ଶିକ୍ଷକଙ୍କ ଡେପୁଟେସନ୍କୁ ବିରୋଧ
ରାଜନଗର (ଆପ୍ର): ରାଜନଗର ବ୍ଲକ କୋଇଲିପୁର ସ୍ଥିତ ପାଟ୍ଟକୁମାରୀ ନୋଡାଲ ଉପ୍ରା ବିଦ୍ୟାଳୟରେ ତାଲା ପକାଇ ଅଭିଭାବକ ଓ ଛାତ୍ରଛାତ୍ରୀମାନେ ସ୍କୁଲ୍ ଆଗରେ ଧାରଣା ଦେଇଛନ୍ତି । ସ୍କୁଲ୍ ଶିକ୍ଷକ ନିରଞ୍ଜନ ବେହେରାଙ୍କ ପାଖ ସ୍କୁଲକୁ ହୋଇଥିବା ଡେପୁଟେସନ ଅର୍ଡରକୁ ବିରୋଧ କରି ଏହି ଧାରଣା ଦିଆଯାଇଥିବା ଜଣାପଡ଼ିଛି ।
ସୂଚନା ମୁତାବକ କୋଇଲିପୁର ପଞ୍ଚାୟତର ବଡକୋଟ ପ୍ରାଥମିକ ବିଦ୍ୟାଳୟରେ ଦୁଇଜଣ ଶିକ୍ଷକ ଥିଲେ । ଶିକ୍ଷୟିତ୍ରୀ ମାଟର୍ନିଟି ଲିଭ୍ (ପ୍ରସୂତିକାଳୀନ ଛୁଟି)ରେ ଥିବାରୁ ସ୍କୁଲ୍ରେ ମାତ୍ର ଜଣେ ଶିକ୍ଷକ ଅଛନ୍ତି । କୋଇଲିପୁର ପାଟ୍ଟକୁମାରୀ ନୋଡାଲ ଉପ୍ରା ବିଦ୍ୟାଳୟରେ ୬ଜଣ ଶିକ୍ଷକ ଥିବାରୁ ଏହି ବିଦ୍ୟାଳୟର ଶିକ୍ଷକ ନିରଞ୍ଜନ ବେହେରାଙ୍କୁ ବଡକୋଟ ପ୍ରାଥମିକ ବିଦ୍ୟାଳୟକୁ ଟେପୁଟେସନରେ ପଢାଇବାକୁ ଅର୍ଡର ହୋଇଥିବାରୁ ବିଦ୍ୟାଳୟ ପରିଚାଳନା କମିଟି ବିଇଓଙ୍କୁ ଭେଟି ଏହାର ପ୍ରତିବାଦ କରିଥିଲେ ।
ଗତ ଶୁକ୍ରବାର ତୁରନ୍ତ ଡେପୁଟେସନରେ ବଡକୋଟ ପ୍ରାଥମିକ ବିଦ୍ୟାଳୟରେ ପାଠ ପଢାଇବାକୁ ଶିକ୍ଷକ ନିରଞ୍ଜନ ବେହେରାଙ୍କୁ କୁହାଯାଇଥିଲା । ନିବେଦନ ପରେ ମଧ୍ୟ କାହିଁକି ଡେପୁଟେସନରେ ଆମ ଶିକ୍ଷକଙ୍କୁ ନେଉଛନ୍ତି ବୋଲି ଅଭିଯୋଗ କରି ଅଭିଭାବକମାନେ ଛାତ୍ରଛାତ୍ରୀଙ୍କୁ ଧରି ସ୍କୁଲ୍ରେ ତାଲା ପକାଇ ଧାରଣାରେ ବସିଥିଲେ । ସେହିପରି ପ୍ରଧାନଶିକ୍ଷକ ମଧ୍ୟ ପ୍ରାୟତଃ ସ୍କୁଲ୍ରେ ଅନୁପସ୍ଥିତ ରହୁଥିବା ଅଭିଯୋଗ ହୋଇଛି । ଏ ସଂପର୍କରେ ବିଇଓ ମନୋରଞ୍ଜନ ସେଠୀଙ୍କୁ ପଚାରିବାରୁ ଶିକ୍ଷୟିତ୍ରୀ ମାଟର୍ନିଟି ଲିଭ୍ରେ ଯିବା ଯୋଗୁ ବଡକୋଟ ସ୍କୁଲ୍କୁ ନିରଞ୍ଜନଙ୍କ ଡେପୁଟେସନ୍ ଅର୍ଡର ହୋଇଥିଲା । ସ୍ଥାନୀୟ ସରପଞ୍ଚ ଏହି ବିଷୟରେ ମୋ ସହ କଥା ହୋଇଥିଲେ । ସଂପୃକ୍ତ ଶିକ୍ଷକ ୮ଦିନ ଯାଇଁ ବଡକୋଟ ବିଦ୍ୟାଳୟରେ ପାଠ ପଢାନ୍ତୁ, ଆମେ ବିକଳ୍ପ ବ୍ୟବସ୍ଥା କରିବୁ ବୋଲି ପ୍ରତିଶ୍ରୁତି ଦେଇଥିଲେ ।