ସର୍ଭିସ୍ ରୋଡ୍ ନିର୍ମାଣ ପାଇଁ ରାଜରାସ୍ତାରେ ଜନତା

ମରଣଯନ୍ତା ୨ନଂ ରାଜ୍ୟ ରାଜପଥ, ସରକାରୀ ନିୟମକୁ ବେଖାତିର
ଯୋଡ଼ା (ଆପ୍ର): ଯମ ଯନ୍ତ୍ରଣାରୁ ରକ୍ଷା ପାଇବା ପାଇଁ ବହୁବାର ଅନୁରୋଧ ସତ୍ତ୍ୱେ ଫ୍ଲାଏଓଭର ନିର୍ମାଣକାରୀ ଠିକା ସଂସ୍ଥା ଚେଭ୍ରୋକ୍ସ କମ୍ପାନୀ ଯୋଡ଼ାବାସୀଙ୍କ ଦୁଃଖକୁ ହୃଦୟଙ୍ଗମ କରୁ ନାହିଁ । ଫଳରେ ଲୋକାମାନେ ଅତିଷ୍ଠ ହୋଇ ଶେଷରେ ରାଜରାସ୍ତାକୁ ଓହ୍ଲାଇବା ପାଇଁ ବାଧ୍ୟ ହୋଇଛନ୍ତି । ଦୀର୍ଘ ଦୁଇ ବର୍ଷ ହେବ ଫ୍ଲାଏଓଭର ନିର୍ମାଣ କାର୍ଯ୍ୟ ଚାଲୁ ରହିଥିବା ବେଳେ ସରକାରୀ ନିୟମ ଅନୁଯାୟୀ ଲୋକଙ୍କ ଯାତାୟାତରେ କୌଣସି ବାଧା ସୃଷ୍ଟି ନ ହେବା ପାଇଁ ଦୁଇ ପାଶ୍ୱର୍ରେ ସର୍ଭିସ୍ ରୋଡ୍ ନିର୍ମାଣ କରିବାର ପ୍ରାବଧାନ ରହିଛି । ଏହି ସର୍ଭିସ୍ ରୋଡ୍ ନିର୍ମାଣ ପାଇଁ କମ୍ପାନୀକୁ ସରକାରଙ୍କ ତରଫରୁ ଅଧିକ ଅର୍ଥ ମଧ୍ୟ ଯୋଗାଇ ଦିଆଯାଇଥାଏ । ଏହି ଅର୍ଥକୁ କାମରେ ନ ଲଗାଇ ଆତ୍ମସାତ୍ କରିବାକୁ କମ୍ପାନୀ ମସୁଧା କରିଥିବା ବେଳେ ଲୋକମାନେ ନାହିଁ ନ ଥିବା ଅସୁବିଧାର ସମ୍ମୁଖିନ ହେଉଛନ୍ତି । ଏହାର ପ୍ରତିବାଦରେ ସୋମବାର ଅଞ୍ଚଳବାସୀ କୁମାର ଯୋଡ଼ା ନିକଟରେ ରାସ୍ତା ଅବରୋଧ କରିଥିବା ଦେଖିବାକୁ ମିଳିଛି ।
ଲୋକଙ୍କ ଅଭିଯୋଗ ଅନୁଯାୟୀ, ଠିକା ସଂସ୍ଥା ଓ ସ୍ଥାନୀୟ ପ୍ରଶାସନର ମଧୁଚନ୍ଦ୍ରିକାରେ ଏଭଳି କାର୍ଯ୍ୟ ଦୁଇ ବର୍ଷ ହେବ ଚାଲି ଆସୁଛି । ଯୋଡ଼ା ସହର ଦେଇ ଯାଇଥିବା ୨ ନମ୍ବର ରାଜ୍ୟ ରାଜପଥ ଏବେ ମରଣଯନ୍ତା ପାଲଟିଛି । ଏହି ରାସ୍ତା ଦେଇ ପ୍ରତି ଦିନ କୋଟି କୋଟି ଟଙ୍କାର ଖଣିଜ ପରିବହନ ହୋଇଥାଏ । ଉଗ୍ର ଗାଡି ଚାଳନା ଓ ନିଶ୍ଚିତ ବିପଦରୁ ରକ୍ଷା ପାଇବା ପାଇଁ ବହୁ ଦିନରୁ ଏକ ଫ୍ଲାଇଓଭର୍ ନିର୍ମାଣ ନିମନ୍ତେ ଦାବି ହୋଇଆସୁଥିଲା । ରାଜ୍ୟ ତଥା କେନ୍ଦ୍ର ସରକାର ଏହାକୁ ବିଚାରକୁ ନେଇ ରଣାଶାଳ ଘାଟିରୁ କୁମାର ଯୋଡ଼ା ପର୍ଯ୍ୟନ୍ତ ୨୦୨୧ ମସିହାରେ ଫ୍ଲାଏଓଭର୍ ପାଇଁ ଅନୁମତି ଦେଇଥିଲେ । ଏହି କାମକୁ ସମ୍ପାଦନ କରିବା ନିମନ୍ତେ ଓଡ଼ିଶା ବ୍ରିଜ କନ୍ସଟ୍ରକ୍ସନ୍ (ଓବିସିସି) କମ୍ପାନୀକୁ ହସ୍ତାନ୍ତର କରାଯାଇଛି । ଓବିସିସି ଏହି ଫ୍ଲାଏଓଭର ନିର୍ମାଣ ପାଇଁ ଚେଭ୍ରୋକ୍ସ ନାମକ ଏକ ଠିକା ସଂସ୍ଥାକୁ ଦେଇଥିବା ଜଣାପଡ଼ିଛି । ଅସରାଏ ବର୍ଷାରେ ରାସ୍ତା ଉପରେ ପାଣି ଲହଡ଼ି ମାରିବା ସହିତ ଆଣ୍ଠୁଏ କାଦୁଅ ଭରି ଯାଉଛି । ମୁଖ୍ୟ ରାସ୍ତାର ଦୁଇ କଡ଼ରେ ସ୍କୁଲ୍, ଡାକ୍ତରଖାନା, ବ୍ୟାଙ୍କ ଇତ୍ୟାଦି ଥିବାବେଳେ ଲୋକମାନେ ଯାତାୟାତ କରିବା ସମ୍ଭବ ହୋଇପାରୁ ନାହିଁ । କମ୍ପାନୀ କର୍ତ୍ତୃପକ୍ଷ ଏଥିପ୍ରତି ଦୃଷ୍ଟି ଦେଉ ନ ଥିବାରୁ ଛାତ୍ରଛାତ୍ରୀ ବିଦ୍ୟାଳୟ ଯିବା ସମ୍ଭବ ହୋଇପାରୁନି । ବାରମ୍ବାର ଅଭିଯୋଗ ସତ୍ତ୍ୱେ କମ୍ପାନୀର ଏଭଳି ମନମୁଖୀ କାର୍ଯ୍ୟକୁ ସ୍ଥାନୀୟ ବାସିନ୍ଦା ନିନ୍ଦା କରିଛନ୍ତି । ଆଗାମୀ ଦିନରେ ଯଦି ଏହାକୁ ବିଚାରକୁ ନିଆ ନ ଯାଏ ଆନେ୍ଦାଳନାତ୍ମକ ପନ୍ଥା ଅବଲମ୍ବନ କରିବା ସହିତ ଅର୍ଥନୈତିକ ଅବରୋଧ କରାଯିବ ବୋଲି ସ୍ଥାନୀୟ ବାସିନ୍ଦା ଚେତାବନୀ ଦେଇଛନ୍ତି ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *