‘ଓଡ଼ିଶା ଝିଅ ରାଷ୍ଟ୍ରପତି, ମୁଁ ଆନନ୍ଦିତ’

ସାଂସଦଙ୍କ ସହ ଦ୍ରୌପଦୀଙ୍କୁ ଭେଟିଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର, ୨୪ା୭ (ବୁ୍ୟରୋ): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୪ ଦିନିଆ ଗସ୍ତରେ ଦିଲ୍ଲୀ ଯାଇଛନ୍ତି । ରବିବାର ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ସମସ୍ତ ଓଡ଼ିଆ ସାଂସଦଙ୍କ ସହ ନବନିର୍ବାଚିତ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ଭେଟିବା ସହ ଶୁଭେଚ୍ଛା ଜଣାଇଛନ୍ତି । ଦ୍ରୌପଦୀଙ୍କୁ ଭେଟିବା ପରେ ପ୍ରତିକ୍ରିୟା ରଖି ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ କହିଛନ୍ତି, ଓଡ଼ିଶାର ଝିଅ ଏବେ ଦେଶର ରାଷ୍ଟ୍ରପତି । ଏଥିପାଇଁ ଓଡ଼ିଶା ବାସୀ ଗର୍ବିତ । ଏହି ଅବସରରେ ଦ୍ରୌପଦୀଙ୍କୁ ଭେଟି ଶୁଭେଚ୍ଛା ଜଣାଇଲି । ଓଡ଼ିଆ ସାଂସଦମାନେ ମଧ୍ୟ ଦ୍ରୌପଦୀଙ୍କୁ ଭେଟି ଖୁସିଅଛନ୍ତି ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ କହିଛନ୍ତି ।
ସେହିପରି ବିଗତ ଦ୍ରୌପଦୀ ନବୀନଙ୍କ ହାତରେ ରାକ୍ଷୀ ବାନ୍ଧିଥିବାରୁ ନିଜ ଭଉଣୀ ଏବେ ଦେଶର ରାଷ୍ଟ୍ରପତି, ଏନେଇ କଣ କହିବେ ବୋଲି ଗଣମାଧ୍ୟମ କର୍ମଚାରୀଙ୍କ ପଚାରିଥିବା ପ୍ରଶ୍ନରେ ମୁଖ୍ୟମନ୍ତ୍ରୀ ଉତ୍ତର ଦେଇ କହିଛନ୍ତି, ମୁଁ ଅତ୍ୟନ୍ତ ଆନନ୍ଦିତ । ଆସନ୍ତାକାଲି ରାଷ୍ଟ୍ରପତି ଭବନରେ ହେବାକୁ ଥିବା ଶପଥ ଗ୍ରହଣ ଉତ୍ସବରେ ସମସ୍ତ ଓଡ଼ିଆ ସାଂସଦଙ୍କ ସମେତ ମୁଁ ଉପସ୍ଥିତ ରହିବି ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ କହିଛନ୍ତି । ତେବେ ମୁଖ୍ୟମନ୍ତ୍ରୀ ଓ ଓଡ଼ିଆ ସାଂସଦଙ୍କ ଗସ୍ତ ସମୟରେ ପାରମ୍ପରିକ ନୃତ୍ୟ କଳାରେ ସମ୍ପୂର୍ଣ୍ଣ ଅଞ୍ଚଳ ଉତ୍ସବ ମୁଖରିତ ହୋଇଥିଲା । ଭେଟଘାଟ ପାଇଁ କ୍ୟାମ୍ପସରେ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ମଧ୍ୟ ଆୟୋଜନ କରାଯାଇଥିଲା ।
ସୂଚନାଯୋଗ୍ୟ, ଆସନ୍ତାକାଲି ଦେଶର ନବନିର୍ବାଚିତ ରାଷ୍ଟ୍ରପତି ଭାବେ ଶପଥ ନେବେ ଓଡିଆ ଝିଅ ଦ୍ରୌପଦୀ ମୁର୍ମୁ । ସ୍ୱତନ୍ତ୍ର ନିମନ୍ତ୍ରଣ କ୍ରମେ ମୁଖ୍ୟମନ୍ତ୍ରୀ ଶପଥ ଗ୍ରହଣ ଉତ୍ସବରେ ସାମିଲ ହେବା ପାଇଁ ଦିଲ୍ଲୀ ଯାଇଛନ୍ତି ।
ରାଷ୍ଟ୍ରପତି ନିର୍ବାଚନରେ ବିଜେଡି ମାଟିର ଝିଅ ଦ୍ରୌପଦୀଙ୍କୁ ପୂର୍ଣ୍ଣ ସମର୍ଥନ କରିବା ସହ ଅନ୍ୟ ଦଳମାନଙ୍କୁ ସମର୍ଥନ କରିବା ପାଇଁ ଅପିଲ କରିଥିଲେ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ । ତେବେ ଆସନ୍ତାକାଲି ଶପଥ ଗ୍ରହଣ ଉତ୍ସବରେ ଯୋଗ ଦେବା ପରେ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ବିଭିନ୍ନ କେନ୍ଦ୍ରମନ୍ଦ୍ରୀଙ୍କୁ ଭେଟିବାର କାର୍ଯ୍ୟକ୍ରମ ରହିଛି । ଆସନ୍ତା ୨୬ ତାରିଖରେ ମୁଖ୍ୟମନ୍ତ୍ରୀ ପୁଣି ଓଡିଶା ଫେରିବେ ବୋଲି ପ୍ରକାଶ ପାଇଛି ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *