ଥଇଥାନ ସ୍ଥାନକୁ ଯିବାକୁ ଅମଙ୍ଗ ବସ୍ତିବାସିନ୍ଦା

ପୂର୍ଣ୍ଣବାସୀ କଲୋନୀରୁ ଜବରଦଖଲ ଉଚ୍ଛେଦ
ବ୍ରହ୍ମପୁର (ବୁ୍ୟରୋ): ମହାନଗର ନିଗମ ପକ୍ଷରୁ ଗୁରୁବାର ଏନ୍ଜିଟିର ନିଦେ୍ର୍ଦଶକ୍ରମେ ୧୪ନମ୍ବର ୱାର୍ଡ ଅନ୍ତର୍ଗତ ପୂର୍ଣ୍ଣବାସୀ କଲୋନୀ ବସ୍ତିବାସିନ୍ଦାଙ୍କୁ ଉଚ୍ଛେଦ କରାଯାଇଛି । ବିସ୍ଥାପିତ ବସ୍ତିବାସିନ୍ଦା ସରକାରଙ୍କ ଦ୍ୱାରା ମିଳିଥିବା ୩୦୦ବର୍ଗଫୁଟ ବାସଗୃହକୁ ସ୍ଥାନାନ୍ତରଣ ପାଇଁ ଅମଙ୍ଗ ହୋଇଛନ୍ତି । ଦିନକୁ ଦିନ ପରିବାର ବଢ଼ୁଥିବା ବେଳେ ମାତ୍ର ୩୦୦ବର୍ଗଫୁଟ ଘରେ ପରିବାର ଧରି ଚଳିବା କଷ୍ଟକର ବୋଲି ବସ୍ତିବାସିନ୍ଦା ଅଭିଯୋଗ କରିଛନ୍ତି । ପରିବାର ଦେଖି ବାସଗୃହ ଯୋଗାଇ ଦେବାକୁ ବସ୍ତିବାସିନ୍ଦା ଅଡ଼ି ବସିଥିଲେ । ଉଚ୍ଛେଦ ବେଳେ କିଛି ସମୟ ପାଇଁ ଉତ୍ତେଜନା ଦେଖା ଦେଇଥିଲା । ତେବେ ବସ୍ତି ବାସିନ୍ଦାଙ୍କ ରହିଥିବା ସମସ୍ୟାକୁ ଲିଖିତ ଭାବେ ନିଗମ କାର୍ଯ୍ୟାଳୟରେ ପ୍ରଦାନ କରିବା ନେଇ ନିଗମ ଅଧିକାରୀମାନେ କହିବା ପରେ ଉତ୍ତେଜନା ଥମିଥିଲା ।
ସହରରେ ୧୧ଟି ପୋଖରୀ ହୁଡ଼ାରେ ବସ୍ତି ଗଢ଼ି ଉଠିଥିବା ବେଳେ ଅଦ୍ୟାବଧି ୯ଟି ବସ୍ତିକୁ ଉଚ୍ଛେଦ କରାଯାଇ ସରକାରଙ୍କ ଦ୍ୱାରା ନିର୍ମିତ ହୋଇଥିବା ରାଜୀବ ଆବାସ ଯୋଜନାରେ ଥଇଥାନ କରାଯାଇଛି । ଗୁରୁବାର ଉକ୍ତ ହୁଡ଼ାରେ ବର୍ଷ ବର୍ଷଧରି ବାସ କରୁଥିବା ୧୨୫ ପରିବାରଙ୍କୁ ନିଗମ ପକ୍ଷରୁ ପୂର୍ଣ୍ଣବାସୀ କଲୋନୀ ନିକଟସ୍ଥ ରାଜୀବ ଆବାସ ଯୋଜନା କୋଠାରେ ୯୬ ପରିବାର, ଆନନ୍ଦ ସରଣୀରେ ୧୩, ଆଇନ୍ବନ୍ଧ ସାହିରେ ୧୬ ଜଣ ପରିବାରକୁ ଥଇଥାନ କରାଯାଇ ଗତ ମାସରେ ସମ୍ପୃକ୍ତ ହିତାଧିକାରୀଙ୍କୁ ସ୍ଥାନାନ୍ତରିତ କରାଯାଇଥିଲା । କିନ୍ତୁ ପ୍ରଶାସନ ପକ୍ଷରୁ ଉଚ୍ଛେଦ କରାଯାଇ ନ ଥିବାରୁ ସମସ୍ତ ହିତାଧିକାରୀ କୋଠାରେ ନ ରହି ପୂର୍ବପରି ବସ୍ତିରେ ରହିଆସୁଥିଲେ । ପରିବାର ଧରି ଏତେ କମ୍ ପରିମାଣ ସ୍ଥାନରେ ରହିବା ସମ୍ଭବପର ନୁହେଁ ବୋଲି ଦର୍ଶାଇ ଜାଗା ଛାଡ଼ି ନ ଥିଲେ ବସ୍ତିବାସିନ୍ଦା । ଗୁରୁବାର ୧୨୫ ପରିବାର ପକ୍ଷରୁ ମାତ୍ର ୧୧୬ ପରିବାରକୁ ଉଚ୍ଛେଦ କରାଯାଇଛି । ଉଚ୍ଛେଦ ବେଳେ ନିଗମ ଅତିରିକ୍ତ କମିଶନର ନୀଳମାଧବ ଭୋଇ, ଏନ୍ଫୋର୍ସମେଣ୍ଟ ଅଧିକାରୀ ଓ ନିଗମର ଯନ୍ତ୍ରୀମାନଙ୍କ ସହ ପୁଲିସ୍ ଉପସ୍ଥିତ ଥିଲେ ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *