୧ଠଠ କୋଟିରେ ରାଜ୍ୟସଭା ଆସନ
ଟଙ୍କା ଅଛି ତ ସବୁ ସମ୍ଭବ: ସିବିଆଇ ଜାଲରେ ବଡ଼ ରାକେଟ୍
ନୂଆଦିଲ୍ଲୀ(ଏଜେନ୍ସି): ପୂର୍ବରୁ ସରକାରୀ ନିଯୁକ୍ତିରେ ବଡ଼ ଧରଣର ଘୋଟାଲା ହେଉଥିବା ସମ୍ପର୍କରେ ଅନେକ ଖବର, ସମ୍ବାଦ ସାମ୍ନାକୁ ଆସିସାରିଛି । କିନ୍ତୁ ଏବେ ଏପରି ଏକ ଖବର ସମ୍ପର୍କରେ ସୂଚନା ମିଳିଛି ଯାହାକି ସମସ୍ତଙ୍କୁ ନିଦ ହଜାଇଦେବା ଭଳି ହୋଇଛି । ୧ଠଠ କୋଟି ଟଙ୍କା ଦେଲେ କୌଣସି ଏକ ରାଜ୍ୟର ରାଜ୍ୟପାଳ ଭାବେ କିମ୍ବା ରାଜ୍ୟସଭାରେ ଏକ ଆସନ ବା ସାଂସଦ ପଦ ମିଳିବାର ପ୍ରତିଶ୍ରୁତି ଦେଉଥିବା ଏକ ବଡ଼ ରାକେଟ୍କୁ ଧରିବାରେ ସିବିଆଇ ସଫଳ ହୋଇଛି । ଏପ୍ରକାର ଏକ ଅବାଞ୍ଝôିତ ଲୋଭନୀୟ ପ୍ରତିଶ୍ରୁତି ଦେଇ ଅର୍ଥ କାରବାର କରୁଥିବା ଏକ ବଡ଼ଧରଣର ରାକେଟ୍କୁ ପର୍ଦ୍ଦାଫାଶ କରିଛି ସିବିଆଇ । ଏହି ରାକେଟ୍ ୧ଠଠ କୋଟି ଟଙ୍କା ବଦଳରେ ରାଜ୍ୟସଭା ସଦସ୍ୟ ପଦ ଏବଂ ରାଜ୍ୟପାଳ ପଦ ପାଇଁ ଅଫର୍ ଦେଉଥିବା ଜାଣିବା ପରେ କିଛି ଦିନ ଧରି ସିବିଆଇ ଏମାନଙ୍କ ଫୋନ୍ ଟ୍ୟାପ୍ କରିଥିଲା । ପରେ ଏଭଳି ଏକ ଘଟଣାରେ ଟଙ୍କା କାରବାର ହେଉଥିବା ବେଳେ ୪ ଅଭିଯୁକ୍ତଙ୍କୁ ରେଡ୍ ହ୍ୟାଣ୍ଡେଡ୍ ଧରିବାରେ ସିବିଆଇ ସଫଳ ହୋଇଛି । ଏମାନେ ରାଜ୍ୟପାଳ ପଦ ପାଇଁ ଜଣେ ବ୍ୟକ୍ତିଙ୍କ ସହ ୧ଠଠ କୋଟି ଟଙ୍କାର ଏକ ଡିଲ୍ କରୁଥିବା ବେଳେ ଏମାନଙ୍କୁ ନିଜ କଷ୍ଟଡିକୁ ନେଇଛି ସିବିଆଇ ।
ଗିରଫ ୪ ଅଭିଯୁକ୍ତମାନେ ମହାରାଷ୍ଟ୍ରର କମଲାକର ପ୍ରେମକୁମାର ବାନ୍ଦଗର, କର୍ଣ୍ଣାଟକର ରବୀନ୍ଦ୍ର ଭିଠ୍ଲ ନାଇକ, ଦିଲ୍ଲୀର ମହେନ୍ଦ୍ରପାଲ ଆରୋରା ଏବଂ ଅଭିଷେକ ବୋରା ଭାବେ ଚିହ୍ନଟ ହୋଇଛନ୍ତି । ଏହି ୪ଜଣ ଦୀର୍ଘ ଦିନ ଧରି ଏହି ରାକେଟ ଚଳାଇ ଆସୁଥିଲେ । ସେମାନେ କିଛି ବଡ଼ବଡ଼ିଆ ତଥା ରାଜନୀତି ସହ ସମ୍ପୃକ୍ତ ଥିବା ବ୍ୟକ୍ତି ବିଶେଷଙ୍କୁ ପ୍ରଥମେ ନିଜ ଜାଲରେ ଫସାଇ ରାଜ୍ୟସଭା ଏବଂ ରାଜ୍ୟପାଳ ପଦବୀ ଭଳି ଲୋଭ ଦେଖାଉଥିଲେ ଏବଂ ପରେ ଏଥିପାଇଁ ଅତିକମ୍ରେ ୧ଠଠ କୋଟି ଟଙ୍କା ଖର୍ଚ୍ଚ କରିବାକୁ ହେବ ବୋଲି ମଧ୍ୟ କହୁଥିଲେ । କେବଳ ସେତିକି ନୁହେଁ ଏମାନେ ଅନେକ ଆଶାୟୀଙ୍କ ଠାରୁ ଲକ୍ଷ ଲକ୍ଷ ଟଙ୍କା ନେଇ ସେମାନଙ୍କୁ ସରକାରୀ ନିଯୁକ୍ତିରେ ମଧ୍ୟ ସାମିଲ କରାଇଥିବା ଜାଣିବାକୁ ମିଳିଛି । ତେବେ ଏସବୁ ପାଇଁ ଉଚ୍ଚପଦସ୍ଥ ସରକାରୀ କର୍ମଚାରୀଙ୍କ ସହଯୋଗର ଆବଶ୍ୟକତା ଥିବାରୁ ଏମାନଙ୍କ ସହ ଅନେକ ବଡ଼ ସ୍ତରର ସରକାରୀ କର୍ମଚାରୀଙ୍କ ସମ୍ପୃକ୍ତି ରହିଥିବା ଅନୁମାନ କରୁଛି ସିବିଆଇ । ସେହିପରି ରାଜ୍ୟପାଳ ତଥା ରାଜ୍ୟସଭା ଆସନ ପାଇଁ ଏମାନେ ଲବି କରୁଥିବା ବେଳେ ଏଥିପାଇଁ ଅନେକ ରାଜନୈତିକ ଦଳଙ୍କ ସହ ମଧ୍ୟ ଏମାନଙ୍କ ସମ୍ପୃକ୍ତି ରହିଥିବା ସନେ୍ଦହ କରାଯାଉଛି । ସୁତରାଂ ଏବେ ଏସବୁ ଦିଗରୁ ତଦନ୍ତ ଆରମ୍ଭ କରିଛି ସିବିଆଇ । ତେବେ ଏସବୁଥିରେ କେତେ ସତ୍ୟତା ରହିଛି ସେସମ୍ପର୍କରେ ତଦନ୍ତ ପରେ ଜଣାପଡିବ ବୋଲି ସିବିଆଇ କହିଛି ।
ପ୍ରାରମ୍ଭିକ ତଦନ୍ତରେ ଅଭିଯୁକ୍ତ ପ୍ରେମକୁମାର ନିଜକୁ ସିବିଆଇ ଅଫିସର ଭାବେ ପରିଚୟ ଦେଇ ଭିତିରିଆ କାରବାର ଚଳାଉଥିବା ବେଳେ ଅନ୍ୟମାନେ ତା’ର ସହଯୋଗୀ ପାଲଟିଥିଲେ । ସେହିପରି ଅଭିଯୁକ୍ତମାନେ ବଡ଼ ବଡ଼ ରାଜନେତା ଓ ବୁ୍ୟରୋକ୍ରାଟ୍ଙ୍କ ସହ ଭଲ ସମ୍ପର୍କ ଥିବା କହି ଗ୍ରାହକଙ୍କୁ ଭୁଆଁ ବୋଲାଉଥିଲେ ବୋଲି ସିବିଆଇ ଦର୍ଶାଇଛି । ସେହିପରି ଜେରା ସମୟରେ ମହାରାଷ୍ଟ୍ର ବିଜେପିର ଜଣେ ବିଧାୟକଙ୍କୁ ମଧ୍ୟ ୧ଠଠ କୋଟି ଟଙ୍କା ମାଗିଥିବା ଏବଂ ବଦଳରେ ନୂଆ ମୁଖ୍ୟମନ୍ତ୍ରୀ ଏକନାଥ ଶିନେ୍ଦଙ୍କ ମନ୍ତ୍ରିମଣ୍ଡଳରେ ମନ୍ତ୍ରୀପଦ ଦେବାର ଲୋଭ ଦେଖାଇଥିବା ଅଭିଯୁକ୍ତମାନେ ସ୍ୱୀକାର କରିଛନ୍ତି ।