ନୀରଜଙ୍କୁ ଐତିହାସିକ ରୌପ୍ୟ
ୟୁଜିନ୍, ୨୪ା୭ (ଏଜେନ୍ସି): ଟୋକିଓ ଅଲିମ୍ପିକ୍ସ ବିଜେତା ଭାରତୀୟ ଜାଭଲିନ୍ ଥ୍ରୋଅର ନୀରଜ ଚୋପ୍ରା ଆଉ ଏକ ଇତିହାସ ରଚିଛନ୍ତି । ସେ ରବିବାର ୧୮ତମ ବିଶ୍ୱ ଦୌଡ଼କୁଦ ପ୍ରତିଯୋଗିତାରେ ଐତିହାସିକ ରୌପ୍ୟ ପଦକ ହାସଲ କରିଛନ୍ତି । ସେ ୮୮.୧୩ ମିଟର ଥ୍ରୋ କରି ଏହି ପଦକ ଜିତିଛନ୍ତି । ଡିଫେଣ୍ଡିଂ ଚାମ୍ପିଅନ୍ ଗ୍ରେନେଡ଼ାର ଆଣ୍ଡରସନ୍ ପିଟର୍ସ ୯୦.୪୬ ମିଟର ଥ୍ରୋ କରି ସ୍ୱର୍ଣ୍ଣ ପଦକ ପାଇଛନ୍ତି । ଏହି ଇଭେଣ୍ଟରେ ଫାଇନାଲ୍ସରେ ସ୍ଥାନ ପାଇଥିବା ଅନ୍ୟତମ ଭାରତୀୟ ରୋହିତ ଯାଦବ (୭୮.୭୨ ମିଟର) ୧୦ମ ସ୍ଥାନରେ ରହିଛନ୍ତି ।
୩୯ ବର୍ଷ ଧରି ଚାଲିଥିବା ବିଶ୍ୱ ଦୌଡ଼କୁଦରେ ଭାରତର ସ୍ୱର୍ଣ୍ଣ ଜିତିବା ସ୍ୱପ୍ନ ଅଧୁରା ରହିଯାଇଛି । ୧୯ ବର୍ଷ ପରେ କୌଣସି ଭାରତୀୟଙ୍କୁ ଏହି ପ୍ରତିଯୋଗିତାରେ ପଦକ ମିଳିଛି । ୨୪ବର୍ଷୀୟ ନୀରଜଙ୍କ ପୂର୍ବରୁ ଅଞ୍ଜୁ ବବି ଜର୍ଜ ୨୦୦୩ ସଂସ୍କରଣରେ ମହିଳା ଲଙ୍ଗ୍ଜମ୍ପ୍ରେ କାଂସ୍ୟ ପଦକ ଜିତିଥିଲେ । ତେବେ ନୀରଜ ରୌପ୍ୟ ଜିତିବାରେ ପ୍ରଥମ ଭାରତୀୟ ଆଥ୍ଲେଟ୍ ହୋଇପାରିଛନ୍ତି । ସେ କ୍ୱାଲିଫାୟର୍ସରେ ପ୍ରଥମ ପ୍ରୟାସରେହିଁ ୮୮.୩୯ ମିଟର ସ୍କୋର୍ କରି ଫାଇନାଲ୍ରେ ସ୍ଥାନ ପାଇଥିଲେ ।
ଏହି ସଫଳତା ପରେ ନୀରଜଙ୍କ ପାଖକୁ ଶୁଭେଚ୍ଛାର ସୁଅ ଛୁଟିଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଟ୍ୱିଟ୍ କରି ଲେଖିଛନ୍ତି, “ଆମର ସବୁଠାରୁ ପ୍ରତିଷ୍ଠିତ ଆଥ୍ଲେଟ୍ଙ୍କ ମଧ୍ୟରେ ଅନ୍ୟତମ ନୀରଜଙ୍କ ଦ୍ୱାରା ଆଉ ଏକ ବଡ଼ ଉପଲବ୍ଧି ପାଇଁ ତାଙ୍କୁ ବହୁତ ଅଭିନନ୍ଦନ । ଏହା ଭାରତୀୟ ଖେଳା ପାଇଁ ଏକ ବିଶେଷ ମୁହୂର୍ତ୍ତ । ନୀରଜଙ୍କୁ ତାଙ୍କ ପରବର୍ତ୍ତୀ ପ୍ରୟାସ ପାଇଁ ଶୁଭକାମନା ।”
ପୁରୁଷ ଜାଭଲିନ୍ ଥ୍ରୋ ଫାଇନାଲ୍ସରେ ନୀରଜ ଚତୁର୍ଥ ପ୍ରୟାସରେ ୮୮.୧୩ ମିଟର ଦୂରତ୍ୱ ନିର୍ଦ୍ଧାରଣ କରିଥିଲେ । ତାଙ୍କର ପ୍ରଥମ, ପଞ୍ଚମ ଓ ଷଷ୍ଠ ପ୍ରୟାସ ଫାଉଲ୍ ଥିଲା । ଅନ୍ୟପଟେ, ସ୍ୱର୍ଣ୍ଣ ବିଜେତା ଆଣ୍ଡରସନ୍ ନିଜ ଶେଷ ପ୍ରୟାସରେ ସର୍ବଶ୍ରେଷ୍ଠ ପ୍ରଦର୍ଶନ କରିଥିଲେ । ଚେକ୍ ଗଣତନ୍ତ୍ରର ଜ୍ୟାକୋବ୍ ୱାଦଲେ ୮୮.୦୯ ମିଟର ଥ୍ରୋ କରି କାଂସ୍ୟ ପଦକ ଜିତିଥିଲେ ।
ଚଳିତ ବିଶ୍ୱ ଦୌଡ଼କୁଦରେ ଭାରତ ଗୋଟିଏ ପଦକ ପାଇଛି । ତାହା ଥିଲା ନୀରଜଙ୍କ ରୌପ୍ୟ । ୩୫ ଦେଶକୁ ନେଇ ଚାଲିଥିବା ଏହି ପ୍ରତିଯୋଗିତାରେ ଭାରତ ୨୮ତମ ସ୍ଥାନରେ ରହିଛି । ଆମେରିକା ୧୦ ସ୍ୱର୍ଣ୍ଣ, ୮ ରୌପ୍ୟ ଓ ୧୦ କାଂସ୍ୟ ସହ ମୋଟ୍ ୨୮ ପଦକ ପାଇ ଶୀର୍ଷ ସ୍ଥାନରେ ରହିଛି । ୧୦ ପଦକ ସହ ଇଥିଓପିଆ ଦ୍ୱିତୀୟ ଓ ୮ ପଦକ ସହ କେନିଆ ତୃତୀୟ ସ୍ଥାନରେ ରହିଛି ।