ମଙ୍କିପକ୍ସ ଗ୍ଲୋବାଲ୍ ଇମର୍ଜେନ୍ସି ଘୋଷିତ

ୱାଶିଂଟନ୍, ୨୩ା୭: ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (ହୁ) ମଙ୍କିପକ୍ସର ପ୍ରକୋପକୁ ବୈଶ୍ୱିକ ଇମରଜେନ୍ସି ଘୋଷଣା କରିଛି । ହୁ’ ପକ୍ଷରୁ କୁହାଯାଇଛି, ମଙ୍କିପକ୍ସର ଭୂତାଣୁ ୭୦ରୁ ଅଧିକ ଦେଶରେ ବ୍ୟାପି ଗଲାଣି । ହୁ’ର ମହାନିଦେ୍ର୍ଦଶକ ଟେଡ୍ରୋସ ଏଡନାମ ଘେବ୍ରେସସ୍ ଶନିବାର କହିଛନ୍ତି ମଙ୍କିପକ୍ସ ଦ୍ରୁତ ବେଗରେ ସଂକ୍ରମିତ ହୋଇ ଏବେ ଏକ ଅସାଧାରଣ ପରିସ୍ଥିତି ସୃଷ୍ଟି କରିଛି । ଏହି ରୋଗର ସଂକ୍ରମଣ ସମ୍ପର୍କରେ ଆମ ପାଖରେ ବିଶେଷ ତଥ୍ୟ ନାହିଁ । ତେଣୁ ମଙ୍କିପକ୍ସର ପ୍ରକୋପଜନିତ ସ୍ଥିତି ଗ୍ଲୋବାଲ୍ ହେଲ୍ଥ ଇମରଜେନ୍ସି ଆଡକୁ ଇଶାରା କରୁଛି ।
ବୈଶ୍ୱିକ ହେଲ୍ଥ ଇମରଜେନ୍ସିର ଅର୍ଥ ହେଉଛି ହୁ’ ପକ୍ଷରୁ ଜାରି ସର୍ବୋଚ୍ଚସ୍ତରୀୟ ଆଲର୍ଟ । ମଙ୍କିପକ୍ସକୁ ଗ୍ଲୋବାଲ୍ ହେଲ୍ଥ ଇମରଜେନ୍ସି ଭାବେ ଘୋଷଣା କରାଯାଇଥିବାରୁ ବିଶ୍ୱବ୍ୟାପୀ ଚିନ୍ତା ବଢ଼ିଛି । ବିଭିନ୍ନ ଦେଶରେ ଭୂତାଣୁଜନିତ ଏହି ରୋଗ ଉପରେ ଏଣିକି ଗଭିର ଅଧ୍ୟୟନ ଆରମ୍ଭ କରାଯିବ । ତା’ସହିତ ସମ୍ମନିତ ଭାବେ ଭୂତାଣୁ ସଂକ୍ରମଣକୁ କାବୁ କରିବା ପାଇଁ ଟିକା ଉଦ୍ଭାବନ କ୍ଷେତ୍ରରେ ବିଭିନ୍ନ ଦେଶ ମଧ୍ୟରେ ତଥ୍ୟ ବିନିମୟ ରାସ୍ତା ଖୋଲିଯିବ ।
ହୁ’ର ସୂଚନା ଅନୁଯାୟୀ ମଙ୍କିପକ୍ସ ପଶୁମାନଙ୍କଠାରୁ ମନୁଷ୍ୟ ଶରୀରକୁ ବ୍ୟାପୁଥିବା ଏକ ଭାଇରସ୍ (ଭାଏରାଲ୍ ଜୁନୋସିସ୍) । ଏଥିରେ ସଂକ୍ରମିତ ହେଲେ ଦେହସାରା ଘା ସୃଷ୍ଟି ହୁଏ । ପୃଥିବୀସାରା ଇତିମଧ୍ୟରେ ୧୪ ହଜାର ମଙ୍କିପକ୍ସ ମାମଲା ଚିହ୍ନଟ ହୋଇଛି । ଆଫ୍ରିକାରେ ମଙ୍କିପକ୍ସ ସଂକ୍ରମିତ ୫ଜଣଙ୍କ ମୃତୁ୍ୟ ଘଟିଲାଣି । ଅଧିକାଂଶ ସଂକ୍ରମିତ ବ୍ୟକ୍ତି ସ୍ପେନ୍, ବ୍ରିଟେନ୍, ଜର୍ମାନୀ, ଫ୍ରାନ୍ସ ଓ ନିଦରଲାଣ୍ଡସ୍ର ନାଗରିକ ବୋଲି ଜଣାପଡ଼ିଛି ।
ଭାରତରେ ମଙ୍କିପକ୍ସ ସଂକ୍ରମଣ ରୋକିବା ପାଇଁ ଏକ ଉଚ୍ଚସ୍ତରୀୟ କମିଟି ଗଠନ କରାଯାଇଛି । ପ୍ରଥମେ କେରଳର ମଙ୍କିପକ୍ସ ରୋଗୀ ଚିହ୍ନଟ ହୋଇଥିଲେ । ସେହି କେରଳରେ ଏପର୍ଯ୍ୟନ୍ତ ତିନୋଟି ମାମଲା ସାମ୍ନାକୁ ଆସିଛି । ଗତ ସପ୍ତାହରେ କେରଳର କୈନୁର ଜିଲ୍ଲାରେ ଦ୍ୱିତୀୟ ରୋଗୀକୁ ଚିହ୍ନଟ କରାଯାଇଥିଲା । ପ୍ରଥମ ରୋଗୀ ଦକ୍ଷିଣ କେରଳର କୋଲ୍ଲମ ଜିଲ୍ଲାରେ ଜୁଲାଇ ୧୪ ତାରିଖ ଦିନ ଚିହ୍ନଟ ହୋଇଥିଲେ । ମଙ୍କିପକ୍ସ ସଂକ୍ରମିତ ୨୧ ଦିନ ଆଇସୋଲେସନ୍ରେ ରଖିବା ପାଇଁ କେନ୍ଦ୍ର ସରକାର ଦିଶା ନିଦେ୍ର୍ଦଶ ଜାରି କରିଛନ୍ତି ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *