ବିରୋଧୀଙ୍କ ନାରାରେ ଗୃହ କମ୍ପିଲା
ସରକାରୀ ସମ୍ପତ୍ତିକୁ ଘରୋଇ କମ୍ପାନୀର ବ୍ୟାଜ୍ୟାପ୍ତି ପ୍ରସଙ୍ଗ
ଭୁବନେଶ୍ୱର (ବୁ୍ୟରୋ): ବିଧାନସଭାର ବଜେଟ୍ ଅଧିବେସନ ସ୍ୱାଭାବିକ କମ୍ ଓ ଅସ୍ୱାଭାବିକ ଅଧିକ ରହୁଛି । ଗୃହ ୫ ମିନିଟ୍ ସ୍ୱାଭାବିକ ଚାଲିଲେ ଘଣ୍ଟାଏ ମୂଲତବୀ ରହୁଛି । ଶୂନ୍ୟକାଳ ହେଉ କି ପ୍ରଶ୍ନକାଳ କେଉଁଠି ବି ଆଲୋଚନା ହୋଇପାରୁନି । ଗତ ସପ୍ତାହ ପରି ସୋମବାର ମଧ୍ୟ ଗୃହରେ ଏପରି କିଛି ଦୃଶ୍ୟ ଦେଖିବାକୁ ମିଳିଛି । ସୋମବାର ବିରୋଧୀଙ୍କ ପକ୍ଷରୁ ଦିଆଯାଇଥିବା ମୂଲତବୀ ପ୍ରସ୍ତାବ ‘ସରକାର ଗଣିବେ ୧୦୦ କାଟିର ତଣ୍ଡ, କି ବିଚିତ୍ର କଥା କାନ ଶୁଣିଲା, ସରକାରୀ ସମ୍ପତିକୁ ଘରୋଇ କମ୍ପାନୀ ଜବତ କଲା’ ଆଗତ ହୋଇ ନପାରିଥିବାରୁ ଗୃହରେ ଅଚଳାବସ୍ଥା ନଜରକୁ ଆସିଛି । ସୋମବାର ଗୃହର ପ୍ରଶ୍ନକାଳରେ ସ୍ୱରାଷ୍ଟ୍ର, ଅର୍ଥ, ନିର୍ମାଣ, ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ, ସଂସଦୀୟ ବ୍ୟାପାର, ଇସ୍ପାତ ଓ ଖଣି, ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗର ବହୁ ଗୁରୁତ୍ୱ ପ୍ରସଙ୍ଗରେ ଆଲୋଚନା ହେବାର ଥିଲା । କିନ୍ତୁ ବିରୋଧଙ୍କ ପକ୍ଷରୁ ପ୍ରସ୍ତାବିତ ମୂଲତବୀ ପ୍ରସ୍ତାବକୁ ଗୃହରେ ଆଗତ କରାନଯିବାରୁ ହୋ-ହାଲ୍ଲା ହୋଇଥିଲା । ଫଳରେ ପ୍ରଥମେ ୧୧ଟା ୩୦ ଓ ପରେ ଅପରାହ୍ନ ୪ ଟା ଯାଏ ଗୃହକୁ ବାଚସ୍ପତି ବିକ୍ରମ କେଶରୀ ଆରୁଖ ମୂଲତବୀ କରିଥିବା ନଜରକୁ ଆସିଛି ।
ସୂଚନା ଅନୁଯାୟୀ, ପ୍ରଶ୍ନକାଳରେ ହଟ୍ଟଗୋଳ ପରେ ଶୁନ୍ୟକାଳରେ ମୁଲତବୀ ନୋଟିସ ଗ୍ରହଣ ନ ହେବାକୁ ନେଇ ବିରୋଧୀ ଓ ଶାସକ ଦଳର ସଦସ୍ୟମାନେ ମୁହାଁମୁହିଁ ହୋଇଛନ୍ତି । ସରକାରୀ ସମ୍ପତ୍ତିକୁ ଏଲଆଣ୍ଡଟି କମ୍ପାନି ବ୍ୟାଜ୍ୟାପ୍ତି କରିବା ସହ ବକେୟା ଥିବା ୨୦ କୋଟି ଟଙ୍କା ୧୨୦ କୋଟିରେ ପହଞ୍ଚôବା ପ୍ରସଙ୍ଗରେ ଉଭୟ ବିରୋଧୀ ବିଜେପି ଓ କଂଗ୍ରେସ ସରକାରଙ୍କୁ ଘେରିଛନ୍ତି । ଯାହାଫଳରେ ଗୃହରେ ସୋମବାର ପ୍ରଶ୍ନକାଳ ଓ ଶୂନ୍ୟକାଳରେ ଆଲୋଚନା ହୋଇପାରିନାହିଁ । ପ୍ରଶ୍ନକାଳରେ ବିରୋଧଈଙ୍କ ହଟ୍ଟଗୋଳ ଓ ହୋ-ହଲ୍ଲା ପରେ ଶୂନ୍ୟକାଳ ଆରମ୍ଭରୁ ଏନେଇ ବାଚସ୍ପତି ଶ୍ରୀ ଆରୁଖ ରୁଲିଂ ଶୁଣାଇଥିଲେ । ସୁପ୍ରିମକୋର୍ଟରେ ଏ ପ୍ରସଙ୍ଗରେ ରିଭୁ୍ୟ ପିଟିସନ ଦାଖଲ ହୋଇଛି । ରୁଲ ୬୦ (ଭିଆଇଆଇ) ଅନୁସାରେ ଗୃହରେ ଉପରୋକ୍ତ ପ୍ରସଙ୍ଗରେ ଆଲୋଚନା ପରିସରଭୁକ୍ତ କରାଯିବ ନାହିଁ । ସେଥିପାଇଁ ଏହି ବିଷୟକୁ ଆଲୋଚନା ପାଇଁ ଅଣା ଯାଉନାହିଁ ବୋଲି ଶ୍ରୀ ଆରୁଖ କହିଥିଲେ । କିନ୍ତୁ ବିରୋଧୀ ସଦସ୍ୟ ତାଙ୍କ ଜିଦ୍ରେ ଅଟଳ ଥିବାରୁ ଗୃହକୁ ଅପରାହ୍ନ ୪ଟା ଯାଏ ବାଚସ୍ପତି ମୂଲତବୀ କରିଥିବା ନଜରକୁ ଆସିଛି ।
ତେବେ ବାଚସ୍ପତିଙ୍କ ଦ୍ୱାରା ଦିଆଯାଇଥିବା ରୁଲିଂକୁ ବିରୋଧୀ ଦଳ ସଦସ୍ୟ ବିରୋଧ କରିଛନ୍ତି । ଯଦି ରାଜ୍ୟ ପୂର୍ତ୍ତ ବିଭାଗ ପକ୍ଷରୁ ସୁପ୍ରିମ୍କୋର୍ଟରେ ରିଭୁ୍ୟ ପିଟିସନ୍ ଦାୟର ହୋଇଛି, ତାହେଲେ ସମ୍ପୃକ୍ତ ଘରୋଇ କମ୍ପାନୀ କିପରି ସରକାରୀ କାର୍ଯ୍ୟାଳୟରେ ପଶି ତାର ସାମଗ୍ରୀ ଜବତ କଲା ସେନେଇ ବିରୋଧୀ ପ୍ରଶ୍ନ କରିଛନ୍ତି । ସେହିପରି ଯଦି ମାମଲାରେ ପୂର୍ଣ୍ଣ ବିଚାର ହୋଇନି ତାସତ୍ତ୍ୱେ ସମ୍ପୃକ୍ତ କମ୍ପାନୀ ସରକାରୀ ଆସବାବପତ୍ର ଜବତ କରି ନିଜ ଅକ୍ତିଆରକୁ ନେଇଛି, ତାକୁ ସରକାର କଳାତାଲିକା ପରିସରଭୁକ୍ତ କରିବା ସହ ଉକ୍ତ କମ୍ପାନୀ ଦ୍ୱାରା ସମଗ୍ର ରାଜ୍ୟରେ ଚାଲିଥିବା ବିଭିନ୍ନ କାର୍ଯ୍ୟକୁ ଅବିଳମ୍ବେ ବନ୍ଦ କରିବାକୁ ରାଜ୍ୟ ସରକାର ପଦକ୍ଷେପ ନେବେ କି ବୋଲି ବିରୋଧୀ ପ୍ରଶ୍ନ କରିଛନ୍ତି । ଯଦି ରାଜ୍ୟ ସରକାର ଉକ୍ତ କମ୍ପାନୀକୁ ୨୦ କୋଟି ବଦଳରେ ୧୨୦ କୋଟି ଟଙ୍କାର ଅର୍ଥ ପୈଠ କରିବେ ତେବେ ସେ ଅର୍ଥ ଆସିବ କୋଉଠୁ ବୋଲି ବିରୋଧୀ ପ୍ରଶ୍ନ କରିଛନ୍ତି । ଏ ପ୍ରସଙ୍ଗରେ ଶାସକ ଦଳ ବିଧାୟକୂ ଅମର ପ୍ରସାଦ ଶତପଥୀ ପ୍ରତିକ୍ରିୟା ରଖି କହିଛନ୍ତି, ସୁପ୍ରିମ୍କୋର୍ଟରେ ପର୍ଯ୍ୟାୟକ୍ରମେ ମାମଲା ବିଚାର ହୁଏ । ବିଭାଗ ପକ୍ଷରୁ ଗତ ମାର୍ଚ୍ଚ ୧୦ ତାରିଖରେ ପତ୍ର ସଂଖ୍ୟା ୭୭୪୯ରେ ହୋଇଥିବା ଆବେଦନକୁ ସୁପ୍ରିମ୍କୋର୍ଟ ଗ୍ରହଣ କରିବା ସହ ମାମଲା ବିଚାରଧୀନ ରହିଛି । ତେଣୁ ଏ ପ୍ରସଙ୍ଗ ଉପରେ ଆଲୋଚନା ହୋଇପାରିବ ନାହିଁ ବୋଲି ସେ କହିଛନ୍ତି । ସେହିପରି ବାଚସ୍ପତି ଶ୍ରୀ ଆରୁ ମଧ୍ୟ ଏନେଇ ପ୍ରତିକ୍ରୟା ରଖି କହିଛନ୍ତି, ଏହି ଆଲୋଚନା କରିବା ପାଇଁ ଅନ୍ୟ ଫୋରମ ରହିଛି । ବର୍ତ୍ତମାନ ଏହି ପ୍ରସଙ୍ଗ ଆଲୋଚନା ହେଲେ କେସ ଉପରେ ପ୍ରଭାବ ପଡ଼ିବ ବୋଲି କହିଛନ୍ତି ।
ଅନ୍ୟପଟେ ବିଜେପି ବାଚସ୍ପତିଙ୍କ କଥାକୁ ଗ୍ରହଣ କରିନାହିଁ । ସବଯୁଡିସ ନାହିଁ, ହାଇକୋର୍ଟରେ ଗ୍ରହଣ ହୋଇ ନାହିଁ । ତେଣୁ ଏହାକୁ ଗ୍ରହଣ କରି ଆଲୋଚନା କରନ୍ତୁ ବୋଲି ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ମାଝୀ କହିଛନ୍ତି । ସେହିପରି କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହୀନିପତି କହିଛନ୍ତି, ୨୦୦୪ରୁ ୨୦୨୨ ପର୍ଯ୍ୟନ୍ତ ସରକାର ଏହି ଘଟଣାକୁ ଗୁରୁତର ସହ ନେଲେନି । ସରକାରଙ୍କ ସମ୍ପତ୍ତି କେମିତି ଘରୋଇ କମ୍ପାନି ସିଜ କରିଛି ସେନେଇ ସରକାର ଉତ୍ତର ରଖନ୍ତୁ ବୋଲି ଶ୍ରୀ ବାହିନୀପତି କହିଛନ୍ତି । ତେବେ ସୋମବାର ଗୃହ ଆରମ୍ଭରୁ ଉଭୟ ବିରୋଧୀ ବିଜେପି ଓ କଂଗ୍ରେସ ଗୃହରେ ଉପରୋକ୍ତ ମୂଲତବୀ ପ୍ରସ୍ତାବ ଉପରେ ଆଲୋଚନା ହେବାକୁ ଦାବି କରିଥିଲେ । କିନ୍ତୁ ମୂଲତବୀ ପ୍ରସ୍ତାବ ଆଗତ ନ ହେବାରୁ ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ମାଝୀ, ବିଧାୟକ ସୁରେଶ ରାଉତରାୟ, ସନ୍ତୋସ ସିଂ ସାଲୁଜା, ମୁକେଶ ମହାଲିଙ୍ଗ, ମହମ୍ମଦ ମୋକିମ୍, ଜୟନାରାୟଣ ମିଶ୍ର, କୁସୁମ୍ ଟେଟେଙ୍କ ସମେତ ପ୍ରାୟ ୨୦ ବିଧାୟକ ପୋଡିଅମ୍ ନିକଟକୁ ଆସି ନାରାବାଜୀ କରିଥିଲେ । ଯାହାଦ୍ୱାରା ଗୃହରେ କୌଣସି ଆଲେଚନା ହୋଇପାରି ନଥିବାବେଳେ ଅପରାହ୍ନରେ ସର୍ବସମ୍ମତିକ୍ରମେ ସଙ୍କଳ୍ପ ପ୍ରସ୍ତାବ ଓ ରାଜ୍ୟ ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ଖର୍ଚ୍ଚ ପାରିତ ହୋଇଛି ।