୨୧ଠଠ ସୁଦ୍ଧା ୪୧ କୋଟି ହ୍ରାସ ପାଇବ ଭାରତର ଜନସଂଖ୍ୟା

ଷ୍ଟାନ୍ଫୋର୍ଡର ଆଶ୍ଚର୍ଯ୍ୟଜନକ ରିପୋର୍ଟ
ନୂଆଦିଲ୍ଲୀ (ଏଜେନ୍ସି): ଚୀନ୍ ପରେ ବିଶ୍ୱରେ ଦ୍ୱିତୀୟ ସର୍ବବୃହତ୍ ଜନବହୁଳ ରାଷ୍ଟ୍ର ଭାବେ ମାନ୍ୟତା ପାଉଥିବା ଭାରତ ପାଇଁ ଆଗାମୀ ଦିନରେ ଏକ ବଡ଼ ବିପଦ ଦ୍ରୁତଗତିରେ ମାଡ଼ିଆସୁଛି । ଆଗାମୀ ୭୮ ବର୍ଷ ଅର୍ଥାତ୍ ବର୍ଷ ୨୧ଠଠ ସୁଦ୍ଧା ଭାରତର ଜନସଂଖ୍ୟା ୪୧ କୋଟି ପର୍ଯ୍ୟନ୍ତ ହ୍ରାସ ପାଇବ । ଜାତିସଂଘ ଜନସଂଖ୍ୟା ବିଭାଗ ‘ଷ୍ଟାନ୍ଫୋର୍ଡ’ ପକ୍ଷରୁ କରାଯାଇଥିବା ଏକ ଗବେଷଣା ଆଧାରରେ ପ୍ରସ୍ତୁତ ଷ୍ଟଡି ରିପୋର୍ଟରୁ ଏପ୍ରକାର କିଛି ଚାଞ୍ଚଲ୍ୟକର ତଥ୍ୟ ସାମ୍ନାକୁ ଆସିଛି । ଷ୍ଟାନ୍ଫୋର୍ଡ ଷ୍ଟଡି ରିପୋର୍ଟରେ ଦର୍ଶାଯାଇଛି ଯେ, ୧୪୧ କୋଟି ଜନସଂଖ୍ୟା ବିଶିଷ୍ଟ ଭାରତ, ବର୍ଷ ୨୧ଠଠ ସୁଦ୍ଧା ୧ଠଠ କୋଟି ଜନସଂଖ୍ୟାକୁ ଖସିଆସିବ ।
ଷ୍ଟାନ୍ଫୋର୍ଡ ରିପୋର୍ଟ ଅନୁସାରେ ଆଗାମୀ ବର୍ଷମାନଙ୍କରେ ଭାରତର ଜନସଂଖ୍ୟା ଧୀରେ ଧୀରେ ହ୍ରାସ ପାଇବାକୁ ଆରମ୍ଭ ହେବ । ଏହାର ପ୍ରଭାବ ଜନସଂଖ୍ୟା ଘନତ୍ୱ ଉପରେ ମଧ୍ୟ ପଡ଼ିବ । ଅଧିକ ଜନସଂଖ୍ୟା ବ୍ୟକ୍ତିଗତସ୍ତରରେ ସମ୍ବଳ ଅଭାବର ଏକ ପ୍ରମୁଖ କାରଣ ହୋଇପାରେ । ମାତ୍ର ଜନସଂଖ୍ୟା ହ୍ରାସ ସମ୍ବଳ ଅଭାବର ନିରାକରଣ କଦାପି ହୋଇପାରିବନି । ଜନସଂଖ୍ୟା ବୃଦ୍ଧି ବା ହ୍ରାସ ପାଇଲେ ସ୍ଥିର ହୋଇ ରହିଥିବା ଜନସାଧାରଣଙ୍କର ଜ୍ଞାନ ଓ ଜୀବନଧାରଣର ମାନ କ୍ରମଶଃ ଅପସରିଯାଏ । ତେବେ ଏଭଳି ହେବା କ୍ଷତିକାରକ । ଆଗାମୀ ବର୍ଷମାନଙ୍କରେ ଭାରତର ଜନବହୁଳତା ଉଲ୍ଲେଖଯୋଗ୍ୟ ଭାବେ ହ୍ରାସ ପାଇବ । ଷ୍ଟାନ୍ଫୋର୍ଡ ନିଜ ରିପୋର୍ଟରେ ଏହା ମଧ୍ୟ ଦର୍ଶାଇଛି ଯେ, ଜନସଂଖ୍ୟା ତୁଳନାରେ ଭାରତ ଓ ଚୀନ୍ ଏବେ ଏକସମାନ ମନେହେଉଥିଲେ ମଧ୍ୟ ଉଭୟ ଦେଶର ଜନବହୁଳତା ବା ସାନ୍ଦ୍ରତାରେ ଅନେକ ପାର୍ଥକ୍ୟ ରହିଛି । ସମ୍ପ୍ରତି ଭାରତରେ ପ୍ରତି ବର୍ଗ କିଲୋମିଟର ପିଛା ଅଞ୍ଚଳରେ ହାରାହାରି ୪୭୬ଜଣ ବସବାସ କରୁଥିବା ବେଳେ ଚୀନ୍ରେ ସମପରିମାଣର ସ୍ଥାନରେ ମାତ୍ର ୧୪୮ଜଣ ଲୋକ ବାସ କରନ୍ତି । ତେବେ ୨୧ଠଠ ମସିହା ବେଳକୁ ଭାରତର ଜନବହୁଳତା ପ୍ରତି ବର୍ଗ କିଲୋମିଟର ପିଛା ୩୩୫କୁ ଖସି ଆସିବ, ଯାହାକି ବିଶ୍ୱ ଜନସଂଖ୍ୟା ଘନତ୍ୱ ତୁଳନାରେ ଢ଼େର ଅଧିକ । ଅର୍ଥାତ୍ ବିଶ୍ୱ ଜନସଂଖ୍ୟା ଘନତ୍ୱ ତୁଳନାରେ ଭାରତରେ ଜନସଂଖ୍ୟା ଘନତ୍ୱ ଦ୍ରୁତଗତିରେ ହ୍ରାସ ପାଇବ ।
ତେବେ କେବଳ ଭାରତ ନୁହେଁ, ଏହି ସମୟ ସୁଦ୍ଧା ଅର୍ଥାତ୍ ବର୍ଷ ୨୧ଠଠ ବେଳକୁ ଚୀନ୍, ଆମେରିକା ଆଦି ଦେଶରେ ମଧ୍ୟ ଜନସଂଖ୍ୟା ହ୍ରାସର ପ୍ରକ୍ରିୟା ଦେଖିବାକୁ ମିଳିବ । ଆଗାମୀ ୭୮ ବର୍ଷ ମଧ୍ୟରେ ଚୀନ୍ରେ ଜନସଂଖ୍ୟା ୯୩.୨ କୋଟି ହ୍ରାସ ପାଇବା ସହ ୪୯.୪ କୋଟିରେ ସୀମିତ ରହିବା ନେଇ ଆକଳନ କରାଯାଉଛି । ତେବେ ଏସବୁ ପ୍ରଜନନ ହାର ହ୍ରାସକୁ ଦୃଷ୍ଟିରେ ରଖି ଷ୍ଟାନ୍ଫୋର୍ଡ ପକ୍ଷରୁ ଆକଳନ କରାଯାଇଛି । ଷ୍ଟାନ୍ଫୋର୍ଡର ବିଶେଷଜ୍ଞଙ୍କ ଅନୁସାରେ ୨ଠ୫ଠ ପର୍ଯ୍ୟନ୍ତ ମୋଟ ପ୍ରଜନନ କ୍ଷମତା ଠ.୫ ରହିପାରେ । ସମ୍ପ୍ରତି ଭାରତରେ ଜଣେ ମହିଳା ପିଛା ଜନ୍ମହାର ୧.୭୬ ରହିଥିବା ବେଳେ ୨ଠ୩୨ ବେଳକୁ ଏହା ୧.୩୯%କୁ ଏବଂ ୨ଠ୫୨ ବେଳକୁ ଏହି ହାର ଧୀରେ ଧୀରେ କରି ୧.୨୮%କୁ ହ୍ରାସ ପାଇବ । ସେହିପରି ୨ଠ୮୨ ବେଳକୁ ଏହା ୧.୨% ଏବଂ ୨୧ଠଠ ବେଳକୁ ଏହି ହାର ୧.୧ଠ%କୁ ଖସିବା ଅସମ୍ଭବ ନୁହେଁ ବୋଲି ବିଶେଷଜ୍ଞମାନେ ଆକଳନ ଲଗାଇଛନ୍ତି ।
ପ୍ରକାଶ, ଯେତେବେଳେ ସମଗ୍ର ବିଶ୍ୱର ପ୍ରଗତିଶୀଳ ଦେଶଗୁଡ଼ିକରେ ଜନସଂଖ୍ୟା ହ୍ରାସ ପାଇବା ଭଳି ସଂକଟ ସୃଷ୍ଟି ହୋଇଛି ସେତେବେଳେ କଙ୍ଗୋ, ଇଜିପ୍ଟ, ଇଥିଓପିଆ, ଏବଂ ନାଇଜେରିଆ ଭଳି ଆଫ୍ରିକୀୟ ଦେଶଗୁଡ଼ିକରେ ଜନସଂଖ୍ୟା ହାର ବୃଦ୍ଧି ପାଇବା ଆଶା ସଞ୍ଚାର ହୋଇଥିବା ଷ୍ଟାନ୍ଫୋର୍ଡ ରିପୋର୍ଟରେ ଦର୍ଶାଯାଇଛି ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *