ଷ୍ଟେଥୋ ଧରି ଉଠିଆସିଲେ ତେଲେଙ୍ଗାନା ରାଜ୍ୟପାଳ

ସହଯାତ୍ରୀଙ୍କ ଜୀବନ ବଞ୍ଚାଇବା ପାଇଁ…
ଅମରାବତୀ(ଏଜେନ୍ସି): ମଝି ଆକାଶରେ ଜଣେ ସହଯାତ୍ରୀଙ୍କ ସ୍ୱାସ୍ଥ୍ୟାବସ୍ଥା ହଠାତ୍ ବିଗିଡ଼ିଯିବାକୁ ନେଇ ଯେତେବେଳେ ବିମାନରେ ଥିବା ସମସ୍ତ ଯାତ୍ରୀ ଭୟଭୀତ ହୋଇପଡିଥିଲେ ସେତେବେଳେ ଜଣେ ମଧ୍ୟବୟସ୍କା ମହିଳା ହଠାତ୍ ନିଜ ଭିଆଇପି ଆସନ ଛାଡି ଉଠି ଆସିଥିଲେ । ନିଜ ପରିଚୟ ଦେବା ବଦଳରେ ସେ ନିଜ ଷ୍ଟେଥୋସ୍କୋପ୍ ଜରିଆରେ ଉକ୍ତ ବ୍ୟକ୍ତିଙ୍କ ସ୍ୱାସ୍ଥ୍ୟାବସ୍ଥା ଯାଞ୍ଚ୍ କରିଥିଲେ ଏବଂ ପାଖରେ ବସି ଫାଷ୍ଟଏଡ୍ ସେବା ଯୋଗାଇଦେଇଥିଲେ । ଫଳରେ ଶ୍ୱାସକ୍ରିୟାରେ ଯନ୍ତ୍ରଣା ଅନୁଭବ କରୁଥିବା ଏହି ବ୍ୟକ୍ତିଜଣକ ତୁରନ୍ତ ସହଜ ମନେ କରିଥିଲେ ଏବଂ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ହୋଇପାରିଥିଲା । ଏହାଦେଖି ବିମାନରେ ଥିବା ସମସ୍ତ ଯାତ୍ରୀ ଉକ୍ତ ମହିଳାଙ୍କୁ ଧନ୍ୟବାଦ ଜଣାଇଥିଲେ । ତେବେ ପରବର୍ତ୍ତୀ ସମୟରେ ଜାଣିବାକୁ ମିଳିଥିଲା ଯେ ଏହି ମହିଳାଜଣକ ତେଲେଙ୍ଗାନାର ରାଜ୍ୟପାଳ ଡଃ ତମିଲିସାଇ ସୁନ୍ଦରରାଜନ୍ । ସେ ଦୀର୍ଘ ସମୟ ପର୍ଯ୍ୟନ୍ତ ପେଶାଦାର ଡାକ୍ତରୀ ବୃତ୍ତିରେ ବ୍ରତୀ ଥିଲେ । ଏବେ ମଧ୍ୟ ସେ ନିଜ ଖୁସି ପାଇଁ ଜନସାଧାରଣଙ୍କ ଚିକିତ୍ସା କରିଆସୁଛନ୍ତି । ଅନ୍ୟପକ୍ଷେ ସେ ବିମାନରେ ଯେଉଁ ବ୍ୟକ୍ତିଙ୍କ ଜୀବନ ବଞ୍ଚାଇଥିଲେ ସେ ମଧ୍ୟ ଜଣେ ଆଇପିଏସ୍ ଅଫିସର କୃପାନନ୍ଦ ତ୍ରିପାଠୀ ଉଜ୍ଜୈଲା । ଦିଲ୍ଲୀରୁ ହାଇଦ୍ରାବାଦ ଯାଉଥିବା ଇଣ୍ଡିଗୋ ବିମାନରେ ଏଭଳି ଘଟଣା ଘଟିଛି । ବିମାନରେ ଥିବା ଜଣେ ଯାତ୍ରୀ ଏସବୁ ଘଟଣାକୁ ନିଜ ମୋବାଇଲ୍ ଦ୍ୱାରା ଭିଡିଓଗ୍ରାଫି କରିଥିଲେ ଏବଂ ଏହାକୁ ସୋସିଆଲ ମିଡିଆରେ ଅପଲୋଡ୍ କରିଥିଲେ । ଏବେ ଏହା ଭାଇରାଲ୍ ହେବାରେ ଲାଗିଛି । ସେହିପରି ରାଜ୍ୟପାଳ ଡଃ ସୁନ୍ଦରରାଜନ୍ଙ୍କୁ ମଧ୍ୟ ଏବେ ଚାରିଆଡୁ ପ୍ରଶଂସାର ସୁଅ ଛୁଟିବାରେ ଲାଗିଛି ।
ଅନ୍ୟପକ୍ଷେ ବିମାନରେ ତାଙ୍କ ଜୀବନ ବଞ୍ଚାଇଥିବାରୁ ଆଇପିଏସ୍ ଅଫିସର୍ କୃପାନନ୍ଦ ତ୍ରିପାଠୀ ରାଜ୍ୟପାଳ ସୁନ୍ଦରାଜନ୍ଙ୍କୁ କୃତଜ୍ଞତା ଜଣାଇଛନ୍ତି । ବିମାନରୁ ଅବତରଣ କରିବା ପରେ ସମ୍ପ୍ରତି କୃପାନନ୍ଦ ଏକ ଘରୋଇ ମେଡିକାଲରେ ଭର୍ତ୍ତି ହୋଇଥିବା ଏବଂ ସେଠାରେ ସେ ଡେଙ୍ଗୁ ସଂକ୍ରମିତ ହୋଇପଡ଼ିଥିବା ଜାଣିବାକୁ ପାଇବା ପରେ ତାଙ୍କ ଚିକିତ୍ସା ଚାଲିଥିବା ସେ ନିଜେ ସୂଚନା ଦେଇଛନ୍ତି । କୃପାନନ୍ଦ ୧୯୯୪ ବ୍ୟାଚ୍୍ ଆଇପିଏସ୍ ଅଫିସର । ସେ ଆନ୍ଧ୍ରପ୍ରଦେଶ ପୁଲିସ୍ କ୍ୟାଡର ଭାବେ ଉତ୍ତୀର୍ଣ୍ଣ ହୋଇଥିଲେ । ସମ୍ପ୍ରତି ସେ ଆନ୍ଧପ୍ରଦେଶର ସଡ଼କ ନିରାପତ୍ତାର ଅତିରିକ୍ତ ଡିଜି ଭାବେ ନିଯୁକ୍ତି ପାଇଛନ୍ତି ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *