ମିଡିଆ ଟ୍ରାଏଲ୍ ମାରାତ୍ମକ

ପ୍ରଧାନ ବିଚାରପତିଙ୍କ ଉଦ୍ବେଗ
ରାଞ୍ଚô, ୨୩ା୭: ଶନିବାର ଦିନିକିଆ ଝାରଖଣ୍ଡ ଗସ୍ତରେ ଆସି ସୁପ୍ରିମ୍କୋର୍ଟର ପ୍ରଧାନ ବିଚାରପତି ଏନ୍.ଭି. ରମଣା ଗଣମାଧ୍ୟମ ବିରୋଧରେ ଖୁବ୍ ବର୍ଷିଛନ୍ତି । ତାଙ୍କ ମତରେ ବୈଦୁ୍ୟତିକ ଗଣମାଧ୍ୟମ ଓ ସୋସିଆଲ୍ ମିଡିଆ ଦ୍ୱାରା ପକ୍ଷପାତପୂର୍ଣ୍ଣ ଖବରଗୁଡିକୁ ପ୍ରାଧାନ୍ୟ ଦିଆଯାଉଛି । ନ୍ୟାୟିକ ପ୍ରକ୍ରିୟାରେ ବୈଦୁ୍ୟତିକ ଗଣମାଧ୍ୟମମାନେ ହସ୍ତକ୍ଷେପ କରିବାର ଅଭ୍ୟାସ ଉପରେ ପ୍ରଶ୍ନ ଉଠାଇ ନ୍ୟାୟମୂର୍ତ୍ତି ରମଣା କହିଛନ୍ତି ଏହା ଗଣତନ୍ତ୍ର ପ୍ରତି କ୍ଷତିକାରକ ।
ରାଞ୍ଚôସ୍ଥିତ ରାଷ୍ଟ୍ରୀୟ ଆଇନ ଅଧ୍ୟୟନ ଓ ଗବେଷଣା ବିଶ୍ୱବିଦ୍ୟାଳୟ ଆନୁକୂଲ୍ୟରେ ଆୟୋଜିତ ଜଷ୍ଟିସ୍ ସତ୍ୟବ୍ରତ ସିହ୍ନା ସ୍ମାରକୀ ବକ୍ତୃତାମାଳା ଉଦ୍ଘାଟନ ଅବସରରେ ପ୍ରଧାନ ବିଚାରପତି କହିଛନ୍ତି, ଅନେକ ସମୟରେ ଗଣମାଧ୍ୟମ ଏଜେଣ୍ଡା ଭିତ୍ତିକ ଡିବେଟ୍ ଓ କଙ୍ଗାରୁ କୋର୍ଟ ଚଳାଇ ଅଭିଜ୍ଞ ବିଚାରପତିମାନଙ୍କୁ ମଧ୍ୟ ବିଭ୍ରାନ୍ତ କରୁଛି । ଅଧିକାଂଶ ବିଚାରାଧୀନ ମାମଲାର ମିଡିଆ ଟ୍ରାଏଲ୍ କରାଯିବା ଏକ ଆଦତ୍ରେ ପରିଣତ ହେଲାଣି । ନ୍ୟାୟିକ ପ୍ରସଙ୍ଗଗୁଡିକରେ ଭୁଲ୍ ବିବରଣୀ ଦିଆଯିବା ଏବଂ ଏଜେଣ୍ଡା ଚଳାଇବା ଗଣତନ୍ତ୍ରର ସ୍ୱାସ୍ଥ୍ୟପ୍ରତି ହାନିକାରକ । ମିଡିଆ ଦ୍ୱାରା ପ୍ରଚାରିତ ପକ୍ଷପାତପୂର୍ଣ୍ଣ ବିଚାର ଲୋକଙ୍କୁ ପ୍ରଭାବିତ କରୁଛି ଏବଂ ଏହି ସୂତ୍ରରେ ଗଣତନ୍ତ୍ରକୁ ଦୁର୍ବଳ କରୁଛି ।
ଚିଫ୍ ଜଷ୍ଟିସ୍ ରମଣା କହିଲେ ଯେ, ସାମାଜିକ ଗଣମାଧ୍ୟମରେ ବିଚାରପତିମାନଙ୍କ ବିରୋଧରେ ସଂଘବଦ୍ଧ ଅଭିଯାନ ଚାଲିବା ଦେଖିବାକୁ ମିଳୁଛି । ଗଣମାଧ୍ୟମ ଯେପରି ନିଜ ସୀମା ବାହାରକୁ ନଯିବ, ସେଥିଲାଗି କଠୋର ଆଇନ ପ୍ରଣୟନ ପୂର୍ବକ ଗଣମାଧ୍ୟମକୁ ଉତ୍ତରଦାୟୀ କରାଇବାକୁ ହେବ । ଏବେ ପ୍ରିଣ୍ଟ୍ ମିଡିଆ କିଛି ପରିମାଣରେ ଉତ୍ତରଦାୟୀ ଥିବା ସ୍ଥଳେ ଇଲେକ୍ଟ୍ରୋନିକ୍ ମିଡିଆର ତାହା ଆଦୌ ନାହିଁ; ଟିଭି ପରଦାରେ ଏହି ମିଡିଆ ଯାହା ଦେଖାଉଛି, ସେସବୁର ରେକର୍ଡ ରହୁ ନାହିଁ, ଶୂନ୍ୟରେ ମିଳେଇ ଯାଉଛି ।
ଏହି ଅବସରରେ ପ୍ରଧାନବିଚାରପତି ଅବସରପ୍ରାପ୍ତ ବିଚାରପତିମାନଙ୍କୁ ରାଜନେତା ତଥା ଜନପ୍ରତିନିଧି, ବୁ୍ୟରୋକ୍ରାଟ୍ ଓ ପୁଲିସ ଅଧିକାରୀମାନଙ୍କ ଭଳି ସୁରକ୍ଷା ଦିଆଯିବା ଆବଶ୍ୟକ ବୋଲି ମତ ଦେଇଛନ୍ତି । ସେ କହିଛନ୍ତି ବିଚାରପତିମାନେ ଚାକିରି କାଳରେ ଅନେକ ମାମଲାର ଫଇସଲା କରି ହାରିଥିବା ପକ୍ଷଙ୍କ ଟାର୍ଗେଟ୍ ହେଉଥିବାରୁ ସେମାନଙ୍କୁ ସୁରକ୍ଷା ଦିଆଯିବା ଏକାନ୍ତ ଜରୁରୀ ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *