ଗଞ୍ଜାମରେ ବ୍ୟାପୁଛି ବାସନ୍ଦ ବ୍ୟାଧି
ଛତ୍ରପୁର (ଆପ୍ର): ଗଞ୍ଜାମ ଜିଲ୍ଲାର ବିଭିନ୍ନ ଗ୍ରାମାଞ୍ଚଳରେ ସାମାଜିକ ବାସନ୍ଦ ପ୍ରଥା ଏବେ ମହାବ୍ୟାଧିର ରୂପ ନେଲାଣି । ପ୍ରତିଦିନ ବିଭିନ୍ନ ଗାଁରୁ ଏଭଳି ଘଟଣା ସାମ୍ନାକୁ ଆସିବାରେ ଲାଗିଥିବା ବେଳେ ଜରିମାନା, ଧମକ, ଗାଁ ଛାଡ଼ିବା ଓ ହିଂସା ବି ଘଟୁଛି । ଫଳରେ ଜିଲ୍ଲା ପୁଲିସ ପାଇଁ ଏହା ବର୍ତ୍ତମାନ ମୁଣ୍ଡବ୍ୟଥାର କାରଣ ପାଲଟିଛି । ଗାଁ କମିଟି କିମ୍ବା କୂଳ ସମାଜ ଦ୍ୱାରା ବାସନ୍ଦ ହୋଇ ନିର୍ଯାତିତ ଗ୍ରାମବାସୀ ନ୍ୟାୟ ପାଇବା ଆଶାରେ ପୁଲିସ ପଦାଧିକାରୀଙ୍କ ଦ୍ୱାରସ୍ଥ ହେଉଛନ୍ତି । ଏମିତି ପୁଣି ଏକ ଘଟଣା ଦେଖିବାକୁ ମିଳିଛି ପାଲିଆ ଛତ୍ରପୁରରେ ।
ପୃଥକ ଭାବେ ତିନୋଟି ପରିବାର ପକ୍ଷରୁ ଥାନାରେ ଏତଲା ଦେଇଛନ୍ତି । ସେହି ଗାଁର କିଛି ଲୋକଙ୍କ ନାମରେ ସିଧାସଳଖ ଅଭିଯୋଗ ଆଣିଛନ୍ତି ଯେ କୂଳ ନାଁରେ ଛୋଟ ଛୋଟ କଥାରେ ହସ୍ତକ୍ଷେପ କରି ବଳପୂର୍ବକ ହଜାର ହଜାର ଟଙ୍କା ଜରିମାନା ଆଦାୟ କରୁଛନ୍ତି ଏବଂ ଏହି ଟଙ୍କାକୁ ହଡ଼ପ କରି ଆତ୍ମସାତ କରୁଛନ୍ତି । ଏଭଳି ଅମାନୁଷିକ ଆଚରଣକୁ ବିରୋଧ କଲେ ମିଳୁଛି ହତ୍ୟା ଧମକ; ନଚେତ ମୋଟା ଅଙ୍କର ଜରିମାନା ତ ନହେଲେ ନିଅାଁ ପାଣି ବାସନ୍ଦ ଦଣ୍ଡ । ଏହା ସହ ବାସନ୍ଦ ପରିବାରର ସଦସ୍ୟଙ୍କ ସହ କଥା ହେଲେ ମଧ୍ୟ ଜରିମାନା ଆଦାୟ କରୁଛନ୍ତି ବୋଲି ଅନ୍ୟ ଦୁଇ ଜଣ ଏତଲାରେ ଦର୍ଶାଇଛନ୍ତି । ଏଣୁ ତୁରନ୍ତ ଏହି ବାସନ୍ଦ ପ୍ରଥାକୁ ଉଠାଇ ନ୍ୟାୟ ପ୍ରଦାନ କରିବାକୁ ଥାନାର ଦ୍ୱାରସ୍ଥ ହୋଇଛନ୍ତି ପାଲିଆ ଛତ୍ରପୁରର କିଛି ପରିବାର ।
ପୁଲିସ ପକ୍ଷରୁ ସାମାଜିକ ବାସନ୍ଦ ସଚେତନତା
ଛତ୍ରପୁର(ଆପ୍ର): ସମାଜରେ ହେଉଥିବା ସାମାଜିକ ବାସନ୍ଦ ବ୍ୟାଧିରୁ ଦୂରେଇ ରହିବା ପାଇଁ ଛତ୍ରପୁର ଥାନା ଅଧିକାରୀ ସତ୍ୟରଞ୍ଜନ ପ୍ରଧାନଙ୍କ ଅଧ୍ୟକ୍ଷତାରେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଛି । ଏଥିରେ ବିଭିନ୍ନ ଅଭିଯୋଗକୁ ଭିତ୍ତିକରି ଲୋକମାନଙ୍କ ସହ ଏକ ସୁସ୍ଥ ବାତାବରଣରେ ଆଲୋଚନା କରି ସମାଜର ପ୍ରତ୍ୟେକ ବ୍ୟକ୍ତି ଯେଭଳି ଭାବରେ ସମସ୍ତ ପ୍ରକାର ମୌଳିକ ସୁବିଧା ପାଇପାରିବେ ସେଥିପ୍ରତି ଆଲୋକପାତ କରିଥିଲେ । ଯଦି କୌଣସି ସମସ୍ୟା ହୁଏ ତେବେ ଜନସାଧାରଣ ସିଧାସଳଖ ପୁଲିସ ସହ ଯୋଗାଯୋଗ କରିବା ପାଇଁ ଉପଦେଶ ଦେଇଥିଲେ । ବୈଠକରେ ବିଭିନ୍ନ ଗ୍ରାମର ମୁଖିଆ ଏବଂ ଗ୍ରାମବାସୀ ଅଂଶ ଗ୍ରହଣ କରିଥିଲେ । ଥାନା ପକ୍ଷରୁ ସେକେଣ୍ଡ ଅଫିସର ବିନୟ କୁମାର ଦାଶ ଏବଂ ସୁରଞ୍ଜନ ରାଉତ ପରିଚାଳନା କରିଥିଲେ ।