ରଥ ଭଙ୍ଗା ଆରମ୍ଭ: ପ୍ରଥମ ଦିନରେ ଦର୍ପଦଳନ
ପୁରୀ (ବୁ୍ୟରୋ): ସିଂହଦ୍ୱାର ସମ୍ମୁଖରେ ରହିଥିବା ତିନିରଥ ମଧ୍ୟରୁ ରବିବାର ଦେବୀ ସୁଭଦ୍ରାଙ୍କ ଦର୍ପଦଳନ ରଥ ଭଙ୍ଗା ଆରମ୍ଭ ହୋଇଛି । ଭୋଇ ସର୍ଦ୍ଦାର ରବି ଭୋଇଙ୍କ ନେତୃତ୍ୱରେ ଏହା ଭଙ୍ଗା ଯାଉଛି । ଏହି କାର୍ଯ୍ୟରେ ୧୦ରୁ ଅଧିକ ଭୋଇ ସେବକ ନିୟୋଜିତ ହୋଇଛନ୍ତି । ସକାଳ ଦର୍ପଦଳନ ରଥରେ ଭୋଇ ସେବାୟତମାନେ ଲଡୁ ମାହାର୍ଦ୍ଦ ଓ ନଡ଼ିଆ ଆଣି ରଖିଥିଲେ । ଭୋଇ ସର୍ଦ୍ଦାର ରଥରେ ନଡ଼ିଆ ବାଡ଼େଇବା ପରେ ଆରମ୍ଭ ହୋଇଥିଲା ରଥଭଙ୍ଗା କାମ । ଉପର ଆଡୁ ରଙ୍ଗ ଭଙ୍ଗା ଯାଉଛି । ପ୍ରଥମ ଦିନରେ ରଥର କଳସ, ଖପୁରୀ, ପାରାଭାଡ଼ି, ପୋଟଳ ପାରେଣୀ ଖମ୍ବି ଓ ଓରା, ତୃତୀୟ ଭୂଇଁ, ଦ୍ୱିତୀୟ ଭୂଇଁ, ସିଂହାସନ, ପ୍ରଭା, ଧୂଳିଦଣ୍ଡା ଭଙ୍ଗା ଯାଇଛି । ରଥରୁ ବାହାରିଥିବା କାଠକୁ ଦୋଳବେଦୀ ପରିସରରେ ରଖାଯାଇଛି । ଏଥି ମଧ୍ୟରୁ କେତେକ କାଠ ଠାକୁରଙ୍କ କୋଠଭୋଗ ଜାଳେଣି ପାଇଁ ବ୍ୟବହାର କରାଯିବ ଓ ରଥର ପ୍ରଭା, ଚକ, ଗୁଜ, ଅସୁଆରୀ ଆଦି ବିକି୍ର କରାଯିବ ବୋଲି ଭୋଇ ସର୍ଦ୍ଦାର ରବି ଭୋଇ ସୂଚନା ଦେଇଛନ୍ତି ।
ଦର୍ପଦଳନ ରଥ ସମ୍ପୂର୍ଣ୍ଣ ଭାଙ୍ଗିବାକୁ ଆହୁରି ୩ରୁ ୪ ଦିନ ସମୟ ଲାଗିବ ବୋଲି ସେ କହିଛନ୍ତି । ଅନ୍ୟପକ୍ଷରେ ଶ୍ରୀମନ୍ଦିର ପରମ୍ପରା ଅନୁଯାୟୀ, ଶ୍ରୀମନ୍ଦିର ପ୍ରଶାସନର ନିଦେ୍ର୍ଦଶ ମିଳିଲା ପରେ ଭୋଇ ସେବାୟତମାନେ ପ୍ରଥମେ ଦେବୀ ସୁଭଦ୍ରାଙ୍କ ରଥ ଭଙ୍ଗାକାମ ଆରମ୍ଭ କରିଥିଲା ବେଳେ ଏହା ପରେ ବଡ଼ଠାକୁର ବଳଭଦ୍ରଙ୍କ ତାଳଧ୍ୱଜ ରଥ ଓ ଶେଷରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନନ୍ଦିଘୋଷ ରଥ ଭଙ୍ଗାଯିବ ବୋଲି ଜଣାପଡ଼ିଛି । ବିଶେଷ ଭାବରେ ତିନି ରଥରେ ବ୍ୟବହାର ହୋଇଥିବା ଚକକୁ ଗୁଣ୍ଡିଚା ମନ୍ଦିରରେ ସଂରକ୍ଷିତ ଭାବରେ ରଖାଯିବ । ଯେଉଁ ଭକ୍ତମାନେ ରଥର କିଛି ଅଂଶ ନେବାକୁ ଚାହୁଁଥିଲେ ସେମାନେ ଶ୍ରୀମନ୍ଦିର କାର୍ଯ୍ୟାଳୟ ସହିତ ଯୋଗାଯୋଗ କରି ନେଇପାରିବେ । ତିନି ରଥରେ ବ୍ୟବହୃତ ହୋଇଥିବା କଣ୍ଟାକୁ କାହାରିକୁ ଦିଆଯାଇ ନାହିଁ । ସେହି କଣ୍ଟାକୁ କମାର ସେବାୟତମାନେ ନେଇଥା’ନ୍ତି । ଆସନ୍ତାବର୍ଷ ମହାପ୍ରଭୁଙ୍କ ରଥ ନିର୍ମାଣ ସମୟରେ ଏହି କଣ୍ଟାକୁ ବ୍ୟବହାର କରିଥାନ୍ତି ।
ସୂଚନାଥାଉକି, ମହାପ୍ରଭୁ ଶ୍ରୀଜଗନ୍ନାଥ ଶ୍ରୀଗୁଣ୍ଡିଚାରେ ଶ୍ରୀମନ୍ଦିରର ରନôସିଂହାସନକୁ ଛାଡ଼ି ନଅ ଦିନ ପର୍ଯ୍ୟନ୍ତ ଜନ୍ମବେଦୀରେ ଲୀଳା କରି ଶ୍ରୀମନ୍ଦିରକୁ ଫେରିଥିଲେ । ମାତ୍ର ଯିବା ସମୟରେ ମହାପ୍ରଭୁ ସାଙ୍ଗରେ ବଡ଼ ଭାଇ ବଳଭଦ୍ର ଓ ସାନ ଭଉଣୀ ଦେବୀ ସୁଭଦ୍ରାଙ୍କୁ ନେଇଥିଲେ । ହେଲେ ମହାପ୍ରଭୁ ସାଙ୍ଗରେ ମହାଲକ୍ଷ୍ମୀଙ୍କୁ ନ ନେଇଥିବାରୁ ମହାଲକ୍ଷ୍ମୀ ଜନ୍ମବେଦୀକୁ ଆସି ମହାପ୍ରଭୁଙ୍କୁ ସାଙ୍ଗରେ ନେଇ ଯିବାକୁ ବାଧ୍ୟ କରିଥିଲେ । କିନ୍ତୁ ମହାପ୍ରଭୁ ରାଜି ହୋଇ ନ ଥିଲେ । ପରେ ମହାଲକ୍ଷ୍ମୀ ମହାପ୍ରଭୁଙ୍କ ରଥକୁ ଭାଙ୍ଗି ଶ୍ରୀମନ୍ଦିରକୁ ଫେରି ଯାଇଥିଲେ । ବାହୁଡ଼ାରେ ମହାପ୍ରଭୁ ଶ୍ରୀମନ୍ଦିରକୁ ଫେରିବା ସହିତ ରଥ ଉପରେ ଅଗଣିତ ଭକ୍ତଙ୍କୁ ସୁନାବେଶରେ ଦର୍ଶନ ଦେଇଥିଲେ । ସମସ୍ତଙ୍କୁ ଅଧାରପଣା ଦେଇ ସନ୍ତୁଷ୍ଟ କରିବା ପରେ ମହାଲକ୍ଷ୍ମୀଙ୍କୁ ରସଗୋଲା ଖୁଆଇ ମାନଭଞ୍ଜନ କରି ରନôସିଂହାସନକୁ ବିଜେ କରିଥିଲେ । ତେଣୁ ଏହି ରଥ ଉପରେ ବିଶ୍ୱର ନିୟନ୍ତା ଯାଇଥିବାରୁ ଏହି ରଥର ଅତ୍ୟନ୍ତ ମହିମା ରହିଛି ।