ବନ୍ୟଜନ୍ତୁ ଆକ୍ରମଣରେ ୨୮ ମୃତ

କେନ୍ଦୁଝର ବନଖଣ୍ଡର ୩ ବର୍ଷର ବିବରଣୀ
କେନ୍ଦୁଝର (ଆପ୍ର): କେନ୍ଦୁଝର ବନଖଣ୍ଡରେ ଗତ ୩ ବର୍ଷ ମଧ୍ୟରେ ବନ୍ୟଜନ୍ତୁ ଆକ୍ରମଣରେ ୨୮ଜଣଙ୍କ ମୃତୁ୍ୟ ଘଟିଥିବା ବେଳେ ୧୪୭ ଜଣ ଆହତ ହୋଇଛନ୍ତି । ସେହିପରି ବନ୍ୟଜନ୍ତୁମାନେ ୯୫୬ ଘର ଭାଙ୍ଗିବା ସହିତ ୯୪୯୦.୦୩ ଏକର ଫସଲ ନଷ୍ଟ କରିଛନ୍ତି । କ୍ଷତିଗ୍ରସ୍ତଙ୍କୁ ବନ ବିଭାଗ ତରଫରୁ ୪୦୪୦୦୫୮୧୨ ଟଙ୍କା ମଧ୍ୟ କ୍ଷତିପୂରଣ ରାଶି ପ୍ରଦାନ କରାଯାଇଛି ।
କେନ୍ଦୁଝର ଜିଲ୍ଲା ସର୍ବଦା ବନ୍ୟଜନ୍ତୁଙ୍କୁ ନେଇ ଚର୍ଚ୍ଚାରେ ରହିଥାଏ । କେତେବେଳେ ଦୁର୍ଘଟଣାରେ ହାତୀଙ୍କ ଜୀବନ ନେଇ ତ ଅନ୍ୟ କେତେବେଳେ ବନ୍ୟଜନ୍ତୁଙ୍କ ଆକ୍ରମଣରେ ଧନଜୀବନ ନଷ୍ଟ ହେବା କଥା ଚର୍ଚ୍ଚା ପରିସରକୁ ଆସିଥାଏ । ଅଳ୍ପଦିନ ତଳେ ଶିକାରୀମାନେ ଆନନ୍ଦପୁର ବନଖଣ୍ଡ ଅଞ୍ଚଳରୁ ଏକ ମହାବଳ ବାଘକୁ ହତ୍ୟା କରି ଛାଲ ବିକ୍ରି ବେଳେ ବନବିଭାଗ ହାତରେ ଧରାପଡ଼ି ଜେଲ୍ ଯାଇଛନ୍ତି । ସେହିପରି କେନ୍ଦୁଝର ବନଖଣ୍ଡ ସଦର ରେଞ୍ଜ କପ୍ତାହିଡ଼ା ଏକ କଲରାପତରିଆ ବାଘ ଶିକାର କରି ଯଶିପୁର ଅଞ୍ଚଳରେ ଛାଲ ବିକ୍ରି ବେଳେ ଧରାପଡ଼ି ଜେଲ ଯାଇଛନ୍ତି । ଏହି ଘଟଣାରେ ବନ ବିଭାଗ କାହାକୁ ଉତ୍ତରଦାୟୀ କରି କାର୍ଯ୍ୟାନୁଷ୍ଠାନ ନେଇନାହିଁ । ବିଶେଷ କରି ହାତୀ-ମଣିଷ ଲଢ଼େଇକୁ ନେଇ କେନ୍ଦୁଝର ଚର୍ଚ୍ଚାରେ ରହିଛି । ବନ୍ୟଜନ୍ତୁଙ୍କ ସୁରକ୍ଷା ଏବଂ ଲୋକଙ୍କ ଧନଜୀବନ ରକ୍ଷା କରିବା ପାଇଁ ବନବିଭାଗ କାମ କରୁଛି । ତଥାପି ବନ୍ୟପ୍ରାଣୀଙ୍କ ଆକ୍ରମଣରେ ଧନଜୀବନ ହାନି ନିତିଦିନିଆ ଘଟଣାରେ ପରିଣତ ହେଲାଣି । ହାତୀଙ୍କ ପାଇଁ ଜଙ୍ଗଲରେ ଖାଦ୍ୟ ଅଭାବ ଏବଂ ବ୍ୟାପକ ଜଙ୍ଗଲ ନଷ୍ଟ ଯୋଗୁଁ ହାତୀପଲ ଗାଁ ମୁହାଁ ହୋଇ ବ୍ୟାପକ କ୍ଷୟକ୍ଷତି କରୁଛନ୍ତି ।
ରିପୋର୍ଟ ଅନୁସାରେ ଗତ ୩ ବର୍ଷରେ ବନ୍ୟପ୍ରାଣୀଙ୍କ ଆକ୍ରମଣରେ ୨୮ ଜଣ ଲୋକଙ୍କ ଜୀବନ ଯାଇଥିବା ବେଳେ ୧୪୭ ଆହତ ହୋଇଛନ୍ତି । ସେହିପରି ୩ ବର୍ଷ ମଧ୍ୟରେ ବନ୍ୟଜନ୍ତୁ ୬୫୯ ଘର ଏବଂ ୯୭୯୦.୦୩ ଏକର ଫସଲ ମଧ୍ୟ ନଷ୍ଟ କରିଥିବା ସୂଚନା ମିଳିଛି । ଏହି ୩ ବର୍ଷ ମଧ୍ୟରେ କ୍ଷତିଗ୍ରସ୍ତଙ୍କୁ ସରକାରଙ୍କ ପକ୍ଷରୁ ୪୦୪୦୦୫୮୧୨ ଟଙ୍କା କ୍ଷତିପୂରଣ ଦିଆଯାଇଛି । ତଥ୍ୟ ଅନୁସାରେ ୨୦୧୯-୨୦ରେ ବନ୍ୟପ୍ରାଣୀ ଆକ୍ରମଣରେ ୯ ଜଣ ଲୋକ ପ୍ରାଣ ହରାଇଥିବା ବେଳେ ୨୦୨୦-୨୧ରେ ୬ ଜଣ ଏବଂ ୨୦୨୧-୨୨ରେ ୧୩ ଜଣ ଲୋକ ମୃତୁ୍ୟବରଣ କରିଛନ୍ତି । ସରକାରୀ ନିୟମ ଅନୁସାରେ ଜଣପିଛା ୪ ଲକ୍ଷ ଟଙ୍କାର କ୍ଷତିପୂରଣ ହିସାବରେ ତିନି ବର୍ଷରେ ୧ କୋଟି ୧୨ଲକ୍ଷ ଟଙ୍କା ପ୍ରଦାନ କରାଯାଇଛି । ସେହିପରି ୩ ବର୍ଷ ମଧ୍ୟରେ ବନ୍ୟଜନ୍ତୁ ୬୫୯ଟି ଘର ନଷ୍ଟ କରିଛନ୍ତି । ୨୦୨୧-୨୨ରେ ୮୦୪୩.୮୩ ଏକର ଫସଲ ସର୍ବାଧିକ ନଷ୍ଟ ହୋଇଥିବା ବନବିଭାଗ ଆକଳନ କରିଥିଲା । ଅନେକ ଲୋକ ହାତୀ ଦ୍ୱାରା ଚାଷ ଜମି ଏବଂ ଘର ନଷ୍ଟ ହେବା ନେଇ ବନ ବିଭାଗକୁ ଜଣାଇଲେ ମଧ୍ୟ ବର୍ଷ ବର୍ଷ ଧରି ସରକାରୀ କ୍ଷତିପୂରଣ ମିଳୁନଥିବାରୁ ଅସନ୍ତାଷ ଦେଖାଦେଇଛି । ବାରମ୍ବାର କ୍ଷତିପୂରଣ ପାଇଁ ଆବେଦନ କରି କ୍ଷତିପୂରଣ ମିଳୁ ନ ଥିବାରୁ ଚାଷୀ ପୁଣି କ୍ଷୟକ୍ଷତି ହେଲେ କ୍ଷତିପୂରଣ ପାଇଁ ଆବେଦନ କରୁନାହାନ୍ତି ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *