ଚିକିତ୍ସା ଅବହେଳା ଅଭିଯୋଗ: ଯୁବକଙ୍କ ମୃତୁ୍ୟ

ପୁଣି ଚର୍ଚ୍ଚାରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ
ପୁରୀ (ବୁ୍ୟରୋ): କେନ୍ଦ୍ର ଓ ରାଜ୍ୟ ସରକାର ମିଳିତ ଭାବେ ସମସ୍ତଙ୍କୁ ଉନ୍ନତମାନର ସ୍ୱାସ୍ଥ୍ୟସେବା ଯୋଗାଇ ଦେବା ଲାଗି ଅନେକ ଯୋଜନା ପ୍ରଣୟନ କରିଛନ୍ତି । ଏପରିକି ସେମାନଙ୍କ ଲାଗି ମଧ୍ୟ ସ୍ୱାସ୍ଥ୍ୟକାର୍ଡ ମଧ୍ୟ ଘୋଷଣା କରାଯାଇଛି । ହେଲେ ବାସ୍ତବରେ ଚିକିତ୍ସାଳୟରେ ରୋଗୀଙ୍କୁ ଉତ୍ତମ ଚିକିତ୍ସା ମିଳୁଛି କି ନାହିଁ ତାହା ଦେଖିବାକୁ କେହି ନାହାନ୍ତି । ଯାହାର ଜ୍ୱଳନ୍ତ ଉଦାହରଣ ଦେଖିବାକୁ ମିଳିଛି ପୁରୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ । ବାରମ୍ବାର ଚିକିତ୍ସା ଅବହେଳାରୁ ରୋଗୀମାନେ ମୁତୁ୍ୟବରଣ କରୁଥିବା ନଜିର ରହିଛି । ଫଳରେ ସବୁବେଳେ ମୁଖ୍ୟ ଚିକିତ୍ସାଳୟ ଚର୍ଚ୍ଚାରେ ରହି ଆସିଛି । ମାତ୍ର ଏହାକୁ ସୁଧାରିବାରେ ସଫଳ ହୋଇପାରୁନାହାନ୍ତି ଜିଲ୍ଲାପାଳ କି ସ୍ୱାସ୍ଥ୍ୟ ବିଭାଗ ।
ସମୁଦ୍ରକୂଳ ଥାନା ଅନ୍ତର୍ଗତ ବାଲିମୋଚି ସାହି ଗ୍ରାମର ପବିତ୍ର କୁମାର ସାହୁଙ୍କ ରବିବାର ଶରୀର ଅସୁସ୍ଥ ହେବାରୁ ପରିବାର ଲୋକେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ । ହେଲେ ମେଡିକାଲ୍ରେ ଦୀର୍ଘ ସମୟ ଧରି ଭର୍ତ୍ତି ହୋଇଥିଲେହେଁ କୌଣସି ଡାକ୍ତର ଚିକିତ୍ସା କରିବାକୁ ଆସି ନ ଥିଲେ । ଶେଷରେ ଡାକ୍ତର ଚିକିତ୍ସା କଲାବେଳକୁ ପବିତ୍ରଙ୍କ ମୃତୁ୍ୟ ହୋଇଥିବା ଡାକ୍ତର ଘୋଷଣା କରିଥିଲେ । ପୁଅର ମୃତୁ୍ୟକୁ ସହଜରେ ଗ୍ରହଣ କରିପାରି ନ ଥିଲେ ପରିବାର ଲୋକେ । ଏହାକୁ ନେଇ ମେଡିକାଲ୍ ପରିସରରେ ଉତ୍ତେଜନା ଦେଖାଦେଇଥିଲା ।
ପରିବାରର ଅଭିଯୋଗ ଅପୁଯାୟୀ, ପବିତ୍ର ମେଡିକାଲ୍ରେ ଭର୍ତ୍ତି ହେବା ସମୟରେ କଥାବାର୍ତ୍ତା କରିବା ସହ ଠିକ୍ଠାକ୍ ଥିଲେ । ହେଲେ ସଙ୍ଗେସଙ୍ଗେ ଚିକିତ୍ସା କରିଥିଲେ ମରି ନ ଥାନ୍ତେ । କିନ୍ତୁ କେବଳ ନର୍ସ ଏକ ଇଞ୍ଜେକ୍ସନ ଦେଇ ଚୁପ୍ ବସିଥିଲେ । ଡାକ୍ତର ଖାଇବାକୁ ଯାଇଛନ୍ତି ଆସିଲେ ଚିକିତ୍ସା କରିବେ । ଦୀର୍ଘ ସମୟ ବିଳମ୍ବରେ ଡାକ୍ତର ଆସିଥିଲେ । ଚିକିତ୍ସା ଅବହେଳାରେ ପବିତ୍ରର ମୃତୁ୍ୟ ହୋଇଥିବା ଅଭିଯୋଗ କରିଛନ୍ତି ପରିବାର ଲୋକେ । ମେଡିକାଲ୍ ପରିସରରେ କିଛି ସମୟ ଉତ୍ତେଜନା ଦେଖା ଦେଇଥିଲା । ଘଟଣାସ୍ଥଳରେ କୁମ୍ଭାରପଡ଼ା ଥାନା ପୁଲିସ ପହଞ୍ଚି ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିବା ପରେ ପରିସ୍ଥିତି ଶାନ୍ତ ପଡ଼ିଥିଲା । ପରେ ଶବ ବ୍ୟବଚ୍ଛେଦ ଲାଗି ପଠାଯାଇଥିଲା । ବାରମ୍ବାର ଜିଲ୍ଲା ମୁଖ୍ୟଚିକିତ୍ସାଳୟରେ ଡାକ୍ତରଙ୍କ ଅବହେଳା ଯୋଗୁ ଅନେକ ରୋଗୀ ମୁତୁ୍ୟ ହେବାର ଅଭିଯୋଗ ହୋଇଥିଲେ ମଧ୍ୟ ଜିଲ୍ଲାପାଳ ଓ ସ୍ୱାସ୍ଥ୍ୟ ବିଭାଗର ବରିଷ୍ଠ ଅଧିକାରୀ ଚୁପ ବସିଛନ୍ତି ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *