ସ୍ୱର୍ଗରୁ ଆସି ଜାଗା ବିକିଲେ ବୃଦ୍ଧ, ତଦନ୍ତ ଦାବି
ଟଙ୍କା ଦେଲେ ମିଳୁଛି ମୃତୁ୍ୟ ପ୍ରମାଣପତ୍ର
ପରଜଙ୍ଗ (ଆପ୍ର): ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଟଙ୍କାଦେଲେ ସବୁ କିଛି ମିଳିପାରୁଛି । ଟଙ୍କା ଦେଲେ ମୃତୁ୍ୟ ପ୍ରମାଣପତ୍ର ସହିତ ମରିଯାଇଥିବା ଲୋକ ବି ସ୍ୱର୍ଗରୁ ଆସି ଜମି ବିକ୍ରୟ କରିପାରୁଛି । ଏହାକୁ ନେଇ ଏବେ ଜମି କେଳେଙ୍କାରୀର ଆଉ ଏକ ଗୁମର ଖୋଲିବାକୁ ଯାଉଛି ।
ଢେଙ୍କାନାଳ ସଦର ତହସିଲରେ ଆଧାର, ପ୍ୟାନ, ଭୋଟର ଆଇକାର୍ଡ ଏପରିକି ବିଧବା ମହିଳା ସଧବା ସାଜି ଅନ୍ୟ ବ୍ୟକ୍ତିର ଜମି ବିକ୍ରୟ କରିବା ଘଟଣାରେ ୫ଜଣ ଜେଲ ହାଜତରେ ରହିଥିବା ବେଳେ ପରଜଙ୍ଗରେ ବି ସମାନ ଅବସ୍ଥା ଦେଖିବାକୁ ମିଳିଛି । ଜଣେ ବୃଦ୍ଧଙ୍କର ଜମିକୁ ହଡପ କରିବା ପାଇଁ ସରକାରୀ କାଗଜ ପତ୍ରରେ ତାଙ୍କୁ ଦୁଇ ଦୁଇ ଥର ମାରିଦିଆଯାଇଛି ।ମୃତୁ୍ୟ ପ୍ରମାଣ ପତ୍ର ପାଇଁ ଟଙ୍କା ଦେଲେ ସବୁ କିଛି ସମ୍ଭବ ହୋଇପାରୁଛି । ଗତ ୧୯୮୧ ମସିହା ସେପ୍ଟେମ୍ବର ୮ ତାରିଖରେ ପରଜଙ୍ଗ ତହସିଲ ସରାଙ୍ଗ ଗ୍ରାମ ଲୋହରା ଭୁୟାଁଙ୍କ ପୁଅ ସୁଦେଇ ଭୁୟାଁଙ୍କୁ ମିଳିଥିବା ବେଳେ ପରଜଙ୍ଗ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ୭୭୧/୨୦୧୩ରେ, ଡାର ପଞ୍ଜିକରଣ କରାଯାଇଛି । କିନ୍ତୁ ମୃତ୍ୟର କାରଣ ଉଲ୍ଲେଖ କରାଯାଇନାହିଁ । ସେହିପରି ଫାଇଲରେ ଯାହା ଲେଖାଯାଇଛି ତାହା ସୂଚନା ଦାତା ସୁଦେଇ ଭୁୟାଁଙ୍କ ପୁଅ ପ୍ରସନ୍ନ ଭୁୟାଁଙ୍କୁ ପ୍ରଦାନ କରାଯାଇଛି । ସେତେବେଳକୁ ସୁଦେଇଙ୍କ ବୟସ ୮୦ବର୍ଷ ହୋଇଥିଲା । ପୁଣି ଥରେ ୧୯୮୪ ମସିହା ଫେବୃଆରୀ ୨୭ ତାରିଖରେ ପ୍ରଦାନ କରାଯାଇଥିବା ମୃତୁ୍ୟ ପ୍ରମାଣ ପତ୍ରରେ ପରଜଙ୍ଗ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ପଞ୍ଜୀକରଣ ସଂଖ୍ୟା ୨୦୧୬-୨୧-୦୦୭୫୬-୦୦୦୨୯୮ରେ ମଧ୍ୟ ମୃତୁ୍ୟର କାରଣ ଉଲ୍ଲେଖ ହୋଇନାହିଁ । ଏହି ପ୍ରମାଣ ପତ୍ର ସୁଦେଇ ଭୁୟାଁଙ୍କ ଭାଈ ହରେକୃଷ୍ଣ ଭୁୟାଁଙ୍କ ପୁଅ ହିମାଂଶୁ ଭୁୟାଁଙ୍କୁ ପ୍ରଦାନ କରାଯାଇଛି । ମୃତୁ୍ୟ ବେଳକୁ ତାଙ୍କୁ ୬୫ ବର୍ଷ ହୋଇଥିବାର ଉଲ୍ଲେଖ କରାଯାଇଛି ।
ସେହିପରି ଜମି କବଲାରେ୧୯୮୩ ମସିହା ମାର୍ଚ୍ଚ ୧୭ ତାରଖରେ ପରଜଙ୍ଗ ରେଜିଷ୍ଟ୍ରେସନ କାର୍ଯ୍ୟାଳୟରେ ରେଜିଷ୍ଟି୍ର କରାଯାଇଛି । ଯେଉଁଥିରେ ସୁଦେଇ ଭୁୟାଁ ତାଙ୍କ ନାମରେ ଥିବା ଖତିୟାନ ନଂ ୬୨୨ପ୍ଲଟ ନଂ ୨୪୭୮ର ୨୬ ଡେସିମିଲ ଜମିରୁ ୨୦ ଡେସିମିଲ ୮ କଡି ଜମି ହରେକୃଷ୍ଣ ଭୁୟାଁଙ୍କୁ ବିକ୍ରୀ କରିଛନ୍ତି । ଯାହାକୁ ନେଇ ୨୦୧୯ ମସିହାରେ ପରଜଙ୍ଗ ତହସିଲ କାର୍ଯ୍ୟାଳୟରୁ ଏକ ପଟ୍ଟା ମଧ୍ୟ ପ୍ରଦାନ କରାଯାଇଛି । ଏହାକୁ ନେଇ ସୁଦେଇ ଭୁୟାଁଙ୍କ ପୁଅ ପ୍ରସନ୍ନ ଭୁୟାଁ ଅଦାଲତର ଦ୍ୱାରସ୍ଥ ହୋଇଥିବାର ଜଣାପଡିଛି । ସେ କହିଛନ୍ତି ଯେ ସେ କୌଣସି ଜମି ବିକ୍ରୟ କରିନାହାଁନ୍ତି । ତାଙ୍କ ବାପାଙ୍କ ନାମରେ ମୃତୁ୍ୟ ପ୍ରମାଣ ପତ୍ର ବାହାର କରି ଜମି ହଡପ କରିଛନ୍ତି । କିନ୍ତୁ ଏହାକୁ ହରେକୃଷ୍ଣ ଓ ତାଙ୍କ ପୁଅ ହିମାଂଶୁ ଖଣ୍ଡନ କରିଛନ୍ତି । ସତ ମିଛ କଣତାହା ତଦନ୍ତରେ ଜଣାପଡିବ । କିନ୍ତୁ ଜଣେ ଲୋକ ୧୯୮୧ ମସିହାରେ ମୃତୁ୍ୟ ବରଣ କରିଥିବା ବେଳେ ୧୯୮୩ ମସିହାରେ ଜମିର କବଲା ହେଲା କିପରି ତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।ଟଙ୍କାଦେଲେ ପରଜଙ୍ଗ ଗୋଷ୍ଟୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ମୃତୁ୍ୟ ପ୍ରମାଣ ପତ୍ର ମିଳୁଛି ବୋଲି ସବୁଠାରେ ଚର୍ଚ୍ଚା ହେଉଛି । ଏ ଦୁିଗରେ ପଦକ୍ଷେପ ଗ୍ରହଣ କରିବାକୁ ଦାବୀ ହୋଇଛି ।