ଭାରତୀୟ ଶୀର୍ଷକ୍ରମର ଦମ୍ଦାର ପ୍ରଦର୍ଶନ
ପ୍ରଥମ ଦିନିକିଆ
ପୋର୍ଟ ଅଫ୍ ସ୍ପେନ୍, ୨୨ା୭ (ଏଜେନ୍ସି): ତିନି ବ୍ୟାଟର୍ଙ୍କ ଅର୍ଦ୍ଧଶତକ ସହାୟତାରେ ଭାରତୀୟ ଟିମ୍ ଶୁକ୍ରବାର ଖେଳାଯାଇଥିବା ପ୍ରଥମ ଦିନିକିଆରେ ୱେଷ୍ଟଇଣ୍ଡିଜ୍କୁ ୩୦୯ ରନ୍ର ବିଜୟଲକ୍ଷ୍ୟ ଦେଇଛି ।
କ୍ୱିନ୍ସ ପାର୍କ ଓଭାଲ୍ରେ ୱେଷ୍ଟଇଣ୍ଡିଜ୍ର ଅଧିନାୟକ ନିକୋଲାସ୍ ପୂରନ୍ ଟସ୍ ଜିତି ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲେ । ଆଘାତ ଜନିତ କାରଣରୁ ସ୍ପିନ୍ ବୋଲିଂ ଅଲ୍ରାଉଣ୍ଡର୍ ରବୀନ୍ଦ୍ର ଜାଡ଼େଜା ଟିମ୍ର ଅଂଶବିଶେଷ ହୋଇ ନ ଥିଲେ । ତାଙ୍କ ସ୍ଥାନରେ ଅକ୍ଷର ପଟେଲ୍ଙ୍କୁ ସୁଯୋଗ ମିଳିଥିଲା ।
ଅଧିନାୟକ ଶିଖର ଧାବନ୍ ଓ ଶୁଭମନ ଗିଲ୍ ଭାରତୀୟ ଇନିଂସ୍ ଓପନ୍ କରିଥିଲେ । ଉଭୟ ଦମ୍ଦାର ବ୍ୟାଟିଂ କରିଥିଲେ । ଗିଲ୍ ୩୬ ବଲ୍ରୁ ଅର୍ଦ୍ଧଶତକ ପୂରଣ କରିଥିଲେ । ୮୪ ବଲ୍ରେ ଟିମ୍ର ସ୍କୋର୍ ୧୦୦ ଛୁଇଁଥିଲା । ଏହାପରେ ଧାବନ୍ ୫୩ ବଲ୍ରୁ ୩୩ତମ ଦିନିକିଆ ଅର୍ଦ୍ଧଶତକ ଲଗାଇଥିଲେ । ଗିଲ୍ ବ୍ୟକ୍ତିଗତ ୬୪ (୫୩ ବଲ୍ରୁ ୬ ଚୌକା ଓ ୨ ଛକା ସହାୟତାରେ) ରନ୍ରେ ଦୁର୍ଭାଗ୍ୟଜନକ ଭାବେ ରନ୍ଆଉଟ୍ ହୋଇଥିଲେ । ପ୍ରଥମ ୱିକେଟ୍ ପାଇଁ ୧୧୯ (୧୦୬ ବଲ୍ରୁ) ରନ୍ର ଭାଗୀଦାରୀ ହୋଇଥିଲା ।
ଧାବନ୍ ଏହାପରେ ନୂଆ ବ୍ୟାଟର୍ ଶ୍ରେୟାସ ଆୟରଙ୍କ ସହ ମିଶି ଇନିଂସ୍କୁ ଆଗେଇ ନେଇଥିଲେ । ଉଭୟଙ୍କ ପ୍ରୟାସରେ ସ୍କୋର୍ ୨୦୦ ଅତିକ୍ରମ କରିଥିଲା । ୧୮ତମ ଦିନିକିଆ ଶତକ ଆଡ଼କୁ ଅଗ୍ରସର ହେଉଥିବା ଧାବନ୍ (୯୭ ରନ୍) ମାତ୍ର ୩ ରନ୍ ପାଇଁ ଏଥିରୁ ବଞ୍ଚିତ ହୋଇଥିଲେ । ତାଙ୍କ ଉଜ୍ଜ୍ୱଳ ଇନିଂସ୍ର ଅନ୍ତ ଘଟାଇଥିଲେ ଗୁଦକେଶ ମୋତି-କହ୍ନାଇ । ଧାବନ୍ ୯୯ ବଲ୍ ଖେଳି ୧୦ ଚୌକା ଓ ୩ ଛକା ଲଗାଇଥିଲେ ।
ଏହାପରେ ଆୟର ବି ଅର୍ଦ୍ଧଶତକ ପୂରଣ କରିଥିଲେ; କିନ୍ତୁ ଏହାପରେ ସେ ଆଉ ବେଶୀ ବାଟ ଯାଇ ନ ପାରି ୫୪ ରନ୍ରେ ମୋତି-କହ୍ନାଇଙ୍କ ଦ୍ୱିତୀୟ ଶିକାର ହୋଇଥିଲେ । ୨୩୦ ରନ୍ରେ ତୃତୀୟ ୱିକେଟ୍ ପଡ଼ିଥିଲା ।
ପରବର୍ତ୍ତୀ ଦୁଇ ବ୍ୟାଟର୍ ସୂର୍ଯ୍ୟକୁମାର ଯାଦବ (୧୩) ଓ ସଞ୍ଜୁ ସାମ୍ସନ୍ (୧୨) ଉଭୟ ବିଫଳ ହୋଇଥିଲେ । ସୂର୍ଯ୍ୟଙ୍କୁ ଅକୀଲ ହୋସେନ୍ ଓ ସାମ୍ସନ୍ଙ୍କୁ ରୋମାରିଓ ଷ୍ଟିଫର୍ଡ ପାଭିଲିଅନ୍ ପଠାଇଥିଲେ । ୨୫୨ ରନ୍ରେ ୫ମ ୱିକେଟ୍ ପଡ଼ିଥିଲେ ।
ଏହାପରେ ଦୀପକ ହୁଡ଼ା ଓ ଅକ୍ଷର ପଟେଲ୍ ଇନିଂସ୍କୁ ଆଗେଇ ନେଇଥିଲେ । ଷଷ୍ଠ ୱିକେଟ୍ ପାଇଁ ୪୨ ରନ୍ର ଭାଗୀଦାରୀ ହୋଇଥିଲା । ଅକ୍ଷର ୨୧ ରନ୍ କରି ଅଲ୍ଜାରୀ ଯୋସେଫ୍ଙ୍କ ବଲ୍ରେ ଆଉଟ୍ ହୋଇଥିଲେ । ହୁଡ଼ା (୨୭)ଙ୍କ ୱିକେଟ୍ ମଧ୍ୟ ଯୋସେଫ୍ଙ୍କ ଖାତାକୁ ଯାଇଥିଲା । ଭାରତୀୟ ଟିମ୍ ଧାର୍ଯ୍ୟ ୨୦ ଓଭର୍ରେ ୭ ୱିକେଟ୍ ହରାଇ ୩୦୮ ରନ୍ ସଂଗ୍ରହ କରିଥିଲା । ଶାର୍ଦ୍ଦୂଳ ଠାକୁର ୭ ଓ ମହମ୍ମଦ ସିରାଜ ୧ ରନ୍ କରି ଅପରାଜିତ ଥିଲେ ।