ସଙ୍କଟରେ କୋହଲିଙ୍କ କ୍ୟାରିଅର

ପୂର୍ବତନ ଅଧିନାୟକ ବିରାଟ କୋହଲି ଅଢ଼େଇ ବର୍ଷରୁ ଊଦ୍ଧ୍ୱର୍ କାଳ ଧରି ଆନ୍ତର୍ଜାତିକ କ୍ରିକେଟ୍ର କୌଣସି ଫର୍ମାଟ୍ରେ ଶତକ ଲଗାଇ ନାହାନ୍ତି । ଏବେ ଚାରିଆଡ଼େ ତାଙ୍କ ଦୁର୍ବଳ ପ୍ରଦର୍ଶନକୁ ନେଇ ଚର୍ଚ୍ଚା । ସଦ୍ୟ ସମାପ୍ତ ଇଂଲଣ୍ଡ ଗସ୍ତରେ ବି ସେ ବିଫଳ ହୋଇଛନ୍ତି ।
ଏବେ ଏମିତି ଜଣେ କ୍ରିକେଟର୍ଙ୍କୁ ନେଇ ଚର୍ଚ୍ଚା ହେଉଛି, ଯିଏ ଯୁବ ବୟସରୁ ନିଜ ପ୍ରତିଭା ଓ ନେତୃତ୍ୱ-ଦକ୍ଷତାର ପ୍ରଦର୍ଶନ କରିଆସିଛନ୍ତି । ନେତୃତ୍ୱ ତ ସେ ଛାଡ଼ି ସାରିଲେଣି, ଏବେ ତାଙ୍କ ବ୍ୟକ୍ତିଗତ ପ୍ରଦର୍ଶନକୁ ନେଇ ଅଙ୍ଗୁଳି ନିଦେ୍ର୍ଦଶ ହେଉଛିି । ସେ ଥିଲେ ୨୦୦୮ କନିଷ୍ଠ ବିଶ୍ୱକପ୍ ବିଜେତା ଟିମ୍ର ଅଧିନାୟକ, ଜଣେ ଉତ୍ତମ ବ୍ୟାଟର୍ । ବରିଷ୍ଠ ଟିମ୍କୁ ଆସିବା ପରେ ସେ ଅନେକ ଅବସରରେ ଉଲ୍ଲେଖନୀୟ ପ୍ରଦର୍ଶନ କରି ଟିମ୍କୁ ଜିତାଇଛନ୍ତି । ଅନେକ ରେକର୍ଡ କରିଛନ୍ତି, ଅନେକ ପୁରସ୍କାର ଲାଭ କରିଛନ୍ତି ।
ସେ ହେଲେ ବିରାଟ କୋହଲି । ଏକଦା କୁହାଯାଉଥିଲା ଯେ ସେ କିମ୍ବଦନ୍ତୀ କ୍ରିକେଟର୍ ସଚିନ ତେନ୍ଦୁଲକରଙ୍କ କେତେକ ବଡ଼ ରେକର୍ଡକୁ ବି ଭାଙ୍ଗି ଦେଇପାରନ୍ତି । ଆନ୍ତର୍ଜାତିକ କ୍ରିକେଟ୍ରେ ତେନ୍ଦୁଲକର ସମସ୍ତ ଫର୍ମାଟ୍କୁ ମିଶାଇ ମୋଟ୍ ୧୦୦ ଶତକ ହାସଲ କରିଥିବା ବେଳେ କୋହଲି ୭୦ ଶତକ ଲଗାଇଛନ୍ତି । ଏ ବ୍ୟବଧାନ ବି ସମୟକ୍ରମେ ଆଉ ରହିବ ନାହିଁ ବୋଲି କ୍ରିକେଟ୍ ବିଶ୍ଳେଷକମାନେ ଆଶାପୋଷଣ କରୁଥିଲେ । ଦିନିକିଆ ଆନ୍ତର୍ଜାତିକରେ କୋହଲି (୪୩) ତେନ୍ଦୁଲକରଙ୍କ ଠାରୁ ମାତ୍ର ୬ ଶତକ ଦୂରରେ ଅଛନ୍ତି । କିନ୍ତୁ ବିଡ଼ମ୍ବନାର ବିଷୟ, ସେ ଅଢ଼େଇ ବର୍ଷରୁ ଊଦ୍ଧ୍ୱର୍ କାଳ ଧରି କୌଣସି ଫର୍ମାଟ୍ରେ ଶତକ ଲଗାଇ ନାହାନ୍ତି । ଏବେ କ୍ରିକେଟ୍ ଜଗତରେ ତାଙ୍କ ବ୍ୟାଟିଂ ପ୍ରଦର୍ଶନକୁ ନେଇ ଚର୍ଚ୍ଚା ହେଉଛି ।
ଗୋଟିଏ ସମୟରେ କୋହଲି ଆଇସିସି ଦିନିକିଆ ବ୍ୟାଟିଂ ମାନ୍ୟତାରେ ଶୀର୍ଷ ସ୍ଥାନରେ ଥିଲେ । ସେ ଟେଷ୍ଟରେ ଆଠ ହଜାରରୁ, ଦିନିକିଆରେ ୧୨ ହଜାରରୁ ଏବଂ ଟି-୨୦ରେ ତିନି ହଜାରରୁ ଅଧିକ ରନ୍ ସଂଗ୍ରହ କରିଛନ୍ତି । ଆଇପିଏଲ୍ ଭଳି ଘରୋଇ ଟି-୨୦ ଲିଗ୍ରେ ସେ ସାଢ଼େ ଛଅ ହଜାରରୁ ଅଧିକ ରନ୍ କରିଛନ୍ତି । ଏସବୁ କିଛି କମ୍ ଉପଲବ୍ଧି ନୁହେଁ । ଏଥିରେ କେତେକ କୀର୍ତ୍ତିମାନ ବି ରହିଛି ।
ଏତଦ୍ଭିନ୍ନ, କୋହଲି ତିନିଟିଯାକ ଫର୍ମାଟ୍ରେ ମୋଟ୍ ୨୧୩ ଆନ୍ତର୍ଜାତିକ ମ୍ୟାଚ୍ରେ ଭାରତୀୟ ଟିମ୍ର ନେତୃତ୍ୱ ନେଇଛନ୍ତି । ୬୮ ଟେଷ୍ଟ ମଧ୍ୟରୁ ୪୦ ମ୍ୟାଚ୍ ଜିତି ସେ ଏ ଯାବତ୍ ଦେଶର ସବୁଠାରୁ ସଫଳ ଟେଷ୍ଟ ଅଧିନାୟକ ହେବାର ଗୌରବ ବଜାୟ ରଖିଛନ୍ତି । ବିଜିତ ମ୍ୟାଚ୍ ସଂଖ୍ୟା ଦୃଷ୍ଟିରୁ ସେ ବିଶ୍ୱ କ୍ରିକେଟ୍ରେ ଚତୁର୍ଥ ସ୍ଥାନରେ ରହିଛନ୍ତି ।
କୋହଲିଙ୍କ ନେତୃତ୍ୱ କାଳରେ ଆଇସିସି ଟେଷ୍ଟ ମାନ୍ୟତାରେ ଟିମ୍ ଇଣ୍ଡିଆ ୪୨ ମାସ ଧରି ଶୀର୍ଷ ସ୍ଥାନରେ ରହିଥିଲା । ଭାରତ ପ୍ରଥମ ଥର ଅଷ୍ଟ୍ରେଲିଆରେ ଟେଷ୍ଟ ଶୃଙ୍ଖଳା ଜିତିଥିଲା । ପ୍ରଥମ ବିଶ୍ୱ ଟେଷ୍ଟ ଚାମ୍ପିଅନ୍ସିପ୍ରେ ତାଙ୍କ ଟିମ୍ ଫାଇନାଲ୍ରେ ପହଞ୍ଚିଥିଲା । ସେହିପରି ଦିନିକିଆରେ କୋହଲି ଭାରତକୁ ୯୫ରୁ ୬୫ ଏବଂ ଟି-୨୦ରେ ୫୦ରୁ ୩୦ ମ୍ୟାଚ୍ରେ ଜିତାଇଛନ୍ତି । ଦେଶ-ବିଦେଶରେ ସବୁ ଫର୍ମାଟ୍ରେ ଟିମ୍ ଭଲ ଖେଳିଥିଲା ।
କିନ୍ତୁ ଏବେ ଯେଉଁ ଚର୍ଚ୍ଚା ହେଉଛି, ତାହା ତାଙ୍କ ପ୍ରତିଭାର ପରାକାଷ୍ଠାକୁ ନେଇ ନୁହେଁ ବରଂ ତାଙ୍କ କ୍ୟାରିଅରର ଅନ୍ତ ସମୟ ପାଖେଇ ଆସିବା ନେଇ । କୁହାଯାଇଥିଲା ଯେ ସଦ୍ୟ ସମାପ୍ତ ଇଂଲଣ୍ଡ ଗସ୍ତ କୋହଲିଙ୍କ ଭବିଷ୍ୟତ ନିର୍ଦ୍ଧାରଣ କରିବ । ଏବେ ସମୟ କହିବ, ତାଙ୍କ କ୍ୟାରିଅର କେତେ ବାଟ ଯିବ ।
ଜଣେ ଅଭିଜ୍ଞ ଖେଳାଳି ସେତିକିବେଳେ ଅବସର ନେଇଥା’ନ୍ତି, ଯେତେବେଳେ ସେ ବୁଝିପାରନ୍ତି ଯେ ସେ ବହୁତ ଖେଳିସାରିଲେଣି, ଆଉ ଅଧିକ ଖେଳିବା ତାଙ୍କ ପକ୍ଷେ ସମ୍ଭବପର ନୁହେଁ । ଏବେ ଆଉ ତାଙ୍କ ଭିତରେ ପୂର୍ବଭଳି ଫିଟ୍ନେସ୍ ନାହିଁ । ଫର୍ମ ବଜାୟ ରଖିବା ବି ବଡ଼ ଆହ୍ୱାନ ହୋଇଛି । ଏବେ ଯୁବ ଖେଳାଳିଙ୍କ ପାଇଁ ବାଟ ଛାଡ଼ିବାକୁ ହେବ । ନିଜ ପରିବାର ପାଇଁ ସମୟ ଦେବାକୁ ହେବ । ଏବେହିଁ ଖେଳ ଛାଡ଼ିବାର ପ୍ରକୃଷ୍ଟ ସମୟ ।
ଜଣେ ସୁଯୋଗ ପାଉ ନ ଥିବା ଯୁବ କିମ୍ବା ସ୍ୱଳ୍ପାଭିଜ୍ଞ ଖେଳାଳି ଅବସର ନେବା ପଛରେ ବିଭିନ୍ନ କାରଣ ଥାଇପାରେ; କିନ୍ତୁ ଜଣେ ସ୍ୱାଭାବିକ ଅଭିଜ୍ଞ ଖେଳାଳିଙ୍କ ଅବସର ପଛରେ ଏସବୁ କାରଣହିଁ ରହିଥାଏ । ଅବସର ନେଉଥିବା ଏହି ଅଭିଜ୍ଞ ଖେଳାଳିମାନଙ୍କ ମଧ୍ୟରୁ ଜଣେ ଜଣେ ଭଲ ଖେଳୁଥିଲେହେଁ ସେମାନଙ୍କର ଫିଟ୍ନେସ୍ ନ ଥାଏ ଆଉ କେହି କେହି ଫିଟ୍ ଥିଲେ ମଧ୍ୟ ସେମାନଙ୍କର ଫର୍ମ ନ ଥାଏ । ଧୋନି, କୋହଲି ପ୍ରମୁଖଙ୍କ କ୍ଷେତ୍ରରେ ସମସ୍ୟା ଦ୍ୱିତୀୟ ପ୍ରକାରର । ୟୋ ୟୋ ଫିଟ୍ନେସ୍ ଟେଷ୍ଟରେ କେହି ପାସ୍ ହୁଅନ୍ତୁ ବା ନ ହୁଅନ୍ତୁ, ଏହି ଦୁଇ ଜଣ ନିଶ୍ଚୟ ପାସ୍ କରନ୍ତି ।
ତେଣୁ ଫିଟ୍ନେସ୍ କୋହଲିଙ୍କ ପାଇଁ ବଡ଼ ପ୍ରସଙ୍ଗ ନୁହେଁ କି ଧୋନିଙ୍କ ପାଇଁ ବି ନ ଥିଲା । ବ୍ୟାଟିଂ ଫର୍ମହିଁ ବଡ଼ କାରଣ ଥିଲା ଧୋନିଙ୍କ ପାଇଁ, ଆଉ ଏବେ କୋହଲି ସେହି ସମାନ ସମସ୍ୟା ଦେଇ ଗତି କରୁଛନ୍ତି ।
ଆଚରଣ ଦୃଷ୍ଟିରୁ ଧୋନି ଓ କୋହଲିଙ୍କ ମଧ୍ୟରେ ପ୍ରଭେଦ ଥିଲେ ମଧ୍ୟ ଉଭୟ ନିଜ ନିଜ ଶୈଳୀରେ ନେତୃତ୍ୱ ନେବାର ଦକ୍ଷତା ରଖୁଥିଲେ । ଧୋନିଙ୍କ ଉତ୍ତରାଧିକାରୀ ଭାବରେ କୋହଲି ଯେତେବେଳେ ଭାରତୀୟ ଟିମ୍ର ଦାୟିତ୍ୱ ନେଲେ, ସେତେବେଳେ ତାଙ୍କ ଠାରୁ ବଡ଼ ସଫଳତା ଆଶା କରାଯିବାରେ ବିଚିତ୍ରତା ନ ଥିଲା । କିନ୍ତୁ କୋହଲି ଅଧିନାୟକ ଭାବେ ଧୋନିଙ୍କ ଭଳି ବଡ଼ ସଫଳତା ହାସଲ କରିପାରି ନ ଥିଲେ । ସେ କୌଣସି ଆଇସିସି ଟୁର୍ଣ୍ଣାମେଣ୍ଟରେ ଟିମ୍କୁ ଟ୍ରଫି ଜିତାଇପାରି ନ ଥିଲେ ଯେତେବେଳେକି ଧୋନି ସମସ୍ତ ଆଇସିସି ମୁକୁଟ ଜିତାଇଥିଲେ । ଫଳସ୍ୱରୂପ, କୋହଲି ପ୍ରଥମେ ଟି-୨୦ ଓ ଏହାପରେ ଟେଷ୍ଟ ଅଧିନାୟକତ୍ୱ ଛାଡ଼ିଥିଲେ । ତେବେ ଦିନିକିଆ ଅଧିନାୟକତ୍ୱ ତାଙ୍କ ଠାରୁ କାଢ଼ି ନିଆଯାଇଥିଲା । ଏପରିକି ଆଇପିଏଲ୍ରେ ମଧ୍ୟ ସେ ରୟାଲ୍ ଚାଲେଞ୍ଜର୍ସ ବାଙ୍ଗାଲୋରର ନେତୃତ୍ୱ ଦାୟିତ୍ୱରୁ ଅବ୍ୟାହତି ନେଇଥିଲେ ।
କୋହଲି ଦୀର୍ଘ ଦିନ ଧରି ଆଶାଜନକ ବ୍ୟାଟିଂ ପ୍ରଦର୍ଶନ କରିପାରୁ ନାହାନ୍ତି । ତାଙ୍କ ଅଧିନାୟକତ୍ୱ ଛାଡ଼ିବା ପଛର ମୂଳ କାରଣ ଥିଲା, ନିଜ ବ୍ୟାଟିଂ ଉପରେ ଫୋକସ୍ କରିବା । କିନ୍ତୁ ସବୁ ଫର୍ମାଟ୍ରେ ତାଙ୍କର ଦୁର୍ବଳ ପ୍ରଦର୍ଶନ ଅବ୍ୟାହତ ରହିଛି । ବର୍ମିଂହାମ୍ ଟେଷ୍ଟରେ ସେ ୧୧ ଓ ୨୦ ରନ୍ର ଇନିଂସ୍ ଖେଳିଥିଲେ । ସୀମିତ ଓଭର୍ ଶୃଙ୍ଖଳାରେ ବି ସେ ବିଫଳ ହୋଇଥିଲେ । ଫର୍ମକୁ ଫେରିବା ପାଇଁ ଚଳିତ ବର୍ଷ ଆଇପିଏଲ୍ ତାଙ୍କ ପାଇଁ ଭଲ ପ୍ଲାଟ୍ଫର୍ମ ଥିଲା; କିନ୍ତୁ ଏହା ତାଙ୍କ ପାଇଁ ବିଶେଷ ସହାୟକ ହେଲା ନାହିଁ ।
ଶେଷ ଥର କୋହଲି ୨୦୧୯ ନଭେମ୍ବର ୨୩ରେ ବାଂଲାଦେଶ ବିପକ୍ଷ ଟେଷ୍ଟରେ ଶତକ ହାସଲ କରିଥିଲେ । ସେବେଠାରୁ ସେ କ୍ରିକେଟ୍ର କୌଣସି ଫର୍ମାଟ୍ରେ ଗୋଟିଏ ବି ଶତକ ଲଗାଇପାରି ନାହାନ୍ତି । ଶେଷ ଶତକ ପରଠାରୁ ଏ ଯାବତ୍ ସେ ୧୮ ଟେଷ୍ଟ ମ୍ୟାଚ୍ ଖେଳି ସାରିଲେଣି । ସେଥିମଧ୍ୟରୁ ୩୧ ଥର ବ୍ୟାଟିଂ କରିଛନ୍ତି ଏବଂ ମାତ୍ର ଛଅ ଥର ୫୦ ସଂଖ୍ୟା ଅତିକ୍ରମ କରିପାରିଛନ୍ତି । ଏହି ସମୟରେ ତାଙ୍କ ଆଭରେଜ୍ ମାତ୍ର ୨୭.୪୮ ରହିଛି ।
ଆଗକୁ କ’ଣ କରିବେ କୋହଲି?
ବ୍ୟାଟିଂ ଉପରେ ଫୋକସ୍ କରିବା ସହ ନିଜ ଉପରୁ ଚାପ କମାଇବା ପାଇଁ କୋହଲିଙ୍କୁ ଏବେ ସୀମିତ ଓଭର୍ (ଦିନିକିଆ ଓ ଟି-୨୦) ଓ ଟେଷ୍ଟ ମଧ୍ୟରୁୁୁ ଯେକୌଣସି ଗୋଟିଏ ଫର୍ମାଟ୍କୁ ବାଛିବାକୁ ହେବ । ଅନେକ ପୂର୍ବତନ ଖେଳାଳି କ୍ୟାରିଅରର ଶେଷ ବେଳକୁ ଏଇଆ ହିଁ କରିଥା’ନ୍ତି । ସବୁ ଫର୍ମାଟ୍ରେ ସବୁବେଳେ ଭଲ ଖେଳିବା ସମ୍ଭବ ନୁହେଁ । ତେଣୁ କୋହଲି ମଧ୍ୟ ଗୋଟିଏ ଫର୍ମାଟ୍ ଉପରେ ଫୋକସ୍ କଲେ ଭଲ । ଖେଳକୁ ଦୀର୍ଘସ୍ଥାୟୀ କରିବାକୁ ହେଲେ ଏହା ପ୍ରମୁଖ ଉପାୟ, ଯାହା ଫଳରେ ତାଙ୍କ ଉପରେ ଅଧିକ ଖେଳର ଚାପ ରହିବନି ଏବଂ ଫିଟ୍ନେସ୍ ବି ବଜାୟ ରହିବ । ‘ଯେତିକି ଖେଳିବେ, ଭଲ ଖେଳିବେ’ ନୀତିରେ କ୍ୟାରିଅରର ଅନ୍ତିମ ସୋପାନରେ ତାଙ୍କୁ ଅଧିକ ସମାଲୋଚିତ ହେବାକୁ ପଡ଼ିବନି ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *