍ରପତି ଭାବେ ଓଡ଼ିଆ ଝିଅ ଦ୍ରୌପଦୀ ମୁର୍ମୁ ଶପଥ ନେଇଛନ୍ତି । ଦେଶର ପଞ୍ଚଦଶ ରାଷ୍ଟୟପତି ଭାବେ ଶ୍ରୀମତି ମୁର୍ମୁ ସୋମବାର ଶପଥ ନେଇଛନ୍ତି । ରାଷ୍ଟ୍ରପତିଙ୍କ ଶପଥ ଗ୍ରହଣ ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରତିକ୍ରିୟା ରଖିଛନ୍ତି । ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ କହିଛନ୍ତି, ସମସ୍ତ ଓଡିଶା ଏବଂ ପୂରା ଦେଶ ପାଇଁ ଏହା ଗର୍ବର ବିଷୟ । ମୋତେ ରାକ୍ଷୀ ବାନ୍ଧି ଥିବାରୁ ଭାଇ ବୋଲି ସମ୍ବର୍ଦ୍ଧନ କରନ୍ତି । ତାଙ୍କ ଶପଥ ସମାରୋହରେ ଭାଗ ନେଇ ମୁଁ ବହୁତ ଖୁସି ଅଛି ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ପ୍ରକାଶ କରିଛନ୍ତି ।
ସୂଚନାଥାଉ କି, ନବନିର୍ବାଚିତ ରାଷ୍ଟ୍ରପତି ଶ୍ରୀମତି ମୁର୍ମୁଙ୍କ ଶପଥ ଗ୍ରହଣ ଉତ୍ସବରେ ଭାଗ ନେବା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ନିମନ୍ତ୍ରଣ ଆସିବା ପରେ ଶ୍ରୀ ପଟ୍ଟନାୟକ ଗତ ୨୩ ତାରିଖରୁ ୪ ଦିନିଆ ଗସ୍ତରେ ଦିଲ୍ଲୀ ଯାଇଛନ୍ତି । ରବିବାର ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ସମସ୍ତ ଓଡ଼ିଆ ସାଂସଦଙ୍କ ସହ ନବନିର୍ବାଚିତ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ଭେଟିବା ସହ ଶୁଭେଚ୍ଛା ଜ୍ଞାପନ କରିଥିବାବେଳେ ସୋମବାର ଶ୍ରୀମତି ମୁର୍ମୁଙ୍କ ଶପଥ ଗ୍ରହଣ ଉତ୍ସବରେ ଯୋଗ ଦେଇଛନ୍ତି । ଆସନ୍ତାକାଲି ମୁଖ୍ୟମନ୍ତ୍ରୀ ପୁଣି ଓଡିଶା ଫେରିବେ । ତେବେ ରାଷ୍ଟ୍ରପତି ନିର୍ବାଚନରେ ବିଜେଡି ମାଟିର ଝିଅ ଦ୍ରୌପଦୀଙ୍କୁ ପୂର୍ଣ୍ଣ ସମର୍ଥନ କରିବା ସହ ଅନ୍ୟ ଦଳମାନଙ୍କୁ ସମର୍ଥନ କରିବା ପାଇଁ ଅପିଲ କରିଥିଲେ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ।