ଘରେ ପଶୁଛି ଅଳିଆ ଆବର୍ଜନା
ଡ୍ରେନେଜ୍ ବ୍ୟବସ୍ଥା ନ ଥିବାରୁ ରାସ୍ତାରେ ପାଣି
ନରସିଂହପୁର (ଆପ୍ର): ନରସିଂହପୁର ବ୍ଲକ୍ ଅର୍ନ୍ତଗତ ଏକାଧିକ ପଞ୍ଚାୟତରେ ଡ୍ରେନେଜ ବ୍ୟବସ୍ଥା ନାହିଁ । ରାସ୍ତାରେ ପାଣିର ସୁଅ ଚାଲିଥିବାବେଳେ ଘରଗୁଡ଼ିକରେ ବର୍ଷାଜଳ ପସିବା ସହିତ ଅଳିଆ ଅବର୍ଜନା ପସୁଥିବା ଯୋଗୁଁ ବହୁ ଅସୁବିଧା ଦେଖାଦେଇଛି । ବ୍ଲକର ବାଲିଝରି ଗ୍ରାମର ମୁଖ୍ୟରାସ୍ତା ସହିତ ଏକାଧିକ ସାହିରେ ରାସ୍ତା ପାଶ୍ୱର୍ରେ ଡ୍ରେନ ନଥିବାରୁ ସବୁ ସମୟରେ ରାସ୍ତାରେ ପାଣି ଧାର ଲମ୍ବିଛି । ଏପରିକି ହାଟ ନିକଟରେ କିଛିଦିନ ତଳେ ଡ୍ରେନ୍ ହୋଇଥିଲା । ଏହି ଡ୍ରେନକୁ ଧୀରେ ଧୀରେ ଅଳିଆ ଆବର୍ଜନାରେ ପୋତି ହୋଇଯିବାରୁ ମୁଖ୍ୟରାସ୍ତାରେ ପାଣି ମାଡୁଛି । ଉକ୍ତ ଡ୍ରେନ୍କୁ ଲାଗି ଆବଶ୍ୟକ ଡ୍ରେନ୍ ନିର୍ମାଣ କରାଯାଉ ନଥିବାରୁ ଲୋକମାନେ ନାର୍ହି ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ବହୁ ସ୍ଥାନରେ ରାସ୍ତାର ସଂକିର୍ଣ୍ଣତା ଯୋଗୁଁ ମଧ୍ୟ ଡ୍ରେନ୍ ନିର୍ମାଣ କାର୍ଯ୍ୟ ହୋଇପାରୁ ନଥିବା ଭଳି ଅଭିଯୋଗ ସତ୍ତ୍ୱେ ପ୍ରଶାସନ କୈାଣସି ପ୍ରତିକାର ନାହିଁ । ସିଆରିଆର ମୁଖ୍ୟରାସ୍ତାରେ କିଛି ବ୍ୟକ୍ତି ନ୍ୟାଯ୍ୟ ସ୍ୱାର୍ଥକୁ ଆଖି ଆଗରେ ରଖି ପ୍ରାୟ ୪୦୦ ମିଟର ଡ୍ରେନ୍ ବ୍ୟବସ୍ଥା ହୋଇଛି । ମାତ୍ର ତାହା ପୋତି ହୋଇଯିବା ଫଳରେ ରାସ୍ତାରେ ପାଣିର ଧାର ଲମ୍ବିଛି ।
ସେହିପରି କାନପୁର ପଞ୍ଚାୟତ ସମ୍ମୁଖରେ ଥିବା ଡ୍ରେନ୍ ପୋତି ହୋଇଯାଇଥିବାରୁ ପାଣିର ସୁଅ ରାସ୍ତାରେ ଗତି କରୁଥିବା ଦେଖାଦେଇଛି । ଏଥିସହିତ ୩ ଓ ୪ ନମ୍ବର ୱାର୍ଡ ସମେତ ବିଭିନ୍ନ ସାହିରେ ସ୍ଥାୟୀ ଡ୍ରେନ୍ ନ ଥିବାରୁ ବର୍ଷା ହେଲା ମାତ୍ରେ ପାଣି ସବୁ ରାସ୍ତାରେ ଯିବାସହ ଲୋକମାନଙ୍କ ଘର ଭିତରେ ପାଣି ପସିବା ସହିତ ଅଳିଆ ଅବର୍ଜନା ପସିଥାଏ । ଯାହାଫଳରେ ଯିବା ଆସିବା ଅସୁବିଧା ହେବା ସହିତ ଛୋଟବଡ଼ ଦୁର୍ଘଟଣା ଘଟିଥାଏ । ବହୁ ସ୍ଥାନରେ ସରକାରୀ ଜାଗାକୁ ଜବରଦଖଲ କରିଥିବାରୁ ଡ୍ରେନ୍ ଥାଇ ମଧ୍ୟ କାମରେ ଆସୁନାହିଁ ତ କେଉଁଠି ଡ୍ରେନ୍ ନିର୍ମାଣ ହୋଇପାରୁ ନାହିଁ । ପ୍ରଶାସନ ଚାହିଁଲେ ମଧ୍ୟ ରାଜନୈତିକ ଚାପରେ କୈାଣସି ପଦକ୍ଷେପ ନେଇପାରୁନାହିଁ । ପ୍ରଶାସନ ପକ୍ଷରେ ତୁରନ୍ତ ଡ୍ରେନ୍ ନିର୍ମାଣ କରାଯାଇ ଡ୍ରେନେଜ ବ୍ୟବସ୍ଥା କରିବାକୁ ସାଧାରଣରେ ଦାବି ହୋଇଛି ।