ଓଡ଼ିଆ ଝିଅ ରାଷ୍ଟ୍ରପତି
ଦ୍ରୌପଦୀ ମୁର୍ମୁଙ୍କ ସପକ୍ଷରେ ୬,୭୬,୮୦୩ ଭୋଟ୍, ବିରୋଧୀ ପ୍ରାର୍ଥୀ ଯଶୱନ୍ତ ସିହ୍ନାଙ୍କୁ ୩,୮୦,୧୭୭
ଦ୍ରୌପଦୀଙ୍କୁ ଦେଶ ବିଦେଶରୁ ଶୁଭେଚ୍ଛାର ସୁଅ
ନୂଆଦିଲ୍ଲୀ, ୨୧ା୭: ଓଡ଼ିଆ ଝିଅ ଦ୍ରୌପଦୀ ମୁର୍ମୁ ହେବେ ଦେଶର ପଞ୍ଚଦଶ ତଥା ପ୍ରଥମ ଆଦିବାସୀ ମହିଳା ରାଷ୍ଟ୍ରପତି । ଗୁରୁବାର ସଂସଦ ଭବନରେ ଅନୁଷ୍ଠିତ ମତଗଣନାର ତୃତୀୟ ରାଉଣ୍ଡରେ ଦ୍ରୌପଦୀ ମୋଟ୍ ବୈଧ ମତର ୫୦ ପ୍ରତିଶତ ସଂଖ୍ୟା ଅତିକ୍ରମ କରିଥିଲେ । ଅନ୍ତିମ ପର୍ଯ୍ୟାୟ ଗଣନା ପରେ ଦ୍ରୌପଦୀ ସର୍ବମୋଟ୍ ୬,୭୬,୮୦୩ ଭୋଟ୍ ପାଇଥିବାବେଳେ ବିରୋଧୀ ମେଣ୍ଟର ମିଳିତ ପ୍ରାର୍ଥୀ ଯଶୱନ୍ତ ସିହ୍ନାଙ୍କୁ ମିଳିଛି ୩,୮୦,୧୭୭ ଭୋଟ୍ । ଅର୍ଥାତ୍ ଦ୍ରୌପଦୀ ୨,୯୬,୬୨୬ ଭୋଟ୍ ବ୍ୟବଧାନରେ ବିପୁଳ ବିଜୟ ହାସଲ କରିଛନ୍ତି ।
ବର୍ତ୍ତମାନର ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ କାର୍ଯ୍ୟକାଳ ଆସନ୍ତା ୨୪ରେ ଶେଷ ହେବ । ଦ୍ରୌପଦୀ ମୁର୍ମୁ ନୂଆ ରାଷ୍ଟ୍ରପତି ଭାବେ୨୫ ତାରିଖ ଦିନ ଶପଥ ଗ୍ରହଣ କରିବେ । ଏହା କେବଳ ଓଡିଶା ନୁହେଁ ସମଗ୍ର ଦେଶ ପାଇଁ ଏକ ଐତିହାସିକ ମୁହୂର୍ତ୍ତ ।
କ୍ଷମତାସୀନ ରାଷ୍ଟ୍ରୀୟ ଗଣତାନ୍ତ୍ରିକ ମେଣ୍ଟ (ଏନ୍ଡିଏ) ପ୍ରାର୍ଥୀ ଦ୍ରୌପଦୀଙ୍କ ସପକ୍ଷରେ ଅନେକ ରାଜ୍ୟରେ କ୍ରସ୍ ଭୋଟିଂ ହୋଇଥିଲା । ୧୦୪ ବିଧାୟକ ଓ ୧୭ଜଣ ସାଂସଦ ଦ୍ରୌପଦୀଙ୍କ ସପକ୍ଷରେ କ୍ରସ୍ ଭୋଟିଂ କରିଥିବାବେଳେ ମୋଟ ୧୫ଟି ଭୋଟ୍ ଅବୈଧ ଘୋଷିତ ହୋଇଛି । ଦ୍ରୌପଦୀଙ୍କ ସମର୍ଥକ ସାଂସଦ ସଂଖ୍ୟା ଥିଲା ୫୨୩ । ତାଙ୍କୁ ୫୪୦ ସାଂସଦଙ୍କ ଭୋଟ୍ ମିଳିଛି । ଅର୍ଥାତ୍ ୧୭ଜଣ ସାଂସଦ ତାଙ୍କ ସପକ୍ଷରେ କ୍ରସ୍ ଭୋଟିଂ କରିଛନ୍ତି । ସେହିପରି ୧୬ ରାଜ୍ୟରେ ୧୦୪ ବିଧାୟକ ଦ୍ରୌପଦୀଙ୍କ ସପକ୍ଷରେ କ୍ରସ୍ ଭୋଟିଂ କରିଛନ୍ତି ।
ବିଜୟ ପାଇଁ ୫,୪୩,୨୬୧ ମୂଲ୍ୟର ଭୋଟ୍ ଆବଶ୍ୟକ ହେଉଥିବାବେଳେ ରାଜ୍ୟସଭା ମହାସଚିବ (ରିଟର୍ଣ୍ଣିଂ ଅଫିସର) ପି.ସି.ମୋଦୀଙ୍କ ସୂଚନାନୁଯାୟୀ, ଦ୍ରୌପଦୀଙ୍କୁ ତୃତୀୟ ପର୍ଯ୍ୟାୟ ମତ ଗଣନାରେ ମିଳିଥିଲା ୫,୭୭,୭୭୭ ମୂଲ୍ୟର ଭୋଟ୍ । ଅପରପକ୍ଷେ ବିରୋଧୀ ଦଳମାନଙ୍କ ମିଳିତ ପ୍ରାର୍ଥୀ ଯଶୱନ୍ତ ସିହ୍ନାଙ୍କୁ ମିଳିଛି ମାତ୍ର ୨,୬୧,୦୬୨ ମୂଲ୍ୟର ଭୋଟ୍ । ତୃତୀୟ ପର୍ଯ୍ୟାୟ ମତଗଣନାରେ ଓଡିଶା, କର୍ଣ୍ଣାଟକ, କେରଳ, ମଧ୍ୟପ୍ରଦେଶ ଓ ମହାରାଷ୍ଟ୍ର, ମଣିପୁର, ମେଘାଳୟ, ମିଜୋରାମ, ନାଗାଲାଣ୍ଡ ଓ ପଞ୍ଜାବ ଅନ୍ତୁର୍ଭକ୍ତ ଥିଲା । ଏହି ପର୍ଯ୍ୟାୟର ମୋଟ୍ ବୈଧ ମତ ଥିଲା ୧,୩୩୩ ଯାହାର ମୋଟ୍ ଭୋଟ୍ ମୂଲ୍ୟ ୧,୬୫,୬୬୬୪ । ଏହି ପର୍ଯ୍ୟାୟରେ ଦ୍ରୌପଦୀ ମୁର୍ମୁଙ୍କୁ ୮୧୨ ଭୋଟ୍ ମିଳିଥିବା ସ୍ଥଳେ ଯଶୱନ୍ତ ସିହ୍ନା ପାଇଥିଲେ ୫୨୧ ଭୋଟ୍ ।
ଦ୍ରୌପଦୀ ମୁର୍ମୁଙ୍କୁ ଦେଶ ବିଦେଶରୁ ଶୁଭେଚ୍ଛାର ସୁଅ ଛୁଟିଛି । ରାଷ୍ଟ୍ରପତି ରାମନାଥ କୋବିନ୍ଦ, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ, ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା, ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା, କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ, ଲୋକସଭା ବାଚସ୍ପତି ଓମ୍ ବିରଳା, ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏବଂ ବିରୋଧୀ ଦଳର ବହୁ ନେତା ଦ୍ରୌପଦୀଙ୍କୁ ଏହି ବିଜୟ ପାଇଁ ଅଭିନନ୍ଦନ ଜଣାଇଛନ୍ତି । ବିରୋଧୀ ପକ୍ଷର ମିଳିତ ପ୍ରାର୍ଥୀ ଯଶୱନ୍ତ ସିହ୍ନା ଦ୍ରୌପଦୀଙ୍କୁ ଅଭିନନ୍ଦନ ଜଣାଇବା ସହ ଟ୍ୱିଟ୍ କରି ଲେଖିଛନ୍ତି, ବିଜୟ ନିମିତ୍ତ ଅନ୍ତରର ଗଭୀରତମ ପ୍ରଦେଶରୁ ଅଭିନନ୍ଦନ । ୧୫ଶ ରାଷ୍ଟ୍ରପତି ଭାବେ ଆପଣ ଚାପର ବଶବର୍ତ୍ତୀ ନ ହୋଇ ସମ୍ବିଧାନର ସୁରକ୍ଷା ନିମିତ୍ତ କାର୍ଯ୍ୟକରିବେ ବୋଲି ପ୍ରତ୍ୟେକ ଆଶା କରନ୍ତି । ସୋସାଲ୍ ମିଡିଆରେ ଅସଂଖ୍ୟ ଶୁଭେଚ୍ଛୁ ଦ୍ରୌପଦୀଙ୍କୁ ବଧେଇ ଜଣେଇଛନ୍ତି ।