ସ୍ଥାୟୀ ଉପନିବନ୍ଧକ ନିଯୁକ୍ତି ଦାବି

୪ ବର୍ଷ ହେବ ଖାଲି ପଡ଼ିଛି ପଦବୀ
ନାଉଗାଁ (ଆପ୍ର): ଦୀର୍ଘ ୪ ବର୍ଷ ହେବ ନାଉଗାଁ ଉପ-ନିବନ୍ଧକ କାର୍ଯ୍ୟାଳୟରେ ଉପନିବନ୍ଧକ ପଦବୀ ଖାଲି ପଡିଛି । ଏହି କାର୍ଯ୍ୟାଳୟରେ କାମ ଚଳାଇବାକୁ ଅସ୍ଥାୟୀ ଭାବେ ଉପ-ନିବନ୍ଧକ ରହୁଥିବା ଜଣାଯାଇଛି । ସୂଚନା ଯୋଗ୍ୟ ୨୦୧୮ ସେପ୍ଟମ୍ବରରେ ମହେଶ୍ୱର ବେହେରା ଉପନିବନ୍ଧକ ଭାବେ କାର୍ଯ୍ୟ କରୁଥିଲେ । ତାଙ୍କର ଅନ୍ୟତ୍ର ବଦଳି ପରେ ଏହି ପଦବୀଟି ଖାଲି ପଡିଛି । ପରେ ତହସିଲ କାର୍ଯ୍ୟାଳୟର ଅତିରିକ୍ତ ତହସିଲଦାର ନେତ୍ରାନନ୍ଦ ବେହେରା ଦାୟିତ୍ୱ ଗ୍ରହଣ କରିଥିଲେ । ଗତ ୩୦ ଜୁନ୍‌ରେ ଅତିରିକ୍ତ ତହିସଲଦାର ନେତ୍ରାନନ୍ଦ ବେହେରା ଅବସର ଗ୍ରହଣ କରିଛନ୍ତି । ଶ୍ରୀ ବେହେରା ଅବସର ନେବା ପରେ ତହସିଲଦାର ଜେ.କଳ୍ପନାଙ୍କୁ ଏହି କାର୍ଯ୍ୟାଳୟର ଦାୟିତ୍ୱ ପ୍ରଦାନ କରାଯାଇଛି । ତହସିଲଦାର ସପ୍ତାହକୁ ୩ ଦିନ ସୋମ, ବୁଧ ଓ ଶୁକ୍ରବାର ଦେବୀଦୋଳସ୍ଥିତ ଉପ-ନିବନ୍ଧକ କାର୍ଯ୍ୟାଳୟକୁ ଯାଉଛନ୍ତି । ଯାହାଫଳରେ ତହସିଲ କାର୍ଯ୍ୟରେ ବାଧା ସୃଷ୍ଟି ହେଉଛି । ତହସିଲ ଓ ଉପନିବନ୍ଧକ ୨ଟି ଯାକ କାର୍ଯ୍ୟାଳୟ ସରକାରଙ୍କର ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟାଳୟ ହୋଇଥିବା ବେଳେ ଜଣେ ଅଧିକାରୀ ଉଭୟ ଦାୟିତ୍ୱରେ ରହିଛନ୍ତି ।
ଉପନିବନ୍ଧକ କର୍ଯ୍ୟାଳୟରେ ପ୍ରତ୍ୟେହ ଜମିବାଡି କିଣା ବିକା, ବିବାହ ଆଦି ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ହେଉଥିବା ବେଳେ ହଠାତ୍‌ କିଛି କାର୍ଯ୍ୟ ପଡିଲେ ତାହା କରିହେବ ନାହିଁ । କେବଳ ସପ୍ତାହକୁ ୩ ଦିନ କାର୍ଯ୍ୟାଳୟରେ କାର୍ଯ୍ୟ କରିହେବ ବୋଲି ଜଣାଯାଇଛି । ସେହିପରି ବିଭିନ୍ନ ପ୍ରମାଣପତ୍ର, ଜମିବାଡି ସଂକ୍ରାନ୍ତୀୟ କାଗଜପତ୍ର ତହସିଲ କାର୍ଯ୍ୟାଳୟରେ ହେଉଥିବା ବେଳେ ତହସିଲଦାର ଉଭୟ ଦାୟିତ୍ୱରେ ରହୁଥିବାରୁ ଜନସାଧାରଣଙ୍କୁ ଅସୁବିଧାର ସମ୍ମୁଖୀନ ହେବାକୁ ପଡୁଥିବା ଗଜରାଜପୁର ପଞ୍ଚାୟତର ପୂର୍ବତନ ସରପଞ୍ଚ ଆର୍ତତ୍ରାଣ ଦାସ, ସମାଜସେବୀ ତୁଷାରକାନ୍ତ ମହାନ୍ତି, ନବନିର୍ମାଣ କୃଷକ ସଂଗଠନର ଜିଲ୍ଲା ସହ ସଂଯୋଜକ ଅଶୋକ ସ୍ୱାଇଁ, କମ୍ରେଡ ସୁବାସ ସ୍ୱାଇଁ, ସମାଜସେବୀ ପ୍ରସନ୍ନଜିତ ସାହୁ, ରାଜେଶ ପ୍ରଧାନ କହିଛନ୍ତି । ତେଣୁ ଉପନିବନ୍ଧକ କାର୍ଯ୍ୟାଳୟରେ ସ୍ଥାୟୀ ଉପନିବନ୍ଧକ ଅବସ୍ଥାପିତ କରିବା ପାଇଁ ସ୍ଥାନୀୟ ବାସିନ୍ଦା ଦାବି କରିଛନ୍ତି ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *