ଏଲ୍ପିଜି ସବ୍ସିଡି ବନ୍ଦ କରି ରାଜକୋଷ ଭରୁଛି କେନ୍ଦ୍ର
ନୂଆଦିଲ୍ଲୀ (ଏଜେନ୍ସି): ରନ୍ଧନ ଗ୍ୟାସ୍ ସିଲିଣ୍ଡର୍ ଉପରେ ମିଳୁଥିବା ସବ୍ସିଡି ପ୍ରକ୍ରିୟାକୁ କେନ୍ଦ୍ର ସରକାର ଧୀରେ ଧୀରେ ଶେଷ କରିବାକୁ ଚାହୁଁଛନ୍ତି । ତେବେ ସବ୍ସିଡି ପ୍ରକ୍ରିୟାକୁ ବନ୍ଦ କରିବା ପୂର୍ବକ ରାଜସ୍ୱ ଭଣ୍ଡାରକୁ ସମ୍ବୃଦ୍ଧ କରିବା କେନ୍ଦ୍ରର ମୂଳ ଉଦେ୍ଦଶ୍ୟ ରହିଥିବା ଏବେ ସ୍ପଷ୍ଟ ହୋଇଯାଇଛି । ଆର୍ଥିକ ବର୍ଷ ୨ଠ୨ଠ-୨୧ରେ କେନ୍ଦ୍ର ସରକାର ଏଲ୍ପିଜି ସବ୍ସିଡି ରୂପେ ମୋଟ୍ ୧୧,୮୯୬ କୋଟି ଟଙ୍କା ଖର୍ଚ୍ଚ କରିଥିବା କହୁଥିବା ବେଳେ ୨ଠ୨୧-୨୨ରେ ଏହି ପରିମାଣ ମାତ୍ର ୨୪୨ କୋଟିକୁ ହ୍ରାସ ପାଇଛି । ଅର୍ଥାତ୍ ଗୋଟିଏ ବର୍ଷ ମଧ୍ୟରେ ସବ୍ସିଡି ପ୍ରକ୍ରିୟାକୁ ବନ୍ଦ କରିବା ଦ୍ୱାରା କେନ୍ଦ୍ର ସରକାର ୧୧,୬୫୪ କୋଟି ସଞ୍ଚୟ କରିଛନ୍ତି ।
ପେଟ୍ରୋଲିୟମ୍ ମନ୍ତ୍ରଣାଳୟ ଅନୁସାରେ ଆର୍ଥିକ ବର୍ଷ ୨ଠ୧୭-୧୮ରେ ଏଲ୍ପିଜି ସବ୍ସିଡି ବାବଦରେ ମୋଟ୍ ୨୩,୪୬୪ କୋଟି ଟଙ୍କା ଖର୍ଚ୍ଚ ହୋଇଥିବା ବେଳେ ୨ଠ୧୮-୧୯ରେ ଏହା ୩୭,୨ଠ୯ କୋଟିକୁ ବୃଦ୍ଧି ପାଇଥିଲା । ଏହାପରେ କେନ୍ଦ୍ର ସରକାର ଦେଶର ଆର୍ଥିକ ସ୍ୱଚ୍ଛଳ ବର୍ଗରେ ଆସୁଥିବା ନାଗରିକଙ୍କୁ ସରକାରଙ୍କ ପକ୍ଷରୁ ମିଳୁଥିବା ସବ୍ସିଡିକୁ ନିଜ ଆଡୁ ଛାଡିବାକୁ ଅପିଲ୍ କରିଥିଲେ । କେନ୍ଦ୍ର ସରକାରଙ୍କ ଏପ୍ରକାର ଅପିଲ୍ ପରେ ଦେଶର କୋଟି କୋଟି ଉପଭୋକ୍ତା ନିଜ ଆଡୁ ସବ୍ସିଡିକୁ ଛାଡିଦେଇଥିଲେ । ଏହାଦ୍ୱାରା ୨ଠ୧୯-୨ଠରେ ସବ୍ସିଡି ବାବଦକୁ ହେଉଥିବା ଖର୍ଚ୍ଚରେ ଅନେକ ପରିମାଣରେ ହ୍ରାସ ପରିଲକ୍ଷିତ ହୋଇଥିଲା । ୩୭,୨ଠ୯ କୋଟି ଟଙ୍କାରୁ ଏହା ସିଧାସଳଖ ୨୪,୧୭୨କୋଟି ଟଙ୍କାକୁ ଖସିଆସିଥିଲା । ସବୁଠୁ ବଡ଼ କଥା ହେଉଛି, ଏଲପିଜି ସବ୍ସିଡି ପ୍ରକ୍ରିୟାରେ ହେଉଥିବା ଖର୍ଚ୍ଚ ପରିପ୍ରେକ୍ଷୀରେ ୨ଠ୨ଠ-୨୧ରେ ପ୍ରାୟ ୫ଠ%ରୁ ଅଧିକ ହ୍ରାସ ପରିଲକ୍ଷିତ ହୋଇଥିଲା । ୨ଠ୨ଠ-୨୧ରେ ଏଲ୍ପିଜି ସବ୍ସିଡି ରୂପେ ମୋଟ୍ ୧୧,୮୯୬ କୋଟି ଟଙ୍କା ଖର୍ଚ୍ଚ ହୋଇଥିବା ବେଳେ ୨ଠ୨୧-୨୨ରେ ଏହା ମାତ୍ର ୨୪୨ କୋଟିକୁ ହ୍ରାସ ପାଇଛି ।
ସୂଚନାଯୋଗ୍ୟ ୨ଠ୨ଠ ଜୁନ୍ ମାସ ଠାରୁ ଦେଶର କେବଳ ପ୍ରଧାନମନ୍ତ୍ରୀ ଉଜ୍ୱଳା ଯୋଜନା (ପିଏମ୍ୟୁୱାଇ) ଅନ୍ତର୍ଗତ ପଞ୍ଜିକୃତ ହୋଇଥିବା ହିତାଧିକାରୀମାନଙ୍କୁ ଏଲ୍ପିଜି ସିଲିଣ୍ଡର ଉପରେ ରିହାତି ବା ସବ୍ସିଡ଼ି ପ୍ରଦାନ କରାଯାଇଆସୁଛି । ସମ୍ପ୍ରତି ପିଏମ୍ୟୁୱାଇ ହିତାଧିକାରୀଙ୍କୁ ବାର୍ଷିକ ୧୨ ସିଲିଣ୍ଡର ଏବଂ ପ୍ରତି ସିଲିଣ୍ଡର ପିଛା ୨ଠଠ ଟଙ୍କା ପର୍ଯ୍ୟନ୍ତ ରିହାତି ପ୍ରଦାନ କରୁଛି କେନ୍ଦ୍ର । ସବ୍ସିଡି ଅର୍ଥ ହିତାଧିକାରୀଙ୍କ ବ୍ୟାଙ୍କ୍ ଆକାଉଣ୍ଟରେ ସିଧାସଳଖ ଜମା କରାଯାଇଥାଏ । ପ୍ରକାଶ, ଗତ ୧ବର୍ଷ ମଧ୍ୟରେ ଘରୋଇ ଗ୍ୟାସ୍ ସିଲିଣ୍ଡର ପିଛା ୨୧୮.୫ଠ ମହଙ୍ଗା ହୋଇଛି । ଏହା ଉପରେ ମିଳୁଥିବା ସବ୍ସିଡିକୁ ମଧ୍ୟ କେନ୍ଦ୍ର ସରକାର ବନ୍ଦ କରିଦେଇଛନ୍ତି । ଦେଶର ୩ଠ କୋଟି ହିତାଧିକାରୀଙ୍କ ପାଖରେ ଏଲ୍ପିଜି ଗ୍ୟାସ୍ କନେକ୍ସନ୍ ରହିଥିବା ବେଳେ ଏଥିମଧ୍ୟରୁ ୯କୋଟି ହିତାଧିକାରୀ ଉଜ୍ୱଳା ଯୋଜନା ଅନ୍ତର୍ଗତ ରହିଛନ୍ତି ।