୨୨ ବର୍ଷ ଧରି ଶାସନରେ ରହିବା ଅବିଶ୍ୱସନୀୟ

ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ଅଭିନେତା ଆର୍. ମାଧବନ୍
ଭୁବନେଶ୍ୱର (ବୁ୍ୟରୋ): ବଲିଉଡ ଅଭିନେତା ଆର୍. ମାଧବନ ଗୁରୁବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟି ପ୍ରଶଂସା କରିଛନ୍ତି । ଲଗାତାର ୨୨ ବର୍ଷ ଧରି ମୁଖ୍ୟମନ୍ତ୍ରୀ ଭାବେ ରହିବା କେବେ ଶୁଣାନଯାଇଥିବା ଭଳି ଘଟଣା ବୋଲି ମାଧବନ କହିଛନ୍ତି । କେବଳ ରାଜନୈତିକ ଅଙ୍କକଷା ଦ୍ୱାରା ଲମ୍ବା ଅବଧି ପାଇଁ କ୍ଷମତାର କେହି ରହିପାରିବେ ନାହିଁ । ଏଥିପାଇଁ ଲୋକ ସମର୍ଥନ ଓ ଭଲପାଇବା ଆବଶ୍ୟକ । ମାଧବନ ପ୍ରଥମ ଥର ଭୁବନେଶ୍ୱର ଆସିଥିବାବେଳେ ଏହା ବାସ୍ତବରେ ବହୁତ ସୁନ୍ଦର ଓ ପରିଷ୍କାର ବୋଲି କହିଛନ୍ତି ।
କଳିଙ୍ଗ ଷ୍ଟାଡିୟମର ବିକାଶ ପାଇଁ ମୁଖ୍ୟମନ୍ତ୍ରୀଙ୍କ ଦୂରଦୃଷ୍ଟି ସମ୍ପନ୍ନ ଚିନ୍ତାଧାରା ବିରଳ । ଖେଳାଳୀଙ୍କ ରହିବା ପାଇଁ ଷ୍ଟାଡିୟମରେ ଯେଉଁ ବ୍ୟବସ୍ଥା କରାଯାଇଛି ତାହା ଚମକ୍ରାର ବୋଲି ମାଧବନ କହିଛନ୍ତି । ନିକଟରେ ମାଧବନଙ୍କ ଅଭିନିତ ଚଳଚ୍ଚିତ୍ର ‘ରକେଟାରୀ’କୁ ମୁଖ୍ୟମନ୍ତ୍ରୀ ପ୍ରଶଂସା କରିଥିଲେ । ଆପଣ ଚଳଚ୍ଚିତ୍ର ଦେଖନ୍ତି ବୋଲି ମାଧବନଙ୍କ ପ୍ରଶ୍ନରେ ମୁଖ୍ୟମନ୍ତ୍ରୀ ‘ହଁ ଦେଖେ’ ବୋଲି କହିଥିଲେ । ମାଧବନ ମୁଖ୍ୟମନ୍ତ୍ରୀଙ୍କ ପାଇଁ ଫିଲ୍ମର ସ୍ପେଶାଲ ସ୍କ୍ରିନିଂ ପାଇଁ ପ୍ରସ୍ତାବ ଦେଇଥିବା ନଜରକୁ ଆସିଛି । ଏହି ଅବସରରେ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ମାଧବନ ଏବଂ ପରିବାରକୁ ହକି ଇଣ୍ଡିଆ ଜର୍ସି ପ୍ରଦାନ କରିଛନ୍ତି । ସାକ୍ଷାତକାରରେ ଅନ୍ୟମାନଙ୍କ ମଧ୍ୟରେ ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ଭି କେ ପାଣ୍ଡିଆନ ଓ ଅଭିନେତା ମାଧବନଙ୍କ ପତ୍ନୀ ଉପସ୍ଥିତ ଥିଲେ ।
ସୂଚନାଯୋଗ୍ୟ, କଳିଙ୍ଗ ଷ୍ଟାଡିୟମର ବିଜୁ ପଟ୍ଟନାୟକ ସ୍ୱିଇମିଙ୍ଗପୁଲ କମ୍ପ୍ଲେକ୍ସରେ ଉଦ୍ୟାପିତ ପ୍ରତିଯୋଗିତାରେ କର୍ଣ୍ଣାଟକକୁ ସର୍ବାଧିକ ୭୮ଟି ପଦକ ମିଳିଛି । ଏହି ପ୍ରତିଯୋଗିତାରେ ଅତିଥି ଭାବେ ଆର. ମାଧବନ ଯୋଗ ଦେଇଥିଲେ । ମାଧବନଙ୍କ ପୁଅ ଭେଦାନ୍ତ ମଧ୍ୟ ଉକ୍ତ ପ୍ରତିଯୋଗିତାରେ ଅଂଶଗ୍ରହଣ କରି ଭଲ ପ୍ରଦର୍ଶନ କରିଛନ୍ତି । ଭେଦାନ୍ତକୁ ପ୍ରଶଂସା କରି ସେ ଭାରତ ପାଇଁ ଅଲମ୍ପିକ୍ସରେ ସ୍ୱର୍ଣ୍ଣ ପଦକ ଆଣିବେ ବୋଲି ମୁଖ୍ୟମନ୍ତ୍ରୀ ଆଶା ବ୍ୟକ୍ତ କରିଛନ୍ତି ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *