ଛାତ୍ରୀଙ୍କୁ ପ୍ରଧାନଶିକ୍ଷୟିତ୍ରୀଙ୍କ ମାଡ଼

ଭଣ୍ଡାରିପୋଖରୀ (ଆପ୍ର): ଭଣ୍ଡାରିପୋଖରୀ ଥାନା ଅନ୍ତର୍ଗତ ପାଟୁଳି ପଞ୍ଚାୟତ ଅରେଇକଣା ୟୁଜିଏମ୍ଇ ସ୍କୁଲ୍ର ଜଣେ ଷଷ୍ଠ ଶ୍ରେଣୀ ଛାତ୍ରୀ ପ୍ରଧାନଶିକ୍ଷୟିତ୍ରୀଙ୍କ ମାଡ଼ରେ ଆଘାତପ୍ରାପ୍ତ ହୋଇଥିବା ଥାନାରେ ଅଭିଯୋଗ ହୋଇଛି । ଛାତ୍ରୀ ମେଡିକାଲ୍ରେ ଚିକିତ୍ସିତ ହେଉଥିବା ଜଣାପଡ଼ିଛି । ମଙ୍ଗଳବାର ଛାତ୍ରୀ ଶୌଚ ପାଇଁ ଯନ୍ତ୍ରଣା ଅନୁଭବ କରିବାରୁ ତାଙ୍କୁ ଚିକିତ୍ସା ପାଇଁ ନିଆଯାଇଥିଲା । ସଂପୃକ୍ତ ଛାତ୍ରୀଙ୍କ ପିତା ଏଥିପାଇଁ ବିଦ୍ୟାଳୟର ପ୍ରଧାନଶିକ୍ଷୟିତ୍ରୀ ସୁକାନ୍ତି ଦେଇଙ୍କୁ ଦାୟୀ କରିଛନ୍ତି । ଗୁରୁବାର ଅପରାହ୍ଣରେ ବ୍ଲକ୍ ଶିକ୍ଷାଧିକାରୀଙ୍କୁ ଛାତ୍ରୀଙ୍କ ପିତା ଅଭିଯୋଗ କରିଛନ୍ତି । ପୁଲିସ ପକ୍ଷରୁ ବିଦ୍ୟାଳୟରେ ତଦନ୍ତ ହୋଇଥିବା ବେଳେ ଅଭିଯୋଗକୁ ଅନୁଧ୍ୟାନ କରୁଛନ୍ତି ବୋଲି ବିଇଓ ଅଧିର କୁମାର ତରାଇ ପ୍ରକାଶ କରିଛନ୍ତି । ଘଟଣାର ବାସ୍ତବତା ଉନ୍ମୋଚନ ପାଇଁ ପୁଲିସ ଓ ଶିକ୍ଷାଧିକାରୀଙ୍କ ପଦକ୍ଷେପକୁ ଅଞ୍ଚଳବାସୀ ଅପେକ୍ଷା କରିଛନ୍ତି ।
ଅଭିଯୋଗ ଅନୁଯାୟୀ, ଗତ ୧୫ ତାରିଖ ଶୁକ୍ରବାର ବିଦ୍ୟାଳୟ ପ୍ରାର୍ଥନା ପରେ ଠାକୁର ପୂଜାପାଇଁ ପ୍ରଧାନଶିକ୍ଷୟିତ୍ରୀ ଛାତ୍ରୀଙ୍କୁ କହିଥିଲେ । ଠାକୁର ପୂଜା ସମୟରେ ଅସାବଧାନତା ବଶତଃ ପାଣି ଗ୍ଲାସ୍ରେ ଗୋଡ଼ ବାଜିଯିବାରୁ ପ୍ରଧାନଶିକ୍ଷୟିତ୍ରୀ ବେତ୍ରାଘାତ କରିଥିଲେ । ଫଳରେ ଛାତ୍ରୀଙ୍କ ଗୁପ୍ତାଙ୍ଗ କ୍ଷତାକ୍ତ ହୋଇଥିଲା । ଶନିବାର ଓ ସୋମବାର ସ୍ୱାଭାବିକ ଭାବେ ଛାତ୍ରୀ ବିଦ୍ୟାଳୟକୁ ଆସିଥିଲେ । ମଙ୍ଗଳବାର ଯନ୍ତ୍ରଣା ଅସହ୍ୟ ହେବାରୁ ମା’ଙ୍କୁ ସବୁକଥା ଜଣାଇଥିଲେ ଓ ସ୍କୁଲ ଆସି ନ ଥିଲେ । ବୁଧବାର ଛାତ୍ରୀଙ୍କୁ ଭଦ୍ରକ ମେଡିକାଲ୍ରେ ଚିକିତ୍ସା ପାଇଁ ଭର୍ତ୍ତି କରାଯିବା ସହ ପ୍ରଧାନଶିକ୍ଷୟତ୍ରୀଙ୍କ ନାମରେ ଛାତ୍ରୀର ପିତା ଅନନ୍ତ ପରିଡ଼ା ଥାନାରେ ଅଭିଯୋଗ କରିଥିଲେ । ପୁଲିସ ଅଭିଯୋଗ ଆଧାରରେ ୨୭୮/୨୨ରେ ମାମଲା ରୁଜୁ କରିଛି । ଅନ୍ୟପକ୍ଷରେ ଶୁକ୍ରବାର ବିଦ୍ୟାଳୟରେ ଠାକୁର ପୂଜା ନିଜେ ପ୍ରଧାନଶିକ୍ଷୟତ୍ରୀ କରିଥିଲେ । ଛାତ୍ରୀଙ୍କୁ ଆଦୌ ମାଡ଼ ମାରି ନ ଥିବା ସଫେଇ ଦେଇଥିବା ବେଳେ ଅରେଇକଣା ବିଦ୍ୟାଳୟରେ ଦୀର୍ଘ ୧୬ ବର୍ଷ କାର୍ଯ୍ୟକାଳରେ କୌଣସି ଛାତ୍ରଛାତ୍ରୀଙ୍କୁ କେବେ ହାତ ଉଠାଇ ନାହାନ୍ତି । ଏହାକୁ ରାଜନୈତିକ ଉଦେ୍ଦଶ୍ୟ ପ୍ରଣୋଦିତ ବୋଲି ମତ ରଖିଛନ୍ତି ପ୍ରଧାନଶିକ୍ଷୟିତ୍ରୀ ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *