ଯୁବପିଢ଼ି ମୂଳଦୁଆ ଭୁଲିବା ଅନୁଚିତ

ବିଦାୟୀ ରାଷ୍ଟ୍ରପତିଙ୍କ ସମ୍ବୋଧନ
ନୂଆଦିଲ୍ଲୀ (ଏଜେନ୍ସି): ଆସନ୍ତା କାଲି ଅର୍ଥାତ୍ ୨୫ ତାରିଖରେ ଦେଶର ୧୫ତମ ରାଷ୍ଟ୍ରପତି ଭାବେ ଦ୍ରୌପଦୀ ମୁର୍ମୁ ଶପଥ ଗ୍ରହଣ କରିବେ । ଶପଥ ଗ୍ରହଣ ସମାରୋହ ପାଇଁ ସବୁପ୍ରକାର ବନେ୍ଦାବସ୍ତ ପ୍ରକ୍ରିୟା ଶେଷ ହୋଇଛି । ତେବେ ଏହାର ଦିନକ ପୂର୍ବରୁ ଅର୍ଥାତ୍ ନିଜ କାର୍ଯ୍ୟକାଳର ଅନ୍ତିମ ଦିବସରେ ବିଦାୟୀ ରାଷ୍ଟ୍ରପତି ଭାବେ ଦେଶବାସୀଙ୍କ ନିଜ ବିଦାୟୀ ସମ୍ବୋଧନ ମାଧ୍ୟମରେ ସମ୍ବୋଧିତ କରିଛନ୍ତି ଶ୍ରୀ ରାମନାଥ କୋବିନ୍ଦ ।
ଶ୍ରୀ କୋବିନ୍ଦ ନିଜ ଅନ୍ତିମ ଭାଷଣରେ କହିଛନ୍ତି ଯେ, ଦେଶର ୧୪ତମ ରାଷ୍ଟ୍ରପତି ଭାବେ ସେ ନିଜ ଦାୟିତ୍ୱ ତଥା କର୍ତ୍ତବ୍ୟକୁ ସୁଚାରୁରୂପେ ନିର୍ବାହ କରିବାକୁ ଭରପୂର ଉଦ୍ୟମ କରିଛନ୍ତି । ତେବେ ସେ ନିଜ କାର୍ଯ୍ୟକାଳ ମଧ୍ୟରେ ଭାରତ, ଏବେ ଏକ ବିଂଶ ଶତାବ୍ଦୀକୁ ନିଜ ନାମରେ ନାମିତ କରିବା ଦିଗରେ ଯେଉଁ ପ୍ରଚେଷ୍ଟା ଜାରି ରହିଛି ତାହା ସଫଳ ହେବ ବୋଲି ଆତ୍ମବିଶ୍ୱାସ ଲାଭ କରିଛନ୍ତି । ଏକ ବିଂଶ ଶତାବ୍ଦୀ ସମ୍ପୂର୍ଣ୍ଣ ଭାବେ ଭାରତର ହେବ ଏହା ଏବେ ସମଗ୍ର ବିଶ୍ୱ ଦରବାର ସମ୍ମୁୂଖରେ ଏକ ଆଶା ରୂପେ ଉଭା ହୋଇଛି ବୋଲି ଶ୍ରୀ କୋବିନ୍ଦ କହିଛନ୍ତି ।
କୋବିନ୍ଦ କହିଛନ୍ତି, ଗତ ୫ବର୍ଷ ପୂର୍ବେ ଦେଶବାସୀ ତାଙ୍କୁ ଆଶିର୍ବାଦ ରୂପେ ଦେଶର ରାଷ୍ଟ୍ରପତି ଭାବେ ଚୟନ କରିଥିଲେ । ଏଥିପାଇଁ ସେ ସମସ୍ତ ଦେଶବାସୀଙ୍କ ନିକଟରେ ଚିରକୃତଜ୍ଞ ରହିବେ । ଏହି ଅବସରରେ ସେ ନିଜ ଗାଁ, ପାଠଶାଳୀ, ପିଲାଦିନର ବନ୍ଧୁଙ୍କ ସମ୍ପର୍କରେ ମଧ୍ୟ ସ୍ମୃତି ଚାରଣ କରିଥିଲେ । କୋବିନ୍ଦ ଦେଶର ଯୁବଗୋଷ୍ଠୀଙ୍କୁ ଏହି ମର୍ମରେ ପରାମର୍ଶ ଦେଇ କହିଛନ୍ତି ଯେ, ପ୍ରତ୍ୟେକ ଯୁବକ/ଯୁବତୀ କେବେହେଲେ ନିଜ ମୂଳଦୁଆକୁ ଭୁଲିଯିବା ଉଚିତ୍ ନୁହେଁ । ଯେଉଁଠୁ ସଭିଙ୍କର ପରିଚୟ ସୃଷ୍ଟି ହୋଇଛି, ଜୀବନର ଅନ୍ତିମ କ୍ଷଣ ପର୍ଯ୍ୟନ୍ତ ତାହା ସହ ସମ୍ପର୍କରେ ରହିବାକୁ ହେବ । ଏହା ଏକ ପରମ୍ପରା, ଏହାକୁ ପାଳନ କରିବା ଦ୍ୱାରା ଆଗାମୀ ପୀଢ଼ି ବେଶ୍ ଆତ୍ମବିଶ୍ୱାସୀ ହୋଇପାରିବେ ।
ସେହିପରି ଦେଶର ସ୍ୱାଧୀନତା ସଂଗ୍ରାମ ଏବଂ ସଂଗ୍ରାମୀଙ୍କ ସମ୍ପର୍କରେ ମଧ୍ୟ କୋବିନ୍ଦ ନିଜ ସମ୍ବୋଧନରେ କହିଛନ୍ତି । ଦେଶ ମାତୃକା ପାଇଁ ଜୀବନ ଦେଇଥିବା ପ୍ରତ୍ୟେକ ବୀର ସହିଦ୍ଙ୍କୁ କୋବିନ୍ଦ ପ୍ରଣାମ ଜଣାଇବା ପୂର୍ବକ ସେମାନଙ୍କ ତ୍ୟାଗ, ନିଷ୍ଠା ଏବଂ ଦେଶପ୍ରେମକୁ ଏହି ଜାତି କେବେ ଭୁଲିପାରିବ ନାହିଁ ବୋଲି କହିଛନ୍ତି । ଏତଦ୍ବ୍ୟତୀତ ଶ୍ରୀ କୋବିନ୍ଦ ଏହି ଅବସରରେ ଦେଶର ପୂର୍ବତନ ରାଷ୍ଟ୍ରପତିଙ୍କ ସ୍ମୃତି ଚାରଣ ମଧ୍ୟ କରିଥିଲେ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ତାଙ୍କ ସରକାର ତଥା ସଂସଦର ପ୍ରତ୍ୟେକ ସଦସ୍ୟଙ୍କ ପକ୍ଷରୁ ତାଙ୍କୁ ମିଳିଥିବା ସମ୍ମାନକୁ ସେ କେବେ ହେଲେ ଭୁଲିପାରିବେ ନାହିଁ ବୋଲି ଶ୍ରୀ କୋବିନ୍ଦ କହିଛନ୍ତି । ସଂସଦକୁ ଗଣତନ୍ତ୍ରର ମନ୍ଦିର ଭାବେ ଅଭିହିତ କରି କୋବିନ୍ଦ କହିଲେ ଯେ, ପ୍ରତ୍ୟେକ ପରିବାର ଭଳି ସଂସଦ ରୂପୀ ଏହି ମନ୍ଦିରରେ ମଧ୍ୟ ଭିନ୍ନମତ ଦେଖିବାକୁ ମିଳେ । କିନ୍ତୁ ଏହା ଏକ ସୁସ୍ଥ ପରିବେଶ ମଧ୍ୟରେ ହେବା ଉଚିତ୍ । ଦେଶର ସ୍ୱାର୍ଥରକ୍ଷା ପାଇଁ କାମ କରିବାକୁ ଆମ ସଭିଙ୍କର ସର୍ବପ୍ରାଥମିକତା ହେବା ଉଚିତ୍ । ଏତଦ୍ବ୍ୟତୀତ କୋବିନ୍ଦ, ବର୍ତ୍ତମାନ ସମୟରେ ସମଗ୍ର ବିଶ୍ୱ ସମ୍ମୁଖୀନ ହେଉଥିବା ଜଳବାୟୁ ପରିବର୍ତ୍ତନ, ପରିବେଶ ପ୍ରଦୂଷଣ, କରୋନା ମହାମାରୀ ଆଦି ଅନେକ ପ୍ରସଙ୍ଗରେ ନିଜ ମତ ବ୍ୟକ୍ତ କରିଥିଲେ । ଆମେ ଆମ ଉତ୍ତର ଦାୟାଦଙ୍କ ପାଇଁ ପରିବେଶ, ଭୂଭାଗ, ବାୟୁମଣ୍ଡଳ ଏବଂ ଜଳ ସମ୍ପଦଗୁଡ଼ିକୁ ସୁରକ୍ଷିତ ରଖିବା ଉଚିତ୍ ବୋଲି କୋବିନ୍ଦ କହିଛନ୍ତି । ନିଜ ଭାଷଣର ଅନ୍ତିମ ଭାଗରେ ଶ୍ରୀ କୋବିନ୍ଦ, ତାଙ୍କ ଉତ୍ତରାଧିକାରୀ ଭାବେ ଦାୟିତ୍ୱ ଗ୍ରହଣ କରିବାକୁ ଯାଉଥିବା ଦ୍ରୌପଦୀ ମୁର୍ମୁଙ୍କୁ ଶୁଭକାମନା ଜଣାଇଛନ୍ତି ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *