ଦୂର ହେବ ଖାଦ୍ୟ ସଙ୍କଟ
ଯୁଦ୍ଧର ୫ ମାସ ପରେ ରୁଷ୍-ୟୁକ୍ରେନ୍ ପ୍ରଥମ ଚୁକ୍ତି
ଇସ୍ତାନବୁଲ୍, ୨୨ ।୭: ରୁଷ ଓ ୟୁକ୍ରେନ୍ ମଧ୍ୟରେ ଯୁଦ୍ଧ ପ୍ରାୟ ୫ ମାସ ହେଲା ଚାଲିଛି । ଦୁଇ ଦେଶ ମଧ୍ୟରେ ଏପର୍ଯ୍ୟନ୍ତ କୌଣସି ଗୋଟିଏ ପ୍ରସଙ୍ଗରେ ସହମତି ହୋଇପାରି ନ ଥିଲା । ଶୁକ୍ରବାର ଜାତିସଂଘ ଓ ନାଟୋ ସଦସ୍ୟ ରାଷ୍ଟ୍ର ତୁର୍କୀର ମଧ୍ୟସ୍ଥତାରେ କୃଷ୍ଣସାଗର ଦେଇ ବିଭିନ୍ନ ଦେଶକୁ ଖାଦ୍ୟ ସାମଗ୍ରୀ ଓ ସାର ରପ୍ତାନି ଲାଗି ଏକ ଗୁରୁତ୍ୱପୂର୍ଣ୍ଣ ଚୁକ୍ତି ସମ୍ପାଦିତ ହୋଇଛି । ଏଣିକି ୟୁକ୍ରେନ୍ର ବିଭିନ୍ନ ବନ୍ଦରରୁ ବାହାରୁଥିବା ଶସ୍ୟବାହୀ ଜାହାଜଗୁଡ଼ିକୁ ରୁଷୀୟ ସେନା ଅଟକାଇବ ନାହିଁ । ଏହି ଚୁକ୍ତି ୧୨୦ ଦିନ ପାଇଁ ବଳବତ୍ତର ରହିବ । ସେହି ସମୟ ଭିତରେ ଯୁଦ୍ଧ ବନ୍ଦ ହୋଇ ନ ଥିଲେ ଚୁକ୍ତିର ନବୀକରଣ କରାଯିବ ବୋଲି ଜାତିସଂଘ ପକ୍ଷରୁ ଆଶାବ୍ୟକ୍ତ କରାଯାଇଛି ।
ଉଲ୍ଲେଖଯୋଗ୍ୟ ଯେ ଚଳିତବର୍ଷ ଫେବ୍ରୁଆରୀ ୨୪ ତାରିଖ ଦିନ ୟୁକ୍ରେନ୍ ଉପରେ ରୁଷ ଆକ୍ରମଣ କରିଥିଲା । ଯୁଦ୍ଧ ଜାରି ରହିବା ମଧ୍ୟରେ ରୁଷୀୟ ବାହିନୀ ୟୁକ୍ରେନ୍ର ଅନେକ ଗୁରୁତ୍ୱପୂର୍ଣ୍ଣ ସହର ଓ ବନ୍ଦର ଦଖଲ କରିନେଇଛନ୍ତି । ତନ୍ମଧ୍ୟରୁ କୃଷ୍ଣସାଗର ଅନ୍ତର୍ଗତ ବନ୍ଦରଗୁଡ଼ିକୁ ରୁଷ କବ୍ଜା କରିନେବା ଫଳରେ ୟୁକ୍ରେନ୍ରୁ ଖାଦ୍ୟଶସ୍ୟ ୟୁରୋପ ତଥା ଅନ୍ୟାନ୍ୟ ଦେଶକୁ ରପ୍ତାନି ହୋଇପାରୁ ନାହିଁ । ଏହି କାରଣରୁ କେବଳ ୟୁରୋପ ନୁହେଁ, ବିଶ୍ୱବ୍ୟାପୀ ଚରମ ଖାଦ୍ୟ ସଙ୍କଟ ଉପୁଜିଛି । ସବୁ ଖାସ୍ୟସାମଗ୍ରୀ ଅତ୍ୟଧିକ ମହଙ୍ଗା ହୋଇଛି । ଆନ୍ତର୍ଜାତିକ ସଂସ୍ଥା ଫୁଡ୍ ଆଣ୍ଡ୍ ଏଗ୍ରିକଲ୍ଚର୍ ଅର୍ଗାନାଇଜେସନ୍ (ଏଫ୍ଏଓ)ର ଖାଦ୍ୟ ମୂଲ୍ୟ ସୂଚକାଙ୍କ ମାର୍ଚ୍ଚରେ ହିଁ ସର୍ବୋଚ୍ଚ ସ୍ତରରେ ପହଞ୍ଚôଥିଲା ।
ଏକପକ୍ଷରେ ପୃଥିବୀର ଖାଦ୍ୟଭଣ୍ଡାର କୁହାଯାଉଥିବା ୟୁକ୍ରେନ୍ରୁ ଶସ୍ୟ ରପ୍ତାନି ହୋଇପାରୁ ନ ଥିବାବେଳେ ପାଶ୍ଚାତ୍ୟ ଦେଶମାନଙ୍କ କଠୋର କଟକଣା ଯୋଗୁ କୌଣସି ଦେଶ ରୁଷିଆରୁ ସିଧାସଳଖ ଖାଦ୍ୟସାମଗ୍ରୀ କ୍ରୟ କରିପାରୁନାହାନ୍ତି । ରୁଷ୍ ଓ ୟୁକ୍ରେନ୍ ପୃଥିବୀର ଗହମ ଆବଶ୍ୟକତାର ୨୪ ପ୍ରତିଶତ ପୂରଣ କରିଥାନ୍ତି । ସେହିପରି ୫୭ ପ୍ରତିଶତ ସୂର୍ଯ୍ୟମୁଖୀ ତେଲ ରୁଷ୍-ୟୁକ୍ରେନ୍ରୁ ହିଁ ଆସିଥାଏ । ଏବେ କେବଳ ୟୁକ୍ରେନ୍ର ଓଦେଶାରେ କୋଟି କୋଟି ଟନ୍ର ଖାଦ୍ୟଶସ୍ୟ ଅଟକି ରହିଛି ।
ଶୁକ୍ରବାର ସମ୍ପାଦିତ ଚୁକ୍ତିରେ ୟୁକ୍ରେନ୍, ରୁଷ୍, ତୁର୍କୀ ଓ ଜାତିସଂଘର ପ୍ରତିନିଧିମାନେ ସ୍ୱାକ୍ଷର କରିଛନ୍ତି । ଜାତିସଂଘର ସେକ୍ରେଟାରୀ ଜେନେରାଲ୍ ଆଣ୍ଟୋନିଓ ଗୁଟେରସ୍ ତୁର୍କୀର ବୃହତ୍ତମ ନଗରୀ ଇସ୍ତାନବୁଲ୍ରେ ପହଞ୍ଚôଥିଲେ ।
ରୁଷ୍ ପ୍ରତିରକ୍ଷା ମନ୍ତ୍ରୀ ସର୍ଗେ ଶୋଏଗୁ ଓ ତୁର୍କୀ ରାଷ୍ଟ୍ରପତି ରିସେପ୍ ତାଇପ ଏରଦାନ୍ ଚୁକ୍ତିନାମାରେ ସ୍ୱାକ୍ଷର କରିଥିବା ଜଣାଯାଇଛି । ସାରାପୃଥିବୀ ପାଇଁ ଗୁରୁତ୍ୱପୂର୍ଣ୍ଣ ଏପରି ଏକ ବୁଝାମଣାକୁ ସାକାର କରିବା ଲାଗି ଜାତିସଂଘ ଓ ତୁର୍କୀ ପକ୍ଷରୁ ଦୁଇମାସ କାଳ ଚେଷ୍ଟା ଜାରି ରହିଥିଲା । ଆମେରିକା ପକ୍ଷରୁ ଏହି ଚୁକ୍ତିକୁ ସ୍ୱାଗତ କରାଯାଇଛି ।