ଭକ୍ତଙ୍କୁ କଡ଼ାକଡ଼ି: ସେବାୟତ-କର୍ମଚାରୀଙ୍କୁ ମାଫ୍
ଶ୍ରୀମନ୍ଦିର ପରିସରରେ ମୋବାଇଲ୍ କଟକଣା ପ୍ରସଙ୍ଗ
ପୁରୀ (ବୁ୍ୟରୋ): ବାରମ୍ବାର ଶ୍ରୀମନ୍ଦିର ଭିତର ଫଟୋ ସୋସିଆଲ୍ ମିଡିଆରେ ଭାଇରାଲ୍ ହେବା ଘଟଣାକୁ ନେଇ ଉଦ୍ବେଗ ପ୍ରକାଶ ପାଇଥିଲା । ତେଣୁ ଶ୍ରୀମନ୍ଦିର କାର୍ଯ୍ୟାଳୟରେ ଅନୁଷ୍ଠିତ ବୈଠକରେ ଶ୍ରୀମନ୍ଦିର ପରିସରକୁ କୌଣସି ବ୍ୟକ୍ତି ସ୍ମାର୍ଟ ଫୋନ୍ ନେବେ ନାହିଁ ବୋଲି ନିଷ୍ପତ୍ତି ହୋଇଥିଲା । କେବଳ ଯେଉଁ ସେବାୟତମାନଙ୍କ ପାଳି ରହିଥିବ ସେମାନେ କିପ୍ୟାଡ୍ ମୋବାଇଲ୍ ନେବେ । ଏହି ନିୟମ ଉଲ୍ଲଙ୍ଘନ କଲେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପ୍ରଶାସନ ପକ୍ଷରୁ ଚେତାବନୀ ଦିଆଯାଇଛି । ଏବେ ଶ୍ରୀମନ୍ଦିର ପରିସରରେ ସ୍ମାର୍ଟ ଫୋନ୍ ମାଳମାଳ ବୁଲୁଛି । କିନ୍ତୁ ସାଧାରଣ ଭକ୍ତଟିଏ ବାଉଳାରେ ମୋବାଇଲ୍ ପକେଟ୍ରେ ନେଇଯାଇଥିଲେ ତାଙ୍କୁ ସୁରକ୍ଷା ଦାୟିତ୍ୱରେ ଥିବା ପୁଲିସ ଓ ଜେଟିପିମାନେ ଅତ୍ୟନ୍ତ ଖରାପ ବ୍ୟବହାର ପ୍ରଦର୍ଶନ କରୁଛନ୍ତି । କିନ୍ତୁ ସେବାୟତ, ପୁଲିସ ଓ ଶ୍ରୀମନ୍ଦିର କାର୍ଯ୍ୟାଳୟ ପକ୍ଷରୁ ନିୟୋଜିତ ହୋଇଥିବା ଜେଟିପି କର୍ମଚାରୀମାନେ ବଡ଼ ବଡ଼ ଦାମୀ ମୋବାଇଲ୍ ଧରି ଶ୍ରୀମନ୍ଦିର ପରିସରରେ ବୁଲୁଛନ୍ତି । ତାଙ୍କ ପାଇଁ କୌଣସି ଆଇନ ନ ଥିବା ବେଳେ ସାଧାରଣ ଭକ୍ତଙ୍କୁ କଲବଲ କରୁଛନ୍ତି । ଏପରିକି ଭକ୍ତମାନେ ସିଂହଦ୍ୱାର ଦେଇ ଶ୍ରୀମନ୍ଦିରକୁ ପ୍ରବେଶ କରିବା ସମୟରେ ସେମାନଙ୍କୁ କଡ଼ାକଡ଼ି ଯାଞ୍ଚ କରାଯାଉଥିବା ବେଳେ ସେବାୟତ, ପୁଲିସ ଓ କର୍ମଚାରୀଙ୍କୁ ମାଫ୍ କରାଯାଉଛି । ଫଳରେ ପ୍ରଶାସନର ଏହି ବ୍ୟବସ୍ଥାକୁ ନେଇ ସାଧାରଣ ଭକ୍ତଙ୍କ ମହଲରେ ତୀବ୍ର ଅସନ୍ତୋଷ ଦେଖାଦେଇଛି ।
ଏନେଇ କେନ୍ଦ୍ରାପଡ଼ାର ଅଜୟ ବାରିକ ନାମକ ଜଣେ ଭକ୍ତ କୁହନ୍ତି, ଆମ୍ଭ ପରିବାର ସହ ପୁରୀ ବୁଲିବାକୁ ଆସିଥିଲୁ । ପ୍ରଥମେ ମହାପ୍ରଭୁଙ୍କୁ ଦର୍ଶନ ଲାଗି ଶ୍ରୀମନ୍ଦିରକୁ ଯାଉଥିଲୁ । ମୋ’ ସ୍ତ୍ରୀ ବାଉଳରେ ତା’ ଭ୍ୟାନିଟ୍ରେ ମୋବାଇଲ ନେଇ ଯାଇଥିଲା । ଯାଞ୍ଚ ବେଳେ ଜଣାପଡ଼ିବାରୁ ଡୁ୍ୟଟିରେ ଥିବା ପୁଲିସ କର୍ମଚାରୀମାନେ ଅତ୍ୟନ୍ତ ଖରାପ ବ୍ୟବହାର ପ୍ରଦର୍ଶନ କରିଥିଲେ । ପରେ ଆମ୍ଭେ ଶ୍ରୀମନ୍ଦିର ପରିସର ସହ ଆନନ୍ଦବଜାରରେ ଦେଖିଲୁ ଅନେକ ପୁଲିସ କର୍ମଚାରୀ ସ୍ମାର୍ଟ ସେଟ୍ରେ ଗେମ୍ ଖେଳୁଛନ୍ତି । ଏଠାରେ ପ୍ରଶାସନର ନିୟମ ଓଲଟା । ଗୋଟିଏ ନିୟମ ସାଧାରଣ ଲୋକଙ୍କ ପାଇଁ ହୋଇଥିବା ବେଳେ ପୁଲିସ, ସେବାୟତ ଓ ଶ୍ରୀମନ୍ଦିର କର୍ମଚାରୀଙ୍କ ଲାଗି ଅଲଗା । ମହାପ୍ରଭୁଙ୍କ ନିକଟରେ ସମସ୍ତେ ସମାନ ହେବା ଆବଶ୍ୟକ । ଯେଉଁ ନିୟମ କରୁଛନ୍ତି ତାହା ସମସ୍ତଙ୍କ ଲାଗି ସମାନ ହେବା କଥା । କିନ୍ତୁ ଏଠାରେ ନିୟମରେ ପାତରଅନ୍ତର କରାଯାଉଛି । ଏହି ନିୟମକୁ ତୁରନ୍ତ ବଦଳାଇବା ଆବଶ୍ୟକ ବୋଲି ଭକ୍ତଙ୍କ ମହଲରେ ଦାବି ହେଉଛି ।