୨୦୨୪ରେ ବିଜେପିର ବିଦାୟ
ମମତାଙ୍କ ଭବିଷ୍ୟବାଣୀ
କୋଲକାତା (ଏଜେନ୍ସି): ଦୁଇବର୍ଷ ଅନ୍ତରାଳ ପରେ ଗୁରୁବାର କୋଲକାତାର ଧର୍ମତଲ୍ଲାରେ ଆୟୋଜିତ ଶହୀଦ ଦିବସ ରାଲିରେ ତୃଣମୂଳ କଂଗ୍ରେସ ସୁପି୍ରମୋ ତଥା ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କେନ୍ଦ୍ର ସରକାରଙ୍କ ଉପରେ ଗର୍ଜିଛନ୍ତି । ତାଙ୍କ କହିବାନୁସାରେ, ଏବେ ହୁଏତ ବିଜେପି ସବୁ ସ୍ଥାନରେ ସରକାର ଗଠନ କରିବାରେ ସକ୍ଷମ ହେଉଛି, କିନ୍ତୁ ପଶ୍ଚିମବଙ୍ଗରେ ଏହାର ଅସ୍ତିତ୍ୱ ନାହିଁ । କାରଣ ବଙ୍ଗଳା ବଙ୍ଗଳା ଟାଇଗର୍ ଅଛି । ୨୦୨୧ରେ ବିଜେପି ପଶ୍ଚିମବଙ୍ଗରେ ଆମକୁ ହରାଇବାକୁ ଚେଷ୍ଟା କରିଥିଲା ମାତ୍ର ସଫଳ ହୋଇପାରି ନଥିଲା । ଆସନ୍ତା ୨୦୧୪ ଲୋକସଭା ନିର୍ବାଚନରେ ବିଜେପି ଆଜିର ବର୍ଷା ଭଳି ଏକଦମ୍ ସଫା ହୋଇଯିବ । ଦେଶବାସୀ କେନ୍ଦ୍ରରୁ ବିଜେପିର ସତ୍ତାକୁ ଓପାଡ଼ି ଫୋପାଡ଼ି ଦେବାକୁ ଆହ୍ୱାନ ଦେଇଥିଲେ । ବିଜେପି କାର୍ଯ୍ୟକାଳରେ ବେରୋଜଗାର ବଢ଼ିଥିବାବେଳେ ପଶ୍ଚିମବଙ୍ଗରେ ରୋଜଗାର ବଢ଼ିଥିଲା ।
ଶହୀଦ ଦିବସ ରାଲି ଅବସରରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ପୁତୁରା ତଥା ଟିଏମ୍ସି ମହାସଚିବ ଅଭିଷେକ ବାନାର୍ଜୀ ଭାଷଣ ଦେଇଥିଲେ । ବର୍ଷାରେ ଓଦା ହୋଇ ମଧ୍ୟ ସେ ନିଜ ଭାଷଣ ଜାରି ରଖିଥିଲେ । ଏହି ଅବସରରେ ମୁଖ୍ୟମନ୍ତ୍ରୀ ମୋଦି ସରକାରଙ୍କ ଉପରେ ଭୀଷଣ ଗର୍ଜିଥିଲେ । ମୁଢ଼ି, ମିଠା, ଦହି ତଥା ରୋଗୀ ଡାକ୍ତରଖାନାରେ ଭର୍ତ୍ତି ହେଲେ ମଧ୍ୟ ଜିଏସ୍ଟି ଦେବାକୁ ପଡ଼ୁଛି । କେବଳ ଏତିକି ନୁହେଁ, ସେ କହିଥିଲେ ଯେ, ରେଳୱେ ଠାରୁ ଆରମ୍ଭ କରି ବିଭିନ୍ନ ସରକାରୀ ବିଭାଗରେ ଲକ୍ଷ ଲକ୍ଷ ପଦବୀ ଖାଲି ପଡ଼ିଥିବା ଏବେ ନୂଆ ସ୍କିମ୍ ‘ଅଗ୍ନିପଥ’ ଯୋଜନା ଆସିଛି । ଆର୍ମିର କୌଣସି ବିକଳ୍ପ ନାହିଁ, ମାତ୍ର ‘ଅଗ୍ନିପଥ’ ନାଁରେ ବିଜେପି ନିଜ ସଶସ୍ତ୍ର କ୍ୟାଡର୍ ପ୍ରସ୍ତୁତ କରିବାକୁ ଚେଷ୍ଟା କରୁଛି । ଏବେ ଆଉ ବେଶୀ ଦିନ ନୁହେଁ, ୨୦୧୪ରେ ବିଜେପିର ବିଦାୟ ନିଶ୍ଚୟ ବୋଲି କ୍ଷୋଭବ୍ୟକ୍ତ କରିଥିଲେ ।