ଆଜିର ନୁହେଁ, ୨ଠଠ ବର୍ଷ ପୁରୁଣା
ଅଗ୍ନିପଥରେ ଜାତି, ଧର୍ମ ପ୍ରମାଣପତ୍ର ବିବାଦ
ନୂଆଦିଲ୍ଲୀ (ଏଜେନ୍ସି): ବହୁ ବିବାଦ, ପ୍ରତିରୋଧ, ବିକ୍ଷୋଭ, ଜଳାପୋଡା, ହିଂସାକାଣ୍ଡ ସତ୍ତ୍ୱେ ଦେଶର ଯୁବଗୋଷ୍ଠୀ ତିନି ସେନାବାହିନୀ(ଜଳ, ସ୍ଥଳ ଏବଂ ବାୟୁ) ପକ୍ଷରୁ ଜାରି ରହିଥିବା ନିଯୁକ୍ତି ପ୍ରକ୍ରିୟାରେ ଭର୍ତ୍ତି ହେବା ପାଇଁ ଭାରି ମାତ୍ରାରେ ଆବେଦନ କରୁଥିବା ଦେଖିବାକୁ ମିଳୁଛି । ତେବେ ଭର୍ତ୍ତି ସମୟରେ ସେନାବାହିନୀ ପକ୍ଷରୁ ଆଶାୟୀଙ୍କୁ ଜାତିଗତ ପ୍ରମାଣପତ୍ର ମଗାଯାଉଥିବା ଏବଂ ତଦନୁସାରେ ସେମାନଙ୍କ ରେଜିମେଣ୍ଟ ଚୟନ କରାଯାଉଥିବା ଭଳି ଅଭିଯୋଗ ଆସିବା ପରେ ଏହାକୁ ନେଇ ବିବାଦ ତୀବ୍ର ହେବାରେ ଲାଗିଛି ।
ପ୍ରକାଶ, କେନ୍ଦ୍ର ସରକାରଙ୍କ ନୂଆ ଅଗ୍ନିପଥ ଯୋଜନା ଅନ୍ତର୍ଗତ ୪ ବର୍ଷୀୟା ଅବଧିର ଏହି ନିଯୁକ୍ତିକୁ ନେଇ ଦେଶର ପ୍ରତିରକ୍ଷା ସେବା କ୍ଷେତ୍ରରେ ଭର୍ତ୍ତି ହେବା ପାଇଁ ଆଶା ବାନ୍ଧିଥିବା ଅନେକ ଯୁବକ/ଯୁବତୀଙ୍କୁ ଜୋରଦାର ଝଟ୍କା ଲାଗିଥିଲା । ଯୁବଗୋଷ୍ଠୀ ରାଜରାସ୍ତାକୁ ଓହ୍ଲାଇଥିବା ବେଳେ ବିରୋଧୀ ରାଜନୈତିକ ଦଳ ମଧ୍ୟ ସେମାନଙ୍କ ସ୍ୱରରେ ସ୍ୱର ମିଶାଇଥିଲେ । ପ୍ରଥମରୁ ହିଁ ଏପ୍ରକାର ଏକ ଯୋଜନାକୁ ପ୍ରତ୍ୟାହାର କରିବା ନେଇ କେନ୍ଦ୍ର ସରକାରଙ୍କ ଉପରେ ଚାପ ପ୍ରୟୋଗ କରାଯାଇଆସୁଛି । ଏସବୁ ସତ୍ତ୍ୱେ ଦେଶର ତିନି ସେନା ବାହିନୀରେ ନିଯୁକ୍ତି ପ୍ରକ୍ରିୟା ଜାରି ରହିଛି । ଭାରି ମାତ୍ରାରେ ଯୁବଗୋଷ୍ଠୀ ଆବେଦନ କରୁଛନ୍ତି । ତେବେ ଏହି ଆଶାୟୀଙ୍କୁ ନିଯୁକ୍ତି ସମୟରେ ଜାତିଗତ ସାର୍ଟିଫିକେଟ୍ ଦାଖଲ ପାଇଁ ସେନା ପକ୍ଷରୁ କୁହାଯାଉଛି । ଏହାକୁ ନେଇ ବିରୋଧ ହେବା ପରେ ସେନା ସଫେଇ ଦେଇ କହିଛ ଯେ, ଅଗ୍ନିପଥ ଯୋଜନା ପୂର୍ବରୁ ମଧ୍ୟ ସେନା ନିଯୁକ୍ତି ପ୍ରକ୍ରିୟାରେ ଜାତିଗତ ସାର୍ଟିଫିକେଟ୍ ଦାଖଲ ବାଧ୍ୟତାମୂଳକ ରହିଆସିଛି । ଏଥିରେ କୌଣସି ପ୍ରକାର ପରିବର୍ତ୍ତନ କରାଯାଇପାରିବନି । ତେବେ ଜାତି ତଥା ଧର୍ମଗତ ସାର୍ଟିଫିକେଟ୍କୁ ନେଇ କାହିଁକି ଏତେ ବିବାଦ? ଏହା କେବେଠାରୁ ସେନାରେ ଲାଗୁ କରାଯାଇଛି? ଏହାକୁ କ’ଣ ବାସ୍ତବରେ ପ୍ରତ୍ୟାହାର କରାଯାଇପାରିବନି? ଏସମ୍ପର୍କରେ ଏକ ବିସ୍ତୃତ ରିପୋର୍ଟ ଏଠାରେ ଉଲ୍ଲେଖ କରୁଛୁ । ଦେଶର ବହୁ ପୂର୍ବତନ ସେନା ମୁଖ୍ୟ, ସାମରିକ ବିଶେଷଜ୍ଞଙ୍କ କହିବାନୁସାରେ ପ୍ରକୃତରେ ବି୍ରଟିଶ ସରକାର ସମୟରେ ହିଁ ସେନାରେ ଭର୍ତ୍ତି ହେବା ପାଇଁ ଆବେଦନ କରୁଥିବା ଯୁବକ/ ଯୁବତୀଙ୍କ ଜାତି, ସମ୍ପ୍ରଦାୟ ଏବଂ କ୍ଷେତ୍ରୀୟ ଅଞ୍ଚଳକୁ ଦୃଷ୍ଟିରେ ସେନାରେ ବିଭିନ୍ନ ପ୍ରକାର ରେଜିମେଣ୍ଟ ଗଠନ କରାଯାଇଥିଲା । ସେବେଠାରୁ ଏହି ନିୟମ ଭାରତୀୟ ସେନାରେ ଚାଲିଆସିଛି । ଯଦିଓ ସେନାରେ ଭର୍ତ୍ତି ହେବା ପାଇଁ ଜାତି, ଧର୍ମ, ସମୁଦାୟ ଆଦି ସବୁର କୌଣସି ଭୂମିକା ନାହିଁ, ତଥାପି ଏହି ନିୟମକୁ ଭାରତ ସରକାର ଏବଂ ଭାରତୀୟ ସେନା ପାଳନ କରିଆସୁଛନ୍ତି । ପ୍ରକାଶ, ୨ଠ୧୩ରେ ସୁପ୍ରିମକୋର୍ଟରେ ଏକ ସତ୍ୟପାଠ ଦାଖଲ ପୂର୍ବକ ଭାରତୀୟ ସ୍ଥଳ ସେନା ସ୍ପଷ୍ଟ କରିଥିଲା ଯେ, ସେନାରେ ଜାତି, ସମୁଦାୟ, ଧର୍ମ ଆଧାରରେ ଭର୍ତ୍ତି ହୋଇନଥାଏ । ଅନ୍ୟପକ୍ଷେ ରେଜିମେଣ୍ଟରେ ଗୋଟିଏ କ୍ଷେତ୍ରରୁ ଆସୁଥିବା ନାଗରିକଙ୍କୁ ଉକ୍ତ ରେଜିମେଣ୍ଟରେ ସ୍ଥାନିତ କରାଯିବା ପ୍ରସଙ୍ଗରେ ସଫେଇ ଦେଇ କହିଥିଲା ଯେ, ଆଡମିନିଷ୍ଟ୍ରେଟିଭ୍ ଏବଂ କାର୍ଯ୍ୟନ୍ୱୟତା ଆବଶ୍ୟକତା ଅନୁସାରେ ଏପରି କରାଯାଇଥାଏ । କେବଳ ଭାରତୀୟ ସ୍ଥଳସେନାରେ ହିଁ ଏପ୍ରକାର ରେଜିମେଣ୍ଟ ବ୍ୟବସ୍ଥା ରହିଛି । ଭାରତୀୟ ନୌସେନା ଏବଂ ବାୟୁସେନାରେ ଏପ୍ରକାର ରେଜିମେଣ୍ଟ ନାହିଁ । ୧୭ଠ୫ରେ ପଞ୍ଜାବ ରେଜିମେଣ୍ଟ ଗଠନ କରାଯାଇଥିଲା ଯାହାକି ସର୍ବପୁରାତନ ରେଜିମେଣ୍ଟ ଭାବେ ବିବେଚିତ ହୋଇଆସୁଛି । ମୋଟାମୋଟି ଭାରତୀୟ ସେନାରେ ଏବେ ୨୭ ରେଜିମେଣ୍ଟ ରହିଛି । ଏସବୁ ରେଜିମେଣ୍ଟ ଇଂରେଜ ସରକାର ସମୟରେ ହିଁ ଗଠନ କରାଯାଇଥିଲା । ୧୯୪୯ ପରଠାରୁ ସେନାରେ ଆଉ କୌଣସି ନୂଆ ରେଜିମେଣ୍ଟ୍ ଗଠନ କରାଯାଇନାହିଁ । ଏତଦ୍ବ୍ୟତୀତ ପ୍ରଥମ ବିଶ୍ୱଯୁଦ୍ଧ ଏବଂ ଦ୍ୱିତୀୟ ବିଶ୍ୱ ଯୁଦ୍ଧ ପରେ ପରେ ତକ୍ରାଳୀନ ବି୍ରଟେନ୍ ସରକାର, ନିଜେ ଗଢ଼ିଥିବା ଅନେକ ରେଜିମେଣ୍ଟ (ବ୍ରାହ୍ମଣ-ଚମ୍ଭାର)ଗୁଡ଼ିକୁ ମଧ୍ୟ ଭାଙ୍ଗିଦେଇଥିଲା । ସିଧାସଳଖ କହିଲେ ଭାରତୀୟ ସେନାରେ ଜାତିଗତ ପ୍ରମାଣପତ୍ର ମଗାଯିବା ପ୍ରକ୍ରିୟା ଏବେକାର ନୁହେଁ ବରଂ ୨ଠଠ ବର୍ଷ ପୁରୁଣା । ପ୍ରକାଶ, ୨ଠ୧୬ରେ ମଧ୍ୟ ଭାରତୀୟ ସେନାରେ ଚାଲିଥିବା ଏହି ଜାତିଗତ ପ୍ରମାଣପତ୍ର ବାଧ୍ୟତାମୂଳକ ପ୍ରକ୍ରିୟାକୁ ଶେଷ କରିବା ପାଇଁ ବିଜେପି ନେତୃତ୍ୱାଧୀନ ଏନ୍ଡିଏ ସରକାର ଉପରେ ଚାପ ପକାଯାଇଥିଲା । ମାତ୍ର ତକ୍ରାଳୀନ ପ୍ରତିରକ୍ଷା ମନ୍ତ୍ରୀ (ଦିବଂଗତ) ତଥା ପୂର୍ବତନ ଗୋଆ ମୁଖ୍ୟମନ୍ତ୍ରୀ ମନୋହର ପାରିକର ଏହି ପ୍ରକ୍ରିୟାକୁ ଶେଷ କରିବାକୁ ମନା କରିଦେଇଥିଲେ ।