ଜାଭଲିନ୍ ଫାଇନାଲ୍ସରେ ଅନ୍ନୁ

ୟୁଗେନି, ୨୧ା୭ (ବୁ୍ୟରୋ): ସିଜନ୍ର ସର୍ବଶ୍ରେଷ୍ଠ ପ୍ରଦର୍ଶନ ଠାରୁ ନିମ୍ନ ହେଲେହେଁ ନିଜ ଶେଷ ପ୍ରୟାସ ବଳରେ ଭାରତୀୟ ମହିଳା ଜାଭଲିନ୍ ଥ୍ରୋଅର ଅନ୍ନୁ ରାଣୀ ବିଶ୍ୱ ଦୌଡ଼କୁଦ ପ୍ରତିଯୋଗିତାରେ କ୍ରମାଗତ ଦ୍ୱିତୀୟ ଥର ଫାଇନାଲ୍ସ ପାଇଁ ଯୋଗ୍ୟତା ଅର୍ଜନ କରିଛନ୍ତି ।
ପ୍ରତିଯୋଗିତାର ପଞ୍ଚମ ଦିନ ଫାଉଲ୍ ଥ୍ରୋ’ରୁ ଆରମ୍ଭ କରିଥିବା ଅନ୍ନୁ ନିଜ ଦ୍ୱିତୀୟ ପ୍ରୟାସରେ ୫୫.୩୫ମି. ଦୂରତ୍ୱ ନିର୍ଦ୍ଧାରଣ କରିବା ପରେ ଅଭିଯାନ ଅନ୍ତର ଦ୍ୱାରଦେଶରେ ପହଞ୍ଚିଥିଲେ । ତେବେ ତୃତୀୟ ତଥା ଶେଷ ପ୍ରୟାସରେ ୬୦ମି.ରୁ ମାତ୍ର ୪୦ସେମି କମ୍ ଥ୍ରୋ’ ତାଙ୍କ ଆଶା ଉଜ୍ଜୀବିତ କରିଥିଲା । ସେ ଗ୍ରୁପ୍-ବି କ୍ୱାଲିଫିକେସନ୍ ପର୍ଯ୍ୟାୟରେ ପଞ୍ଚମ ସ୍ଥାନରେ ରହିବା ସହ ଦୁଇ ଗ୍ରୁପ୍ ମଧ୍ୟରେ ଅଷ୍ଟମ ସର୍ବଶ୍ରେଷ୍ଠ ସ୍ଥାନ ଅଧିକାର କରି ଫାଇନାଲ୍କୁ ଉନ୍ନୀତ ହୋଇଥିଲେ । ଶନିବାର ହେବାକୁ ଥିବା ଫାଇନାଲ୍ସରେ ସେ ନିଜ ପ୍ରଦର୍ଶନରେ ସୁଧାର କରିବେ ବୋଲି ଆଶା ରହିଛି ।
ଏହି ୨୯ବର୍ଷୀୟା ଜାତୀୟ ରେକର୍ଡଧାରିଣୀଙ୍କ ପାଇଁ କ୍ୱାଲିଫିକେସନ୍ ପ୍ରଦର୍ଶନ ନୈରାଶ୍ୟଜନକ ଥିଲା, କାରଣ ସେ ୬୦ମି. ମାର୍କ ଛୁଇଁପାରି ନ ଥିଲେ ଯେତେବେଳେକି ତାଙ୍କର ସିଜନ୍ର ଓ ବ୍ୟକ୍ତିଗତ ସର୍ବଶ୍ରେଷ୍ଠ ପ୍ରଦର୍ଶନ ୬୩.୮୨ମି. ରହିଛି । ଚଳିତ ବର୍ଷ ମେ’ରେ ଜାମସେଦପୁର ଠାରେ ଇଣ୍ଡିଆନ୍ ଓପନ୍ ଜାଭଲିନ୍ ଥ୍ରୋ’ ସମୟରେ ସେ ନିଜ ଜାତୀୟ ରେକର୍ଡ ଭାଙ୍ଗିଥିଲେ ।
ଯେଉଁମାନେ ୬୨.୫୦ମି. ମାର୍କ ଛୁଇଁଥିଲେ ଅଥବା ଦୁଇ ଗ୍ରୁପ୍ରୁ ୧୨ ସର୍ବଶ୍ରେଷ୍ଠ ପ୍ରଦର୍ଶନକାରୀ ଫାଇନାଲ୍ସରେ ପ୍ରବେଶ କରିଥିଲେ । କେବଳ ତିନି ଜଣ ପ୍ରତିଯୋଗୀ ସ୍ୱତଃ କ୍ୱାଲିଫିକେସନ୍ ମାର୍କ ଅତିକ୍ରମ କରିପାରିଥିଲେ । ସିଜନ୍ର ଶୀର୍ଷରେ ଥିବା ଆମେରିକା ଯୁକ୍ତରାଷ୍ଟ୍ରର ମାଗି ମାଲୋନ୍ ଫାଇନାଲ୍ସ ପହଞ୍ଚି ପାରି ନ ଥିଲେ । ସେ ଗ୍ରୁପ୍-ବି’ରେ ୧୨ତମ ସ୍ଥାନରେ ରହିବା ସହ ଓଭରଅଲ୍ ୨୨ତମ ସ୍ଥାନ ଅଧିକାର କରିଥିଲେ । ଏଥିରେ ତାଙ୍କର ସର୍ବଶ୍ରେଷ୍ଠ ଥ୍ରୋ’ ଥିଲା ୫୪.୧୯ମି. । ଡିଫେଣ୍ଡିଂ ଚାମ୍ପିଅନ୍ ଅଷ୍ଟ୍ରେଲିଆର କେଲସି-ଲି ବାର୍ବର ପଞ୍ଚମ ସର୍ବଶ୍ରେଷ୍ଠ ପ୍ରଦର୍ଶନକାରିଣୀ ଭାବେ ପଦକ ପର୍ଯ୍ୟାୟରେ ସ୍ଥାନ ପାଇଥିଲେ, ଯେଉଁଥିରେ ତାଙ୍କର ସର୍ବଶ୍ରେଷ୍ଠ ପ୍ରୟାସ ଥିଲା ୬୧.୨୭ମି. ।
ଦୋହାରେ ବି ଯୋଗ୍ୟତା ଅର୍ଜନ କରିଥିଲେ ଅନ୍ନୁ
ବିଶ୍ୱ ଚାମ୍ପିଅନ୍ସିପ୍ସରେ ଅନ୍ନୁ କ୍ରମାଗତ ଦ୍ୱିତୀୟ ଥର ଫାଇନାଲ୍ସକୁ ଉନ୍ନୀତ ହୋଇଛନ୍ତି । ସେ ତିନି ଥର ଏହି ପ୍ରତିଯୋଗିତାରେ ଭାଗ ନେଇଛନ୍ତି । ୨୦୧୯ରେ ଦୋହା ଠାରେ ଅନୁଷ୍ଠିତ ପୂର୍ବ ସଂସ୍କରଣରେ ସେ ଫାଇନାଲ୍ସରେ ସର୍ବାଧିକ ୬୧.୧୨ମି. ଥ୍ରୋ’ କରି ଅଷ୍ଟମ ସ୍ଥାନରେ ରହିଥିଲେ । କିନ୍ତୁ ଲଣ୍ଡନରେ ହୋଇଥିବା ୨୦୧୭ ସଂସ୍କରଣରେ ସେ ଫାଇନାଲ୍ସ ପାଇଁ ଯୋଗ୍ୟତା ଅର୍ଜନ କରିପାରି ନ ଥିଲେ । କ୍ୱାଲିଫିକେସନ୍ ଗ୍ରୁପ୍ରେ ସେ ୧୦ମ ସ୍ଥାନରେ ରହିଥିଲେ ।
୫୦୦୦ମି.ରେ ପାରୁଲ ବିଫଳ
ମହିଳା ୫୦୦୦ମି.ରେ ପାରୁଲ ଚୌଧରୀ ସେମିଫାଇନାଲ୍ରେ ପହଞ୍ଚିପାରି ନାହାନ୍ତି । ସେ ୧୫:୫୪.୦୩ ସମୟ ନିର୍ଦ୍ଧାରଣ କରି ହିଟ୍-୨ରେ ୧୭ତମ ଓ ଓଭରଅଲ୍ ୩୧ତମ ସ୍ଥାନ ହାସଲ କରିଥିଲେ । ଏହି ୨୭ ବର୍ଷୀୟାଙ୍କ ଧାବିକାଙ୍କ ସିଜନ୍ର ସର୍ବଶ୍ରେଷ୍ଠ ପ୍ରଦର୍ଶନ ୧୫:୩୯.୭୭ ଥିବା ବେଳେ ବ୍ୟକ୍ତିଗତ ସର୍ବଶ୍ରେଷ୍ଠ ପ୍ରଦର୍ଶନ ୧୫:୩୬.୦୩ ରହିଛି ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *