୪ କଂଗ୍ରେସ ସାଂସଦ ସସ୍ପେଣ୍ଡ୍
ନୂଆଦିଲ୍ଲୀ, ୨୫ା୭: ଲୋକସଭାରେ କ୍ରମାଗତ ହଙ୍ଗାମା କରିଆସୁଥିବା ବିରୋଧୀ ସାଂସଦମାନଙ୍କ ବିରୋଧରେ ଚଳିତ ମୌସୁମୀ ଅଧିବେଶନର ଷଷ୍ଠ ଦିନରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ସୋମବାର ଲୋକସଭାରେ ପ୍ଲାକାର୍ଡ ଧରି ମହଙ୍ଗା ପରିସ୍ଥିତି ବିରୋଧରେ ସ୍ଲୋଗାନ୍ ଦେବା ପରେ ପୀଠାସୀନ ବାଚସ୍ପତି ରାଜେନ୍ଦ୍ର ଅଗ୍ରୱାଲ୍ କଂଗ୍ରେସର ୪ଜଣ ସାଂସଦଙ୍କୁ ଅଧିବେଶନ ଶେଷ ପର୍ଯ୍ୟନ୍ତ ସସ୍ପେଣ୍ଡ୍ କରିଛନ୍ତି । ନିୟମ ୩୭୪ ଅନୁଯାୟୀ ସସ୍ପେଣ୍ଡ୍ ହୋଇଥିବା ୪ ସାଂସଦ ହେଉଛନ୍ତି ଜ୍ୟୋତିମଣି, ରାମ୍ୟା ହରିଦାସ, ମଣିକମ୍ ଟାଗୋର୍ ଓ ଟିଏନ୍ ପ୍ରତାପନ ।
ସଂସଦୀୟ ବ୍ୟାପାର ମନ୍ତ୍ରୀ ପ୍ରହଲ୍ଲାଦ ଯୋଶୀ ଉକ୍ତ ୪ କଂଗ୍ରେସ ସାଂସଦଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବା ଲାଗି ଅନୁରୋଧ କରିବା ସହ ତତ୍ସମ୍ବନ୍ଧୀୟ ପ୍ରସ୍ତାବ ଆଗତ କରିଥିଲେ ।
ନିଲମ୍ବନ ଆଦେଶ ପରେ ଲୋକସଭାକୁ ଅପରାହ୍ଣ ୩.୫୦ରୁ ମୁଲତବୀ ଘୋଷଣା କରାଯାଇଛି ।
ଉଲ୍ଲେଖଯୋଗ୍ୟ ଯେ, ମୌସୁମୀ ଅଧିବେଶନ ଆରମ୍ଭ ହେବା ପୂର୍ବରୁ ସଂସଦ ପରିସରକୁ ପ୍ଲାକାର୍ଡ ଆଣି ବିକ୍ଷୋଭ ପ୍ରଦର୍ଶନ ଉପରେ ବାଚସ୍ପତି ଓମ୍ ବିରଳା କଟକଣା ଲଗାଇଥିଲେ । କଂଗ୍ରେସର ୪ ସାଂସଦ ସସ୍ପେଣ୍ଡ୍ ହେବା ପରେ ଲୋକସଭାରେ ଦଳର ଉପନେତା ଗୌରବ ଗୋଗୋଇ କହିଛନ୍ତି, ସରକାର ଆମକୁ ଡରାଇବା ଉଦ୍ୟମ କରୁଛନ୍ତି; ଦଳ ଏଥିରେ ଡରିବ ନାହିଁ । ସାଂସଦମାନେ ଗ୍ୟାସ୍ ସିଲିଣ୍ଡର ମୂଲ୍ୟ ବୃଦ୍ଧି, ଅଟା ପ୍ରଭୃତି ଉପରେ ଜିଏସ୍ଟି ଲଗାଯିବା ପ୍ରସଙ୍ଗ ଉଠାଇ ଆଲୋଚନା ଦାବି କରିଆସୁଥିଲେ । ଏ ସମ୍ବନ୍ଧୀୟ ଏକ ମୁଲତବୀ ପ୍ରସ୍ଥାବ ମଧ୍ୟ ଉପସ୍ଥାପନ କରାଯାଇଥିଲା କିନ୍ତୁ ଆଲୋଚନା ହେଲା ନାହିଁ ।
ନିଲମ୍ବିତ ସାଂସଦ ମଣିକମ ଟାଗୋର ପ୍ରତି୍ରକି୍ରୟାରେ କହିଛନ୍ତି, ବିଜେପି ଚାହୁଁଛି ସଂସଦ କେବଳ ବିଜେପିର ଜୟ ଜୟକାର କରୁ । ସରକାର କେବଳ ପୃଥିବୀର ଚତୁର୍ଥ ଧନୀ ବ୍ୟକ୍ତି (ଗୌତମ ଅଡାନୀ)ଙ୍କ କଥା ଶୁଣୁଛି, ସାଧାରଣ ଜନତାଙ୍କର ନୁହେଁ । ଆମେ ଦେଶର ଜନତାଙ୍କ ପାଇଁ ଲଢ଼ୁଛୁ ।