ଯୋଗ୍ୟଙ୍କୁ କାଟି ଅଯୋଗ୍ୟଙ୍କ ନାଁରେ ରାସନ କାର୍ଡ
ବିଡିଓଙ୍କୁ ଅଭିଯୋଗ ପରେ ବି କାର୍ଯ୍ୟାନୁଷ୍ଠାନ ଶୂନ
ମାହାଙ୍ଗା (ଆପ୍ର): ମାହାଙ୍ଗା ବ୍ଲକ୍ରେ ଯୋଗଣା ବିଭାଗ ଏବେ ଦିଗହରା ହୋଇପଡ଼ିଛି । ଦୀର୍ଘ ୨ବର୍ଷଧରି ନୂତନ ରାସନକାର୍ଡ କିମ୍ବା ରାସନକାର୍ଡ କଟିଯାଇଥିବା ନାମ ସଂଯୋଗ କରାଯାଉ ନଥିବା ବ୍ଲକ ଯୋଗାଣ ବିଭାଗ ଅଧିକାରୀ ସୂଚନା ଦେଉଥିବା ବେଳେ ସାଇଟ୍୍ ବନ୍ଦଥିବା କହୁଛନ୍ତି । ଏପରି ସ୍ଥିତିରେ କିଭଳି ଭାବରେ ୧୮ମାସ ତଳେ ଜଣେ ଯୋଗ୍ୟ ହିତାଧିକାରୀଙ୍କୁ ଖାଦ୍ୟସୁରକ୍ଷା ଯୋଜନାରୁ ବନ୍ଦ କରାଯାଇ ସେହି କାର୍ଡ ନମ୍ବରରେ ଜଣେ ପେନ୍ସନଭୋଗୀ ପତ୍ନୀଙ୍କ ନାମ ସଂଯୋଗ କରାଗଲା ତାହାକୁ ନେଇ ପ୍ରଶ୍ନ ଉଠିଛି । ଗତ ୨୧ ତାରିଖରେ ମାହାଙ୍ଗା ବିଡିଓଙ୍କ ନିକଟରେ ଭୋଡା ପଞ୍ଚାୟତ ଅର୍ନ୍ତଗତ ରାମକୃଷ୍ଣପୁର ଅଞ୍ଚଳର ସସ୍ମିତା ସ୍ୱାଇଁ ଏ ସମ୍ପର୍କିତ ଅଭିଯୋଗ କରିଥିଲେ ମଧ୍ୟ ଏହାର କୌଣସି ସମାଧାନ କରାଯାଇ ନାହିଁ ।
ସୂଚନାରୁ ଜଣାପଡିଛି ଯେ ରାମକୃଷ୍ଣପୁର ଦୁର୍ଯେ୍ୟାଧନ ସ୍ୱାଇଁଙ୍କ ପତ୍ନୀ ସସ୍ମିତା ସ୍ୱାଇଁଙ୍କ ନାମରେ ରାସନକାର୍ଡ ନଂ ୦୭୦୮୦୭ ୧୦୨୫୮ ଥିଲା । ସେ ୨୦୨୧ ଫେବୃୟାରୀ ପର୍ଯ୍ୟନ୍ତ ରାସନ ସମାଗ୍ରୀ ଉଠାଇଥିଲେ । ପରବର୍ତ୍ତୀ ସମୟରେ ଡିଲର ତାଙ୍କୁ ରାସନକାର୍ଡ ସାମଗ୍ରୀ ଦେବାକୁ ମନା କରିବା ସହ ବ୍ଲକରେ ତୁମ ନାମ କଟିଯାଇଥିବା ଦର୍ଶାଇଥିଲେ । ଅନ୍ୟପକ୍ଷରେ ଏହି ରାସନକାର୍ଡ ନମ୍ବରରେ ଜଣେ ଅବସରପ୍ରାପ୍ତ ସରକାରୀ ତହସିଲ କର୍ମଚାରୀଙ୍କ ପତ୍ନୀ ରାସନସମାଗ୍ରୀ ପାଉଥିବା ସସ୍ମିତା ସ୍ୱାଇଁ ଅଭିଯୋଗ କରିଛନ୍ତି । ସସ୍ମିତା ଜଣେ ବିପିଏଲ୍ ପରିବାର ଏବଂ ତାଙ୍କ ସ୍ୱାମୀ ଦିନ ମଜୁରୀଆ ଓ ଗରିବ । କିଭଳି ଭାବରେ ତାଙ୍କ କାର୍ଡ କଟାଗଲା ତାହା ନିଶ୍ଚିତରୂପେ ତଦନ୍ତ ସାପେକ୍ଷ ।
ଅପରପକ୍ଷେ ଅବସରପ୍ରାପ୍ତ କର୍ମଚାରୀଙ୍କ ପତ୍ନୀ ନାମରେ ରାସନକାର୍ଡ ନେଇ କେଉଁ ବିଭାଗୀୟ ଅଧିକାରୀ ସଂପୃକ୍ତ ଓ କାହିଁକି ସସ୍ମିତାକୁ ଯୋଗ୍ୟ ହିତାଧିକାରୀଙ୍କ ନାମରୁ ବାଦ୍ ଦିଆଗଲା ତାହା ଏବେ ତଦନ୍ତ ଯୋଗ୍ୟ । ତେବେ କେବଳ ସସ୍ମିତା ନୁହନ୍ତି ମାହାଙ୍ଗାର ଭଦ୍ରେଶ୍ୱର ପଞ୍ଚାୟତ ବାସନ୍ତୀ ସାହୁଙ୍କ କାର୍ଡ ମଧ୍ୟ କଟାଯାଇଛି । ଯାହାକୁ ନେଇ ସେ ଏବେ ହାଇକୋର୍ଟଙ୍କ ଆଶ୍ରୟ ନେଇଛନ୍ତି । ଯୋଗାଣ ବିଭାଗୀୟ ମନ୍ତ୍ରୀ ଏଥିପ୍ରତି ଦୃଷ୍ଟିଦେବାକୁ ଦୃଢ଼ ଦାବି ହେଉଛି ।