୧୩ ରାଜ୍ୟରେ କ୍ରସ୍ ଭୋଟିଂ
ରାଷ୍ଟ୍ରପତି ନିର୍ବାଚନ
ନୂଆଦିଲ୍ଲୀ (ଏଜେନ୍ସି): ଦେଶର ପ୍ରଥମ ଆଦିବାସୀ ମହିଳା ରାଷ୍ଟ୍ରପତି ହେବାକୁ ଯାଉଥିବା ଓଡ଼ିଆ ଝିଅ ଦ୍ରୌପଦୀ ମୁର୍ମୁଙ୍କୁ ନେଇ ଏବେ ସମଗ୍ର ଭାରତ ତଥା ବିଶ୍ୱରେ ଜୋରଦାର ଚର୍ଚ୍ଚା ହେଉଛି । ତେବେ ବିଜେପି ନେତୃତ୍ୱାଧୀନ ଏନ୍ଡିଏ ପକ୍ଷରୁ ଦ୍ରୌପଦୀଙ୍କୁ ପ୍ରାର୍ଥୀ କରାଯିବା ବିଜେପିର ଅସଲ ଚାଲ୍କୁ ସଫଳ କରିଦେଇଛି । ମୁର୍ମୁଙ୍କ ଆଳରେ ବିଜେପି ବିରୋଧୀ ଏକତାକୁ ଭାଙ୍ଗିରୁଜି ଚୁରମାର୍ କରିଦେଇଛି । ଅନେକ ବିରୋଧୀ ଦଳର ନେତା (ବିଧାୟକ ଏବଂ ନିର୍ବାଚିତ ସାଂସଦ) ବିରୋଧୀ ମେଣ୍ଟ ପ୍ରାର୍ଥୀ ଯଶୋୱନ୍ତ ସିହ୍ନାଙ୍କୁ ଭୋଟ୍ ଦେବା ବଦଳରେ ମୁର୍ମୁଙ୍କୁ ଭୋଟ୍ ଦେଇଥିବା ଜାଣିବାକୁ ମିଳିଛି । ଫଳରେ ବିଜେପି ମୁର୍ମୁଙ୍କୁ ଯେତିକି ଭୋଟ୍ ମିଳିବା ନେଇ ପୂର୍ବାନୁମାନ କରିଥିଲା ତାହା ଠାରୁ ଯଥେଷ୍ଟ ଅଧିକ ଭୋଟ୍ କ୍ରସ୍ ଭୋଟିଂ ଜରିଆରେ ମୁର୍ମୁଙ୍କୁ ମିଳିଛି । ପ୍ରାପ୍ତ ସୂଚନାନୁସାରେ ୬୪.ଠ୩% ଭୋଟ୍ ପାଇଥିବା ମୁୂର୍ମୁୁଙ୍କ ସପକ୍ଷରେ ୧୩ ରାଜ୍ୟର ୧୧୯ ବିଧାୟକ କ୍ରସ୍ ଭୋଟିଂ କରିଥିବା ଏବେ ଦାବି କରାଯାଉଛି । ବିଶେଷକରି ସେହିସବୁ ରାଜ୍ୟରେ ମୁଖ୍ୟତଃ କ୍ରସ୍ ଭୋଟିଂ ହୋଇଛି ଯେଉଁଠି ମୁଖ୍ୟ ବିରୋଧୀ ଦଳ କଂଗ୍ରେସ କ୍ଷମତାରେ କିମ୍ବା ମେଣ୍ଟ ସହଯୋଗୀ ଭାବେ କ୍ଷମତାସୀନ ରହିଥିବା କୁହାଯାଉଛି । ଏତଦ୍ବ୍ୟତୀତ ମୋଟ୍ ୧୭ଜଣ ସାଂସଦ ମଧ୍ୟ ରାଷ୍ଟ୍ରପତି ନିର୍ବାଚନରେ କ୍ରସ ଭୋଟିଂ କରିଥିବା ଜାଣିବାକୁୂ ମିଳିଛି । ଅନ୍ୟପକ୍ଷେ ବିରୋଧୀ ମେଣ୍ଟ ପକ୍ଷରୁ ପ୍ରାର୍ଥୀ ହୋଇଥିବା ଯଶୋୱନ୍ତ ସିହ୍ନାଙ୍କୁ ଦେଶର ୩ଟି ରାଜ୍ୟରୁ ଗୋଟିଏ ହେଲେ ଭୋଟ୍ ନମିଳିବା ସମସ୍ତଙ୍କୁ ଆଶ୍ଚର୍ଯ୍ୟଚକିତ କରିଛି । ମୁର୍ମୁଙ୍କ ତୁଳନାରେ ଯଶୋୱନ୍ତଙ୍କୁ ମାତ୍ର ୩୫.୯୭% ଭୋଟ୍ ମିଳିଛି । ତେବେ ଏସବୁ ମଧ୍ୟରେ ଏନ୍ଡିଏ ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁଙ୍କ ବିଜୟକୁ ବିଜେପି ଯେଉଁଭାବେ ବିଜୟଉତ୍ସବ ଭାବେ ପାଳନ କରୁଛି, ବିରୋଧୀ ଦଳଙ୍କ ପାଇଁ ଏହା ୨ଠ୨୨, ୨ଠ୨୩ ଏବଂ ୨ଠ୨୪ରେ ହେବାକୁ ଥିବା ବିଧାନସଭା ଏବଂ ଲୋକସଭା ନିର୍ବାଚନ ପାଇଁ ରାଜନେହତି ସତର୍କ ଘଣ୍ଟି ବୋଲି ବିବେଚନା କରାଯାଉଛି । ହସ୍ତଗତ ହୋଇଥିବା ରିପୋର୍ଟ ଅନୁସାରେ ହରିଆଣାରେ ୧, ଉତ୍ତରପ୍ରଦେଶରେ ୧୨, ଆସାମରେ ୧୨, ଅରୁଣାଚଳ ପ୍ରଦେଶରେ ୧, ବିହାରରେ ୬, ରାଜସ୍ଥାନରେ ୫, ଗୁଜରାଟରେ ୧ଠ, ମଧ୍ୟପ୍ରଦେଶରେ ୧୯, ମେଘାଳୟରେ ୭, ଝାଡଖଣ୍ଡରେ ୧ଠ, ଛତିଶଗଡରେ ୬, ଗୋଆରେ ୪ ଏବଂ ମହାରାଷ୍ଟ୍ରରେ ୧୬ଟି କ୍ରସ୍ ଭୋଟିଂ ହୋଇଛି । ସୂଚନାଯୋଗ୍ୟ, ଆସାମ ବିଧାନସଭାରେ ବିରୋଧୀ ଦଳଙ୍କ ବିଧାୟକମାନଙ୍କ ମୋଟ୍ ସଂଖ୍ୟା ୩୯ ରହିଥିବା ବେଳେ ଏଥିମଧ୍ୟରୁ ୨୫ଜଣ କଂଗ୍ରେସର । ଏହି ୨୫ଜଣଙ୍କ ମଧ୍ୟରୁ ୨୨ଜଣ ବିଧାୟକ କଂଗ୍ରେସର ଦଳୀୟ ହ୍ୱିପ୍କୁ ଅବମାନନା କରିବା ସହ ମୁର୍ମୁଙ୍କ ସପକ୍ଷରେ କ୍ରସ୍ ଭୋଟ୍ କରିଥିବା ଜାଣିବାକୁ ମିଳିଛି । ସେହିପରି ମଧ୍ୟପ୍ରଦେଶର ମୋଟ୍ ୨୩ଠ ଆସନ ବିଶିଷ୍ଟ ବିଧାନସଭାରୁ ମୁର୍ମୁଙ୍କ ସପକ୍ଷରେ ୧୪୬ ଖଣ୍ଡ ଭୋଟ୍ ପଡିଥିବା ବେଳେ ଏଠାରେ ୧୯ଖଣ୍ଡ ଭୋଟ୍ କ୍ରସ୍ ଭୋଟିଂ ହୋଇଥିବା ବିଜେପି ଦାବି କରୁଛି । ରାଜସ୍ଥାନରେ ମଧ୍ୟ ୨ଠଠ ଆସନ ମଧ୍ୟରୁ ବିଜେପି ପାଖରେ ମାତ୍ର ୭ଠଟି ଆସନ ଥିବା ବେଳେ ମୁର୍ମୁଙ୍କୁ ଏଠାରେ ୭୫ଖଣ୍ଡ ଭୋଟ୍ ମିଳିଛି । ଅର୍ଥାତ୍ ଏଠାରେ ୫ ଖଣ୍ଡ ଭୋଟ୍ କ୍ରସ୍ ଭୋଟିଂ ହୋଇଥିବା ସ୍ପଷ୍ଟ ହୋଇଛି । ସେହିପରି ସଂଖ୍ୟା ଗଣିତକୁ ଦୃଷ୍ଟି ଦେଲେ ହରିଆଣା, ଉତ୍ତରପ୍ରଦେଶ, ଅରୁଣାଚଳ ପ୍ରଦେଶ, ବିହାର, ଗୁଜରାଟ, ମେଘାଳୟ, ଝାଡଖଣ୍ଡ, ଛତିଶଗଡ଼, ଗୋଆ ଏବଂ ମହାରାଷ୍ଟ୍ର ଆଦି ରାଜ୍ୟରେ ମଧ୍ୟ ବ୍ୟାପକ କ୍ରସ୍ ଭୋଟିଂ ହୋଇଥିବା ସ୍ପଷ୍ଟ ହୋଇଛି । ଆଗାମୀ ଦିନରେ ଏସବୁ ମଧ୍ୟରୁ କେତେକ ରାଜ୍ୟରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବାକୁ ଥିବା ବେଳେ ବିରୋଧୀ ଦଳ କ୍ରସ ଭୋଟ୍କୁ ନେଇ ଏବେଠାରୁ ଚିନ୍ତା କରିବା ଜରୁରି ହୋଇପଡିଛି ।