ପୁଣି ଜଣେ ରୋଗୀର ବୋନ୍ମ୍ୟାରୋ ଟ୍ରାନ୍ସପ୍ଲାଣ୍ଟ
ଏମ୍ସ ପ୍ଲସ୍ ଦିଗରେ ଏସ୍ସିବି
କଟକ (ବୁ୍ୟରୋ): ଏମ୍ସ ପ୍ଲସ୍ ଦିଗରେ ଆଗେଇବାରେ ଲାଗିଛି ଏସ୍ସିବି ମେଡିକାଲ କଲେଜ ଓ ହସ୍ପିଟାଲ । ଏସ୍ସିବିର କ୍ଲିନିକାଲ ହେମାଟୋଲାଜି ବିଭାଗରେ ପୁଣି ଜଣେ ରୋଗୀଙ୍କର ବୋନ ମ୍ୟାରୋ ଟ୍ରାନ୍ସପ୍ଲାଣ୍ଟ ବା ଅସ୍ଥିମଜ୍ଜା ପ୍ରତିରୋପଣ କରାଯାଇଛି । ବୋନ ମ୍ୟାରୋ ଟ୍ରାନ୍ସପ୍ଲାଣ୍ଟ ବା ଅସ୍ଥିମଜ୍ଚା ପ୍ରତିରୋପଣ ହେଉଛି ଚିକିତ୍ସା ବିଜ୍ଞାନର ଅନ୍ୟତମ ଜଟିଳ ଚିକିତ୍ସା ପଦ୍ଧତି । କିନ୍ତୁ ଏହି କ୍ଷେତ୍ରରେ ଗୋଟିଏ ପରେ ଗୋଟିଏ ପାଦ ଆଗକୁ ଆଗକୁ ପକାଇ ଚାଲିଛି ରାଜ୍ୟର ସର୍ବ ବୃହତ ରେଫରାଲ ହସ୍ପିଟାଲ ଏସ୍ସିବି ମେଡିକାଲ କଲେଜ ।
ମ୍ୟାରୋ ଟ୍ରାନ୍ସପ୍ଲାଣ୍ଟ ବା ବିଏମଟି ୟୁନିଟ ୨୦୧୪ ମସିହାରେ ଏସ୍ସିବିରେ ସ୍ଥାପିତ ହୋଇଥିଲା । ବର୍ତ୍ତମାନ ସୁଦ୍ଧା ଏସ୍ସିବିରେ ୧୦୫ ତମ ଅସ୍ଥି ମଜ୍ଚା ପ୍ରତ୍ୟାରୋପଣ କରାଯାଇସାରିଲାଣି । ଏହି ଚିକିତ୍ସା ପାଇଁ ରାଜ୍ୟ ବାହାରେ ୧୫ ଲକ୍ଷରୁ ୩୦ ଲକ୍ଷ ପର୍ଯ୍ୟନ୍ତ ଖର୍ଚ୍ଚ ହେଉଥିବା ବେଳେ ରାଜ୍ୟ ସରକାର ପକ୍ଷରୁ ଏସସିବିରେ ଏହାକୁ ସମ୍ପୂଣ୍ଣ ମାଗଣାରେ ଚିିକିତ୍ସା କରାଯାଉଛି । ଯେଉଁଥି ପାଇଁ ପୂର୍ବ ଭାରତରେ ଏବେ ଏସସିବିକୁ ନେଇ ବେଶ ଚର୍ଚ୍ଚା ହେଉଛି । ରକ୍ତ କର୍କଟ ରୋଗରେ ପୀଡିତ ଯାଜପୁର ଜିଲ୍ଲାର ରମାକାନ୍ତ ପ୍ରଧାନଙ୍କ ଅସ୍ଥି ମଜ୍ଚା ପ୍ରତିରୋପଣ କରାଯାଇଛି । ସେ ବେଙ୍ଗାଲୁରୁରେ ଚିକିତ୍ସା ପାଇଁ ଯାଇଥିବା ବେଳେ ସେଠାରେ ଏହି ଚିକିତ୍ସା ପାଇଁ ୧୫ ଲକ୍ଷରୁ ଊର୍ଦ୍ଧ ଖର୍ଚ୍ଚ ହେବ ବୋଲି ଡାକ୍ତର କହିଥିଲେ । ତାଙ୍କର ଆର୍ଥିକ ସ୍ଥିତି ଦୁର୍ବଳ ଥିବାରୁ ଏହି କଥା ଶୁଣି ଫେରି ଆସିଥିଲେ ଓଡ଼ିଶା । ଏହାପରେ ସେ ଏସସିବି ମେଡ଼ିକାଲରେ ଦେଖାଇ ଥିଲେ । ଯାହା ତାଙ୍କ ପାଇଁ ନୂଆ ଆଶା ସଂଚାର କରିଥିଲା ବୋଲି ସେ କହିଛନ୍ତି ।