ମହଙ୍ଗା ପଡ଼ିଲା ମୃତ ବ୍ୟକ୍ତିଙ୍କ ନାଁରେ ଜମି ବିକି୍ର
କେନ୍ଦୁଝର (ଆପ୍ର): ମୃତ ବ୍ୟକ୍ତିଙ୍କ ଜମି ବିକି୍ର ଘଟଣାରେ କେନ୍ଦୁଝର ସବ୍ରେଜିଷ୍ଟ୍ରାରଙ୍କୁ କାର୍ଯ୍ୟରୁ ଅନ୍ତର କରାଯିବା ସହ ସବ୍ରେଜିଷ୍ଟ୍ରାର ଥିବା ଗାୟତ୍ରୀ ସୋରେନଙ୍କୁ ସ୍ୱତନ୍ତ୍ର-ଭୂ ଅର୍ଜନ କାର୍ଯ୍ୟାଳୟକୁ ବଦଳି କରାଯାଇଛି । ଜିଳ୍ଲାପାଳଙ୍କ କାର୍ଯ୍ୟାଳୟର ଡେପୁଟି କଲେକ୍ଟର ଶିବବ୍ରତ ତ୍ରିପାଠୀଙ୍କୁ ଏହାର ଅତିରିକ୍ତ ଦାୟିତ୍ୱ ପ୍ରଦାନ କରାଯାଇଛି । ମୃତ ବ୍ୟକ୍ତିଙ୍କ ନାମରେ ଜମି କବଲା କରିବା ସବ୍ରେଜିଷ୍ଟ୍ରାର ଗାୟତ୍ରୀ ସୋରେନଙ୍କ ପାଇଁ ମହଙ୍ଗା ହୋଇଛି । ନିଜେ ଅଡୁଆରେ ପଡ଼ିବା ପରେ ଗାୟତ୍ରୀ ଜାଲ କାଗଜପତ୍ର ଦେଇ ଜମି ବିକ୍ରି କରିଥିବା ଲୋକଙ୍କ ନାମରେ ଟାଉନ ଥାନାରେ ଏତଲା ଦେଇଛନ୍ତି ।
ଅଭିଯୋଗରୁ ଜଣାଯାଇଛି, କେନ୍ଦୁଝର ସହର ମାଧପୁରରେ ରହୁଥିବା ସ୍ନେହଲତା ବାରିକଙ୍କ ଶ୍ୱଶୁର ସ୍ୱର୍ଗତ ଦାମୋଦର ବାରିକ । ଦାମୋଦରଙ୍କ ତିନି ଭାଇ ହେଉଛନ୍ତି ପୂର୍ଣ୍ଣଚନ୍ଦ୍ର ବାରିକ, ଶ୍ୟାମସୁନ୍ଦର ବାରିକ ଏବଂ ଭୋଳାନାଥ ବାରିକ । ଏମାନେ ସମସ୍ତେ ମୃତ । ଏମାନଙ୍କ ନାମରେ କେନ୍ଦୁଝର ସଦର ତହସିଲ୍ ଅନ୍ତର୍ଗତ ମାଗୁରଗାଡ଼ିଆ-ଶିରିପୁରରେ ଥାନା ନମ୍ବର-୧୫୭ରେ ୫୩ ଡିସିମିଲ ଜମି ରହିଛି । ସେହିପରି ଆଟୋପୁର ବଡ଼ପୋଖରୀ ତଳେ ଖାତା ନମ୍ବର-୩୯୯ରେ ୩ ଏକର ଜମି ରହିଛି । ପୂର୍ଣ୍ଣଚନ୍ଦ୍ର, ଶ୍ୟାମସୁନ୍ଦର ଓ ଭୋଳାନାଥଙ୍କ ବହୁ ପୂର୍ବରୁ ମୃତୁ୍ୟ ହୋଇଥିବାବେଳେ ଦାମୋଦରଙ୍କ ଗତ ମାର୍ଚ୍ଚ ୧୧ ତାରିଖରେ ମୃତୁ୍ୟ ହୋଇଛି । ମାତ୍ର ଉକ୍ତ ଜମିର ଅନ୍ୟ ଅଂଶୀଦାର ସ୍ୱର୍ଗତ ଭୋଳାନାଥ ବାରିକଙ୍କ ଦୁଇ ପୁଅ ବିଜୟ ବାରିକ, ଅଶୋକ ବାରିକ, ସ୍ୱର୍ଗତ ଦାମୋଦର ବାରିକଙ୍କ ବଡ଼ପୁଅ ଭରତ ଚନ୍ଦ୍ର ବାରିକ ଏହି ଜମିକୁ ଏପ୍ରିଲ ୨୫ ତାରିଖରେ ବିକି୍ର କରିଛନ୍ତି । ଜମିକୁ ବିକି୍ର କରିବାକୁ ୭ଟି ଦଲିଲ୍ ପ୍ରସ୍ତୁତ କରାଯାଇଛି । ସବୁଠୁ ବଡ଼ କଥା ହେଉଛି, ଦାମୋଦରଙ୍କ ମାର୍ଚ୍ଚ ମାସ ୧୧ ତାରିଖରେ ମୃତୁ୍ୟ ହୋଇଥିବା ବେଳେ ଏପ୍ରିଲ ୨୬ ତାରିଖରେ ତାଙ୍କ ଜମି ବିକି୍ର କରାଯାଇଛି । ଏନେଇ ଦାମୋଦରଙ୍କ ସାନପୁଅ ସନ୍ତୋଷ ଜାଣି ନ ଥିଲେ ।
ଏ ସଂପର୍କରେ ଦାମୋଦରଙ୍କ ବୋହୂୂ ତଥା ସନ୍ତୋଷଙ୍କ ପତ୍ନୀ ସ୍ନେହଲତା ସବ୍ରେଜିଷ୍ଟ୍ରାର ଗାୟତ୍ରୀ ସୋରେନ, ମୁଖ୍ୟ କିରାଣି ମନୋରଞ୍ଜନ ଜେନା ନାମରେ ଟାଉନ ଥାନାରେ ଅଭିଯୋଗ କରିଛନ୍ତି । କ୍ଷମତାର ଅପବ୍ୟବହାର କରି ଜମି ବିକି୍ର କରିବାରେ ଏହି ଅଧିକାରୀ ସହଯୋଗ କରିଛନ୍ତି ବୋଲି ସ୍ନେହଲତା ଥାନାରେ ଅଭିଯୋଗ କରିଛନ୍ତି । ଏହି ଅଭିଯୋଗ ପାଇବା ପରେ ଜିଲ୍ଲାପାଳ ଗୁରୁବାର ଦିନ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି । ଜମି କେଳେଙ୍କାରୀ ମାମଲାରେ ବଲାଙ୍ଗିର ଉପନିବନ୍ଧକ କାର୍ଯ୍ୟାଳୟର ମୁଖ୍ୟ କିରାଣି ସମେତ ଅନ୍ୟ ୪ ଜଣଙ୍କୁ ଗିରଫ କରିଥିବାବେଳେ ଏ କ୍ଷେତ୍ରରେ ଟାଉନ ପୁଲିସ କି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛି ତାହା ଦେଖିବାକୁ ବାକି ରହିଲା । କେନ୍ଦୁଝର ଉପନିବନ୍ଧକ କାର୍ଯ୍ୟାଳୟର କେତେକ କରିତକର୍ମା କିରାଣୀ ଙ୍କୁ ଗିରଫ କରି ତଦନ୍ତ କରାଗଲେ ବହୁ ରହସ୍ୟ ଉନ୍ମୋଚନ ହେବ । ଜାଲ ଘଟଣା ନିଜେ ସବରେଜିଷ୍ଟ୍ରାର ସଦର ତହସିଲଦାରଙ୍କୁ ଅବଗତ କରିବା ପରେ ୭ଟି କବଲାର ମୁ୍ୟଟେସନ ଖାରଜ କରାଯାଇଛି । ବହୁ ବିବାଦରେ ଛନ୍ଧି ହେବା ପରେ ଶେଷରେ ଗାୟତ୍ରୀ ସୋରେନ ଛୁଟିରେ ଯାଇଥିବା ଜଣାପଡ଼ିଛି । ଗତ ୨ ବର୍ଷ ଭିତରେ ବିଭିନ୍ନ ବେଆଇନ କାମର ତଦନ୍ତ କରି ଦୋଷୀ ଅଧିକାରୀ ଏବଂ କର୍ମଚାରୀଙ୍କ ବିରୁଦ୍ଧରେ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରାଯାଇଛି ।