ସିରିଜ୍ ଜିତିବା ଲକ୍ଷ୍ୟରେ ଭାରତ

ପୋର୍ଟ ଅଫ୍ ସ୍ପେନ୍, ୨୩ା୭ (ଏଜେନ୍ସି): ଶିଖର ଧୱନଙ୍କ ଅଧିନାୟକତ୍ୱରେ ଭାରତୀୟ କି୍ରକେଟ୍ ଟିମ୍ ସିରିଜ୍ର ଦ୍ୱିତୀୟ ଦିନିକିଆ ମ୍ୟାଚ୍ ରବିବାର (୨୪ ଜୁଲାଇ)ରେ ଆୟୋଜକ ୱେଷ୍ଟଇଣ୍ଡିଜ୍ ବିପକ୍ଷରେ ଅନୁଷ୍ଠିତ ହେବ । ଟିମ୍ ଇଣ୍ଡିଆ ପ୍ରଥମ ଦିନିକିଆରେ ୱେଷ୍ଟଇଣ୍ଡିଜ୍କୁ ୩ ରନ୍ରେ ହରାଇ ୩ ମ୍ୟାଚ୍ ବିଶିଷ୍ଟ ସିରିଜ୍କୁ ୧-୦ରେ ଅଗ୍ରଣୀ ରଖିଛି । ଫଳରେ ଦ୍ୱିତୀୟ ଦିନିକିଆ ଜିତି ସିରିଜ୍ ବିଜୟୀ ହେବା ଲକ୍ଷ୍ୟରେ ଦଳ ପଡ଼ିଆକୁ ଓହ୍ଲାଇବ । ଏହା ପୂର୍ବରୁ ଟିମ୍ ଇଣ୍ଡିଆ ଦିନିକିଆ ସିରିଜ୍ ପାଇଁ ୱେଷ୍ଟଇଣ୍ଡିଜ୍ ଗସ୍ତ କରିଥିଲା, ସେସମୟରେ ଅତିଥି ଟିମ୍ ୨-୦ରେ ସିରିଜ୍ ହାତେଇଥିଲା । ତେବେ ସିରିଜ୍ ଜିତିବା ପାଇଁ ଅଧିନାୟକ ଶିଖର ଧୱନ ଚୂଡ଼ାନ୍ତ ଏକାଦଶରେ ବଡ଼ ପରିବର୍ତ୍ତନ କରିପାରନ୍ତି ।
ଶିଖର ଧୱନଙ୍କ ସହ ଓପନିଂ କରିବା ପାଇଁ ଶୁଭମନ ଗିଲ୍ ପ୍ୟାଭିଲିଅନ୍କୁ ଓହ୍ଲାଇବା ଏକପ୍ରକାର ସ୍ଥିର ହୋଇସାରିଛି । ଧୱନ ପ୍ରଥମ ଦିନିକିଆ ମ୍ୟାଚ୍ରେ ୯୭ ରନ୍ ଏବଂ ଗିଲ୍ ୬୪ ରନ୍ର ଇନିଂସ୍ ଖେଳିଥିଲେ । ଉଭୟ ଖେଳାଳି ପ୍ରଥମ ୱିକେଟ୍ ପାଇଁ ୧୧୯ ରନ୍ର ପାର୍ଟନର୍ସିପ୍ ରଖିଥିଲେ । ତୃତୀୟ ସ୍ଥାନରେ ଶ୍ରେୟସ ଅୟର ପଡ଼ିଆକୁ ଓହ୍ଲାଇପାରନ୍ତି ବୋଲି ଆଶା କରାଯାଉଛି । ପ୍ରଥମ ଦିନିକିଆ ମ୍ୟାଚ୍ରେ ଅୟର୍ ୫୪ ରନ୍ ସଂଗ୍ରହ କରିଥିଲେ ।
ସେହିଭଳି ଚତୁର୍ଥ ସ୍ଥାନ ପାଇଁ ପୁଣି ଥରେ କୋଚ୍ ରାହୁଲ ଦ୍ରାବିଡ଼ ଏବଂ ଅଧିନାୟକ ଧୱନ ତାରକା ଖେଳାଳି ସୂର୍ଯ୍ୟକୁମାର ଯାଦବଙ୍କୁ ସୁଯୋଗ ଦେଇପାରନ୍ତି । ପଞ୍ଚମ ସ୍ଥାନ ନିମନ୍ତେ ସଞ୍ଜୁ ସ୍ୟାମ୍ସନ୍ଙ୍କୁ ମଧ୍ୟ ଚୟନ କରାଯାଇପାରେ । ପ୍ରଥମ ଦିନିକିଆ ମ୍ୟାଚ୍ରେ ସଞ୍ଜୁ ଭଲ ୱିକେଟ୍କିପିଂ କରି କ୍ୟାଚ୍ ନେଇଥିଲେ । ସେହିଭଳି ଷଷ୍ଠ ସ୍ଥାନ ନିମନ୍ତେ ଦୀପକ ହୁଡ୍ଡାଙ୍କୁ ଦ୍ୱିତୀୟ ଥର ସୁଯୋଗ ମିଳିବାର ସମ୍ଭାବନା ରହିଛି ।
ତେବେ ପ୍ରଥମ ଦିନିକିଆ ମ୍ୟାଚ୍ରେ ପ୍ରସିଦ୍ଧ କୃଷ୍ଣ ଅତ୍ୟନ୍ତ ଖରାପ ବୋଲିଂ କରିଥିବାବେଳେ ଗୋଟିଏ ମଧ୍ୟ ୱିକେଟ୍ ହାସଲ କରିପାରି ନଥିଲେ । ଏଭଳି ପରିସ୍ଥିତିରେ ଧୱନ ତାଙ୍କ ବଦଳରେ ଅର୍ଶଦୀପ ସିଂହଙ୍କୁ ସ୍ଥାନ ଦେଇପାରନ୍ତି । ଅପରପକ୍ଷେ ମହମ୍ମଦ ସିରାଜ୍ ଏବଂ ଶାର୍ଦ୍ଦୁଲ ଠାକୁର ମଧ୍ୟ ଖେଳିପାରନ୍ତି । ସ୍ପିନ୍ ବିଭାଗରେ ଯୁଜବେନ୍ଦ୍ର ଚହଲ୍ ଏବଂ ଅକ୍ଷର ପଟେଲଙ୍କୁ ସୁଯୋଗ ମିଳିପାରେ, କାରଣ ଉଭୟେ ଉତ୍ତମ ବୋଲିଂ କରିବାରେ ମାହିର୍ ।
ଅନ୍ୟପକ୍ଷେ ୱେଷ୍ଟଇଣ୍ଡିଜ୍ ଟିମ୍ ଦିନିକିଆରେ ଲଗାତାର ପରାଜୟ ଧାରା ଭାଙ୍ଗିବାକୁ ଚାହିଁବ । କାରଣ ଭାରତ ଏବଂ ବାଂଲାଦେଶ ବିପକ୍ଷରେ ଗତ ୭ ମ୍ୟାଚ୍ରେ ୱେଷ୍ଟଇଣ୍ଡିଜ୍ କ୍ରମାଗତ ଭାବେ ପରାସ୍ତ ହୋଇଚାଲିଛି । ତେବେ ଇଣ୍ଡିଜ୍ ପାଇଁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ଭାରତ ବିପକ୍ଷରେ ପ୍ରଥମ ଦିନିକିଆରେ ୫୦ ଓଭର୍ ବ୍ୟାଟିଂ କରିବାକୁ ସକ୍ଷମ ହୋଇଛି । ଏଥିସହ କାଇଲ୍ ମାୟର୍ସ ଏବଂ ବ୍ରେଡନ୍ କିଙ୍ଗ୍ ଅର୍ଦ୍ଧଶତକୀୟ ଇନିଂସ୍ ଖେଳିଥିଲେ । ତେଣୁ ଦଳ ଭାରତକୁ ହରାଇ ସିରିଜ୍ ବରାବର କରିବାକୁ ନିଶ୍ଚୟ ଚେଷ୍ଟା ଜାରି ରଖିପାରେ ।
ସମ୍ଭାବ୍ୟ ଭାରତୀୟ ଏକାଦଶ
ଶିଖର ଧୱନ (ଅଧିନାୟକ), ଶୁଭମନ ଗିଲ୍, ଶ୍ରେୟସ ଅୟର, ସୂର୍ଯ୍ୟକୁମାର ଯାଦବ, ସଞ୍ଜୁ ସ୍ୟାମ୍ସନ୍, ଦୀପକ ହୁଡ୍ଡା, ମହମ୍ମଦ ସିରାଜ୍, ଶାର୍ଦ୍ଦୁଲ ଠାକୁର, ଅର୍ଶଦୀପ ସିଂହ, ଅକ୍ଷର ପଟେଲ ଓ ଯୁଜବେନ୍ଦ୍ର ଚହଲ୍ ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *