ନଦୀ ଜଳ ସଂରକ୍ଷଣକୁ ଗୁରୁତ୍ୱ

ଭୁବନେଶ୍ୱର, ୨୪ା୭ (ବୁ୍ୟରୋ): ୨୦୨୦-୨୧ ଆର୍ଥିକ ବର୍ଷରେ ୩ ଗୋଟି ନୂଆ ଏମ୍.ଆଇ ପ୍ରୋଜେକ୍ଟ ଟେଣ୍ଡର ଡ଼କାଯାଇଛି । ୪୧ ଗୋଟି ମେଗା ଲିଫ୍ଟ ପ୍ରକଳ୍ପ ସମ୍ପୂର୍ଣ୍ଣ କରାଯାଇଛି । ଖାଲି ସେତିକି ନୁହେଁ ଏହି ଆର୍ଥିକ ବର୍ଷ ମଧ୍ୟରେ ଉଠା ଜଳସେଚନ ପ୍ରକଳ୍ପ ମାଧ୍ୟମରେ ୧୫୦୮ଗୋଟି ଗୋଷ୍ଠୀ ଉଠା ଜଳସେଚନ ପ୍ରକଳ୍ପ, ପ୍ରାୟ ୧୪,୦୫୪ ଗୋଟି ନଳକୂପ ଓ ୨୯୨ ଗୋଟି ଅଗଭୀର ନଳକୂପ ସମ୍ପୂର୍ଣ୍ଣ କରାଯାଇଛି । ୨୦୨୨-୨୩ ଆର୍ଥିକ ବର୍ଷରେ ପ୍ରାୟ ୫୩ ଗୋଟି ଏମ୍.ଆଇ ପ୍ରକଳ୍ପ ଓ ପ୍ରାୟ ୩୮ ମେଗା ଲିଫ୍ଟ ପ୍ରକଳ୍ପ ନିର୍ମାଣ କରାଯିବାର ବ୍ୟବସ୍ଥା ରହିଛି । ସେହିପରି ଉଠାଜଳସେଚନ ପ୍ରକଳ୍ପ ମାଧ୍ୟମରେ ୧୫୪୦ ପ୍ରକଳ୍ପ, ୧୪,୫୦୦ ଗଭୀର ନଳକୂପ ବସାଯିବାର ଯୋଜନା ଅଛି । ପୂର୍ବ ବର୍ଷ ଅପେକ୍ଷା ରାଜ୍ୟରେ ଜଳସେଚନକୁ ଅଧିକ ପ୍ରାଥମିକତା ଦିଆଯାଇଛି । ମୁଖ୍ୟମନ୍ତ୍ରୀଙ୍କ ନିଦେ୍ର୍ଦଶକ୍ରମେ ରାଜ୍ୟର ବିଭିନ୍ନ ନଦୀରେ ନଦୀ ଗର୍ଭ ଜଳାଶୟର ନିର୍ମାଣ ଜାରି ରହିଛି । ଭବିଷ୍ୟତରେ ନଦୀ ଭିତରେ ଜଳ ସଂରକ୍ଷିତ ହୋଇ ରହିବା ସହ ଅଣମୌସୁମୀ ସମୟରେ ଜଳସେଚନରେ କାମରେ ବିନିଯୋଗ କରିବାକୁ ରାଜ୍ୟ ସରକାର ଲକ୍ଷ୍ୟ ରଖିଛନ୍ତି । ବିଧାନସଭାର ପୃଥକ ପୃଥକ ପ୍ରଶ୍ନରେ ଜଳସମ୍ପଦ ମନ୍ତ୍ରୀ ଟୁକୁନି ସାହୁ ରଖିଥିବା ଉତ୍ତରରୁ ଏହା ପ୍ରକାଶ ପାଇଛି ।
ମନ୍ତ୍ରୀ ଟୁକୁନି ସାହୁଙ୍କ ନିକଟରୁ ମିଳିଥିବା ସୂଚନାରେ ରାଜ୍ୟ ସରକାର ଜଳସମ୍ପଦର ବିନିଯୋଗ ପାଇଁ ସର୍ବାଧିକ ପ୍ରାଥମିକତା ଦେଇଆସୁଛନ୍ତି । ବିଶେଷ କରି ୨ଲକ୍ଷ ୮୦ହଜାର ହେକ୍ଟର ଚାଷ ଜମିରେ ଚାଷ ସାମର୍ଥ୍ୟ ସୃଷ୍ଟି କରିବାକୁ ପଦକ୍ଷେପ ନେଇଛନ୍ତି । ଓଡ଼ିଶା ଓ ଓଡ଼ିଶାବାସୀଙ୍କୁ ମୁଖ୍ୟମନ୍ତ୍ରୀ ଏକ ନୂତନ ଚିନ୍ତାଧାରାରେ ଆଗେଇ ନେଇଛନ୍ତି । ଚଳିତବର୍ଷ ବିଭାଗୀୟ ବଜେଟ ୯ହଜାର ୯ଶହ କୋଟିରୁ ଊଦ୍ଧ୍ୱର୍ ରହିଛି । ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶକ୍ରମେ ବିଭାଗୀୟ କର୍ତ୍ତୃପକ୍ଷ ଜଳ ସଂରକ୍ଷଣକୁ ଗୁରୁତ୍ୱ ଦେଇଛନ୍ତି । ରାଜ୍ୟର ବହୁ ସ୍ଥାନରେ ଜଳସେଚନର ମେଗା ପ୍ରୋଜେକ୍ଟ ନିର୍ମାଣଧୀନ ରହିଛି । କଳାହାଣ୍ଡିର ଅପର ଇନ୍ଦ୍ରାବତୀ ପ୍ରକଲ୍ପ ଶେଷ ହୋଇଥିବାବେଳେ ନୂଆପଡ଼ାର ଅପର ଉଦନ୍ତୀ ପ୍ରକଳ୍ପର ନିର୍ମାଣ ମଧ୍ୟ ଶେଷ ହୋଇଛି । କଳାହାଣ୍ଡିରେ ଅପର ଇନ୍ଦ୍ରାବତୀ ପ୍ରକଳ୍ପ କାର୍ଯ୍ୟକାରୀ ହେବା ପରେ ବହୁ ଚାଷୀଙ୍କୁ ଚାଷ କାର୍ଯ୍ୟରେ ସହାୟତା ମିଳିଛି । ଏହି ମଧ୍ୟରେ ରାଜ୍ୟରେ ଏକାଧିକ ବୃହତ ଓ ମଧ୍ୟମ ଜଳସେଚନ ପ୍ରକଳ୍ପ କାର୍ଯ୍ୟକାରୀ କରାଯିବାକୁ ଚେଷ୍ଟା ଜାରି ରହିଛି । ନିର୍ମାଣଧୀନ ଥିବା ପ୍ରକଳ୍ପଗୁଡ଼ିକୁ ସମୟ ମଧ୍ୟରେ ସାରିବାକୁ ମଧ୍ୟ ମୁଖ୍ୟମନ୍ତ୍ରୀଙ୍କ କଡ଼ା ନିଦେ୍ର୍ଦଶ ରହିଛି । ପାର୍ବତୀଗିରି ଉଠାଜଳସେଚନ ପ୍ରକଳ୍ପ ଆରମ୍ଭ ହେବା ପରେ ବହୁ ଜମିକୁ ଜଳସେଚନ ସୁଗମ ହୋଇଛି । ଏବର୍ଷ ବଜେଟ୍ରେ ଆହୁରି ବହୁ ପ୍ରକଳ୍ପ ଯୋଡ଼ି ହେବ ବୋଲି ମନ୍ତ୍ରୀ ଶ୍ରୀମତି ସାହୁ କହିଛନ୍ତି ।
ବିଭାଗ ପକ୍ଷରୁ ମିଳିଥିବା ସୂଚନାରେ କେବଳ ମହାନଦୀ ଅବବାହିକାରେ ରାଜ୍ୟ ସରକାରଙ୍କ ପକ୍ଷରୁ ୧୨ଟି ପ୍ରକଳ୍ପ ନିର୍ମାଣଧୀନ ରହିଛି । ନବରଙ୍ଗପୁର, କଳାହାଣ୍ଡି, ନୟାଗଡ଼, ଅନୁଗୁଳ, କନ୍ଧମାଳ, ବୌଦ୍ଧ, ସୁନ୍ଦରଗଡ଼, ସମ୍ବଲପୁରରେ ଗୋଟିଏ ଲେଖାଏ ପ୍ରକଳ୍ପ ଗୃହିତ ହୋଇଥିବାବେଳେ ବରଗଡ଼ରେ୩ଟି ଓ ବଲାଙ୍ଗୀରେ ୨ଟି ପକଳ୍ପ ରହିଛି । ଏଥିମଧ୍ୟରୁ ୨ଟି ପ୍ରକଳ୍ପର ଡିପିଆର୍ କାର୍ଯ୍ୟ ଚାଲୁଅଛି । ସେହିପରି ୨ଟିର ଟିଏସି ଅନୁମୋଦନ ପ୍ରାପ୍ତ ହୋଇଥିବାବେଳେ ୬ଟି ପ୍ରକଳ୍ପର ଡିପିଆର କେନ୍ଦ୍ରୀୟ ଜଳଆୟୋଗଙ୍କ ଦ୍ୱାରା ଅନୁୂମୋଦନ ପ୍ରାପ୍ତ ହୋଇଛି ଏବଂ ୨ଟି ପ୍ରକଳ୍ପର ଫିଏସିବିଲିଟି ରିପୋଟ କେନ୍ଦ୍ର ଜଳଆୟୋଗଙ୍କ ନିକଟରେ ଦାଖ କରାଯାଇଛି ।
ସେହିପରି ଭୁପୃଷ୍ଠ ଜଳ ସଂରକ୍ଷଣ ପାଇଁ ରାଜ୍ୟ ସରକାର ନଦୀ ଗର୍ଭ ଜଳାଶୟ ପ୍ରକଳ୍ପ ନିର୍ମାଣ କରୁଛନ୍ତି । ଏହି ପ୍ରକଳ୍ପ ଅଧିନରେ ପ୍ରଥମ ପର୍ଯ୍ୟାୟରେ ୨୨୯୦.୪୪ କୋଟି ବ୍ୟୟରେ ମହାନଦୀ ଅବବାହିକାରେ ୧୬ ଗୋଟି ନଦୀ ଗର୍ଭ ଜଳାଶୟ ପ୍ରକଳ୍ପ ନିର୍ମାଣ କରାଯାଉଛି । ଦ୍ୱିତୀୟ ପର୍ଯ୍ୟାୟରେ ୨୦୨୨-୨୩ ଆର୍ଥିକ ବର୍ଷରେ ୫୭୩୨.୯୭ କୋଟି ବ୍ୟୟରେ ଆଉ ୧୧ ଗୋଟି ନଦୀ ଗର୍ଭ ଜଳାଶୟ ପ୍ରକଳ୍ପ କରିବାକୁ ନିଷ୍ପତ୍ତି ନିଆଯାଇଛି । ଯାହା ନଦୀରେ ପ୍ରବାହିତ ଜଳକୁ ଅଟକାଇବାରେ ସହାୟକ ହେବ । ସୂଚନାଯୋଗ୍ୟ, ରାଜ୍ୟର ମୋଟ ୧୧ ଗୋଟି ପ୍ରମୁଖ ନଦୀରେ ୯,୫୫୪୦ ନିୟୁତ ଘନମିଟର ଜଳ ଉପଲବ୍ଧ ରହିଛି । ଉକ୍ତ ନଦୀଗୁଡ଼ିକରୁ ୪୪୯୭୫.୪ ନିୟୁତ ଘନମିଟର ଜଳ ବିଭିନ୍ନ ଉଦେ୍ଦଶ୍ୟରେ ବିନିଯୋଗ ହେଉଛି ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *