ଲୋକଙ୍କୁ ସମ୍ମାନର ସହ ସେବା ଦିଅ: ନବୀନ
୫୧୦ ଡାକ୍ତରଙ୍କୁ ମିଳିଲା ନିଯୁକ୍ତିପତ୍ର
ଭୁବନେଶ୍ୱର, ୨୨ା୭ (ବୁ୍ୟରୋ): ସ୍ୱାସ୍ଥ୍ୟ ବିଭାଗର ଆକାର ସହ ବିଭାଗର ଖର୍ଚ୍ଚ ସମୟାନୁକ୍ରମେ ଦ୍ୱିଗୁଣିତ ହୋଇଛି । ୨୦୧୯-୨୦ ଆର୍ଥିକ ବର୍ଷରେ ବିଭାଗର ବଜେଟ୍ ବ୍ୟବସ୍ଥା ୬ହଜାର ୮ଶହ କୋଟିରୁ ଅଧିକ ଥିଲା ଯାହାକି ୨୦୨୨-୨୩ ବର୍ଷରେ ୧୨ହଜାର କୋଟିରୁ ଅଧିକ ଟଙ୍କାକୁ ବୃଦ୍ଧି କରାଯାଇଛି । ସାଢ଼େ ଚାରି କୋଟି ଓଡ଼ିଆଙ୍କୁ ଗୁଣାତ୍ମକ ସ୍ୱାସ୍ଥ୍ୟ ସେବା ଯୋଗାଇବା ପାଇଁ ରାଜ୍ୟ ସରକାର ପ୍ରତିଶ୍ରୁତିବଦ୍ଧ । ରାଜ୍ୟ ସରକାରଙ୍କ ସୁସ୍ଥ ଓଡ଼ିଶା-ସୁଖୀ ଓଡ଼ିଶା ନାରା ପାଇଁ ନିଜ ବୃତ୍ତିକୁ ଏକ ମିଶନ ଭାବେ ଗ୍ରହଣ କରିବା ପାଇଁ ନବନିଯୁକ୍ତ ଡାକ୍ତରଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପରାମର୍ଶ ଦେଇଛନ୍ତି । ଶୁକ୍ରବାର ଲୋକସେବା ଭବନ ସମ୍ମିଳନୀ କକ୍ଷରେ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ଡାକ୍ତରଙ୍କୁ ନିଯୁକ୍ତିପତ୍ର ପ୍ରଦାନ କରିଛନ୍ତି । କାର୍ଯ୍ୟକ୍ରମରେ ନବନିଯୁକ୍ତ ଡାକ୍ତରଙ୍କୁ ପରାମର୍ଶ ଦେଇ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ କହିଛନ୍ତି, ପ୍ରତ୍ୟେକ ଜୀବନ ମୂଲ୍ୟବାନ । ଜନସାଧାରଣ ଗଣତନ୍ତ୍ରର ଆତ୍ମା, ତେଣୁ ସମସ୍ତ ସରକାରୀ କର୍ମଚାରୀ ସେମାନଙ୍କୁ ସମ୍ମାନର ସହ ସେବା ଯୋଗାଇବାକୁ ବାଧ୍ୟ ବୋଲି ସେ କହିଛନ୍ତି । ଏହି ଅବସରରେ ମୁଖ୍ୟମନ୍ତ୍ରୀ ୩୫୮ ଜଣ ଏଲୋପାଥିକ୍ ଡାକ୍ତର, ୧୧୬ ଜଣ ହୋମିଓପାଥିକ୍ ଡାକ୍ତର ଓ ୩୬ଜଣ ହୋମିଓପାଥିକ ଅଧ୍ୟାପକଙ୍କୁ ନିଯୁକ୍ତି ଦେଇଛନ୍ତି । ରାଜ୍ୟରେ ସ୍ୱାସ୍ଥ୍ୟ ସେବାକୁ ଗୁରୁତ୍ୱ ଦେବା ସହ ଏହାକୁ ଲୋକାଭିମୁଖି କରିବା ଦିଗରେ ରାଜ୍ୟ ସରକାର ଉଦ୍ୟମ ଜାରି ରଖିଛନ୍ତି । ଉନ୍ନତ ସ୍ୱାସ୍ଥ୍ୟ ସେବା ଯୋଗାଇ ଦେବା ଲକ୍ଷରେ ଡାକ୍ତରଙ୍କ ଭୂମିକାକୁ ଗୁରୁତ୍ୱ ଦିଆଯାଇ ବିଗତ ଚାରି ବର୍ଷ ଧରି ସରକାର ନିୟମିତ ଭାବରେ ଓଡିଶା ଲୋକସେବା ଆୟୋଗର ଚୟନ ପ୍ରକ୍ରିୟା ମାଧ୍ୟମରେ ନିଯୁକ୍ତି ପ୍ରଦାନ କରୁଛନ୍ତି । ନୂତନ ଡାକ୍ତରଙ୍କ ନିଯୁକ୍ତି ଦ୍ୱାରା ରାଜ୍ୟରେ ଡାକ୍ତରୀ ସମସ୍ୟା ଅନେକାଂଶରେ ଦୂର ହେବା ସହ କୋଭିଡ୍ ତଥା ଅନ୍ୟାନ୍ୟ ଜନସ୍ୱାସ୍ଥ୍ୟ ଚିକିତ୍ସା ରାଜ୍ୟର ସହରାଞ୍ଚଳ ତଥା ଗ୍ରାମାଞ୍ଚଳରେ ସୁଦୃଢ ହେବାରେ ସହାୟକ ହୋଇପାରିବ ବୋଲି ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସ କହିଛନ୍ତି । ଆୟୋଜିତ ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ଭିକେ ପାଣ୍ଡିଆନ, ମୁଖ୍ୟ ଶାସନ ସଚିବ ସୁରେଶଚନ୍ଦ୍ର ମହାପାତ୍ର, ସ୍ୱାସ୍ଥ୍ୟ ବିଭାଗ ପ୍ରମୁଖ ସଚିବ ନିକୁଞ୍ଜ ଧଳଙ୍କ ସମେତ ବହୁ ଉଚ୍ଚପଦସ୍ଥ ଅଧିକାରୀ ଉପସ୍ଥିତ ଥିଲେ ।