ଟିକିରିରେ ସ୍ୱାସ୍ଥ୍ୟମନ୍ତ୍ରୀଙ୍କ କଲେରା ସ୍ଥିତି ସମୀକ୍ଷା
ଭୁବନେଶ୍ୱର (ବୁ୍ୟରୋ): ରାୟଗଡ଼ା ଜିଲ୍ଲା ଟିକିରିରେ ଶନିବାର କଲେରା ସ୍ଥିତିର ଅନୁଧ୍ୟାନ କରିଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ ନବ କିଶାର ଦାସ । ଉଷାପଡ଼ା, ଟିକିରି ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର ସହ ମନ୍ତ୍ରୀ କଲେରା ପ୍ରଭାବିତ ଅଞ୍ଚଳ ଟିକିରି ଝାଡ଼ିଆ ସାହି, ଦୁଡୁକାବାହାଲ ଗସ୍ତ କରି ଆକ୍ରାନ୍ତ ଓ ମୃତକଙ୍କ ପରିବାର ଲୋକଙ୍କ ସହ ଆଲୋଚନା କରିଛନ୍ତି । ସ୍ଥିତି ନିୟନ୍ତ୍ରଣ ପାଇଁ ଅଧିକ ମୋବାଇଲ ହେଲ୍ଥ ଟିମ ମୁତୟନ କରିବାକୁ ସ୍ୱାସ୍ଥ୍ୟମନ୍ତ୍ରୀ ନିଦେ୍ର୍ଦଶ ଦେଇଛନ୍ତି । ବର୍ତ୍ତମାନ ୮ଟି ମୋବାଇଲ ହେଲ୍ଥ ଟିମ୍ ଗାଁ ଗାଁକୁ ବୁଲି ଚିକିତ୍ସା ସେବା ଯୋଗାଉ ଥିବାବେଳେ କଲେରା ନିୟନ୍ତ୍ରଣକୁ ଆସିବା ପରେ ମଧ୍ୟ ୨ଟି ମୋବାଇଲ ଟିମ୍ ପ୍ରଭାବିତ ଅଞ୍ଚଳରେ ନିୟମିତ ସ୍ୱାସ୍ଥ୍ୟସେବା ଯୋଗାଇବାକୁ ସ୍ୱାସ୍ଥ୍ୟମନ୍ତ୍ରୀ ନିଦେ୍ର୍ଦଶ ଦେଇଛନ୍ତି । ଏଥିସହ ସମସ୍ତ ଗ୍ରାମକୁ ବିଶୁଦ୍ଧ ପାନୀୟ ଜଳ ଯୋଗାଣ ଓ ପରିମଳ ବ୍ୟବସ୍ଥା ସୁଧାରିବା ଉପରେ ଗୁରୁତ୍ୱାରୋପ କରିଛନ୍ତି ।
କାଶୀପୁରରେ ବ୍ୟାପିଥିବା କଲେରା ନିୟନ୍ତ୍ରଣ ପାଇଁ ତ୍ୱରିତ ପଦକ୍ଷେପ ନେବାକୁ ମୁଖ୍ୟମନ୍ତ୍ରୀ ନିଦେ୍ର୍ଦଶ ଦେବା ସହ କାଶୀପୁରର ବିକାଶକୁ ସବୁବେଳେ ଗୁରୁତ୍ୱ ଦେଉଛନ୍ତି ବୋଲି ମନ୍ତ୍ରୀ ଶ୍ରୀ ଦାସ କହିଛନ୍ତି । କାଶୀପୁର, ଟିକିରି ମେଡିକାଲରେ ଖାଲି ପଡିଥିବା ଡାକ୍ତରୀ ପଦବି ପୂରଣ କରିବା ପାଇଁ ସ୍ଥାନୀୟ ଅଞ୍ଚଳବାସୀ ମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ବାରମ୍ବାର ଦାବି ପରେ ବି ଡାକ୍ତର ପଦବି ପୂରଣ ହେଉନଥିବାରୁ ଜରୁରି ଚିକିତ୍ସା ନ ପାଇ ଲୋକେ ଅକାଳରେ ମୃତୁ୍ୟବରଣ କରିବା ସହ ଗୁରୁତର ଅବସ୍ଥାରେ ଚିକିତ୍ସା ପାଇଁ ଆନ୍ଧ୍ର ଉପରେ ନିର୍ଭର କରୁଛନ୍ତି । ଖୁବଶୀଘ୍ର ଡାକ୍ତର ପଦବୀ ପୂରଣ ସହ ଆଗାମୀ ଦିନରେ ଯେମିତି ଆଉ କଲେରା ନ ବ୍ୟାପିବା ଦିଗରେ ପଦକ୍ଷେପ ନିଆଯାଉଛି ବୋଲି ମନ୍ତ୍ରୀ କହିଥିଲେ । ପ୍ରଭାବିତ ଅଞ୍ଚଳ ଓ ମେଡିକାଲ ଗସ୍ତ ପରେ ମନ୍ତ୍ରୀ ସ୍ୱାସ୍ଥ୍ୟ ବିଭାଗ କର୍ତ୍ତୃପକ୍ଷ ଓ ଜିଲ୍ଲା ପ୍ରଶାସନର ବରିଷ୍ଠ ଅଧିକାରୀଙ୍କ ସହ କଲେରା ନିୟନ୍ତ୍ରଣ ପାଇଁ ନିଆଯାଇଥିବା ପଦକ୍ଷେପ ସମ୍ପର୍କରେ ସମୀକ୍ଷା କରିଥିଲେ । ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ସହ ଅନୁସୂଚିତ ଜାତି ଓ ଜନଜାତି କଲ୍ୟାଣ ମନ୍ତ୍ରୀ ଜଗନ୍ନାଥ ସାରାକା, ରାୟଗଡ଼ା ବିଧାୟକ ମକରନ୍ଦ ମୁଦୁଲି, ଜିଲ୍ଲାପାଳ ସ୍ୱଧାଦେବ ସିଂ, ସ୍ୱାସ୍ଥ୍ୟ ନିଦେ୍ର୍ଦଶକ ଡା. ନିରଞ୍ଜନ ମିଶ୍ର ପ୍ରମୁଖ ସ୍ଥିତି ଅନୁଧ୍ୟାନ କରିଥିଲେ ।
ଅନ୍ୟପଟେ ରାୟଗଡ଼ା ଓ କୋରାପୁଟ ଜିଲ୍ଲା ପରେ ଏବେ ନବରଙ୍ଗପୁରରେ ଝାଡ଼ାବାନ୍ତି ବ୍ୟାପିଥିବା ପରିଲିକ୍ଷିତ ହୋଇଛି । ନବରଙ୍ଗପୁର ଜିଲ୍ଲାର ନନ୍ଦାହାଣ୍ଡି ବ୍ଲକ ଖଡ଼ିଆଗୁଡା ଗ୍ରାମରେ ଝାଡ଼ାବାନ୍ତି ସ୍ଥିତି ଅଣାୟତ ହେବାରେ ଲାଗିଛି । ଗ୍ରାମର ଥବିର ମାଝୀ ନାମକ ବୃଦ୍ଧ ଆଖି ବୁଜି ସାରିଥିବାବେଳେ ମୋଟ ୧୬ ଜଣ ଏଥିରେ ଆକ୍ରାନ୍ତ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୨ ଜଣଙ୍କ ଅବସ୍ଥା ଗୁରୁତର ଅଛି । ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇଥିବା ଥବିରଙ୍କୁ ଦୁଇ ଦିନ ପୂର୍ବେ ନନ୍ଦାହାଣ୍ଡି ଗୋଷ୍ଠି ସ୍ୱାସ୍ଥ୍ୟକେନ୍ଦ୍ରରେ ଚିକିତ୍ସିତ ହେବା ପାଇଁ ଭର୍ତ୍ତି କରାଯାଇଥିଲା । ଚିକିତ୍ସାଧୀନ ଅବସ୍ଥାରେ ତାଙ୍କ ମୃତୁ୍ୟ ହୋଇଥିଲା । ଖବର ପାଇ ଗ୍ରାମରେ ଏକ ମେଡିକାଲ ଟିମ୍ ପହଞ୍ଚô ଘରକୁ ଘର ବୁଲି ସ୍ଥିତି ଅନୁଧ୍ୟାନ କରୁଛନ୍ତି । ଏଥିସହ ଗ୍ରାମରେ ଏକ ମିନି ହେଲଥ୍ କ୍ୟାମ୍ପ କରାଯାଇ ଲୋକଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରାଯାଉଛି ।
ସେହିପରି ଗୁରୁତର ଥିବା ୨ ଜଣ ଆକ୍ରାନ୍ତଙ୍କୁ ତେନ୍ତୁଳିଖୁଣ୍ଟି, ନବରଙ୍ଗପୁର ମେଡିକାଲରେ ଭର୍ତ୍ତି କରାଯାଇଛି । ଅନ୍ୟମାନଙ୍କ ସ୍ୱାସ୍ଥ୍ୟାବସ୍ଥା ଉପରେ ନଜର ରଖାଯାଇଛି । ଏବେ ବର୍ଷା ଦିନେ ବିଭିନ୍ନ ସ୍ଥାନରେ ପାଣି ଜମି ରହୁଥିବାରୁ ଗାଁରେ ବ୍ଲିଚିଂ ପାଉଡ଼ର ସିଞ୍ଚନ କରାଯାଉଛି । ପାଣିର ସାମ୍ପଲ ପରୀକ୍ଷା ପାଇଁ ପଠାଯାଇଛି ।