ସନ୍ତରଣରେ କର୍ଣ୍ଣାଟକ ଦଳଗତ ବିଜେତା
୪୮ତମ ଜାତୀୟ କନିଷ୍ଠ ଜଳକ୍ରୀଡ଼ା ଉଦ୍ୟାପିତ
ଭୁବନେଶ୍ୱର, ୨୦ା୭ (ବୁ୍ୟରୋ): କ୍ରୀଡ଼ା ଓ ଯୁବସେବା ବିଭାଗ ଏବଂ ରାଜ୍ୟ ସନ୍ତରଣ ସଂଘର ମିଳିତ ଆନୁକୂଲ୍ୟରେ କଳିଙ୍ଗ ଷ୍ଟାଡିୟମ ପରିସରସ୍ଥ ବିଜୁ ପଟ୍ଟନାୟକ ସୁଇମିଂପୁଲ୍ କମ୍ପ୍ଲେକ୍ସରେ ଚାଲିଥିବା ୪୮ତମ ଜାତୀୟ ଜୁନିଅର୍ ଜଳକ୍ରୀଡ଼ା (ଆକ୍ୱାଟିକ୍) ଚାମ୍ପିଅନ୍ସିପ୍ ବୁଧବାର ଉଦ୍୍ୟାପିତ ହୋଇଯାଇଛି । ସନ୍ତରଣରେ କର୍ଣ୍ଣାଟକ ମୋଟ୍ ୬୨୩ ପଏଣ୍ଟ ସହ ଦଳଗତ ବିଜେତା ହୋଇଥିବା ବେଳେ ୱାଟର୍ ପୋଲୋର ବାଳକ ବର୍ଗରେ ବଙ୍ଗଳା ଓ ବାଳିକା ବର୍ଗରେ କେରଳ ମୁକୁଟ ହାସଲ କରିଛି । ପ୍ରତିଯୋଗିତାରେ ମୋଟ୍ ୨୬ ନୂଆ ରେକର୍ଡ ହୋଇଛି ।
କର୍ଣ୍ଣାଟକ ସନ୍ତରଣର ଉଭୟ ପୁରୁଷ ଓ ମହିଳା ବର୍ଗରେ ୩୮ ସ୍ୱର୍ଣ୍ଣ ସହ ମୋଟ୍ ୭୮ ପଦକ ପାଇଥିଲା । ଏଥିରେ ୨୪ ରୌପ୍ୟ ଓ ୧୬ କାଂସ୍ୟ ଥିଲା । ମହାରାଷ୍ଟ୍ର ୧୫ ସ୍ୱର୍ଣ୍ଣ ସହ ୪୨ ପଦକ ଜିତି ଦ୍ୱିତୀୟ ସ୍ଥାନରେ ରହିଥିଲା, ଯେଉଁଥିରେ ୧୨ ରୌପ୍ୟ ଓ ୧୫ କାଂସ୍ୟ ରହିଥିଲା । ତେଲେଙ୍ଗାନା ୭ ସ୍ୱର୍ଣ୍ଣ ସହ ମୋଟ୍ ୧୭ ପଦକ ସହ ତୃତୀୟ ସ୍ଥାନ ପାଇଥିଲା । ଓଡ଼ିଶା କୌଣସି ପଦକ ପାଇ ନ ଥିଲା ।
ବାଳକ ଗ୍ରୁପ୍-୧ରେ ୩ ସ୍ୱର୍ଣ୍ଣ ଓ ୧ ରୌପ୍ୟ ଜିତିଥିବା କର୍ଣ୍ଣାଟକର ଉକ୍ରର୍ଷ ପାଟିଲ ଓ ଗୁଜରାଟର ଦେବାଂଶ ପରମାର ସର୍ବଶ୍ରେଷ୍ଠ ସନ୍ତରଣକାରୀ ବିବେଚିତ ହୋଇଥିବା ବେଳେ ଗ୍ରୁପ୍-୨ରେ ୫ ସ୍ୱର୍ଣ୍ଣ ଜିତିଥିବା କର୍ଣ୍ଣାଟକର ଆର୍. ନବନୀତ ଗୌଡ଼ ବ୍ୟକ୍ତିଗତ ପୁରସ୍କାର ଜିତିଥିଲେ ।
ବାଳିକା ଗ୍ରୁପ୍-୨ରେ ୫ ସ୍ୱର୍ଣ୍ଣ ଜିତିବା ସହ ୫ ନୂଆ ଜାତୀୟ ରେକର୍ଡ କରିଥିବା ମହାରାଷ୍ଟ୍ରର ଅପେକ୍ଷା ସର୍ବଶ୍ରେଷ୍ଠ ସନ୍ତରଣକାରୀ ବିବେଚିତ ହୋଇଥିଲେ । ଗ୍ରୁପ୍-୨ରେ ୪ ସ୍ୱର୍ଣ୍ଣ, ୧ ରୌପ୍ୟ ଜିତିବା ସହ ୪ ନୂଆ ଜାତୀୟ ରେକର୍ଡ କରିଥିବା ମହାରାଷ୍ଟ୍ରର ହଷିକା ସର୍ବଶ୍ରେଷ୍ଠ ସନ୍ତରଣକାରୀ ଘୋଷିତ ହୋଇଥିଲେ ।
ଅନ୍ତିମ ଦିନ କର୍ଣ୍ଣାଟକର ହଶିକା ରାମଚନ୍ଦ୍ରଙ୍କ ଠାରୁ ରେକର୍ଡ-ବ୍ରେକିଂ ପ୍ରଦର୍ଶନ ଦେଖିବାକୁ ମିଳିଥିଲା । ସେ ବାଳିକା ଗ୍ରୁପ୍-୨ ୪୦୦ମି. ମିଡ୍ଲେରେ ୫:୧୦.୭୦ ସମୟ ନେଇ ଜାତୀୟ ରେକର୍ଡ ସ୍ଥାପନ କରିଥିଲେ । ପୂର୍ବରୁ ଏହି ରେକର୍ଡ ମହାରାଷ୍ଟ୍ରର ଅପେକ୍ଷା ଫର୍ଣ୍ଣାଣ୍ଡିସ୍ (୫:୧୩.୮୦)ଙ୍କ ନାମରେ ଥିଲା । ଏହି ଇଭେଣ୍ଟରେ ତେଲେଙ୍ଗାନାର ନିତ୍ୟା ସାଗୀ (୫:୨୬.୩୩) ଓ ମହାରାଷ୍ଟ୍ରର ରାଘବୀ ରାମାନୁଜନ୍ (୫:୨୭.୪୯) ଯଥାକ୍ରମେ ଦ୍ୱିତୀୟ ଓ ତୃତୀୟ ସ୍ଥାନରେ ରହିଥିଲେ
ଅନ୍ୟପଟେ, ମହାରାଷ୍ଟ୍ରର ଅପେକ୍ଷା ଫର୍ଣ୍ଣାଣ୍ଡିସ୍ ପ୍ରଭାବଶାଳୀ ପ୍ରଦର୍ଶନ ବଜାୟ ରଖି ବାଳିକା ଗ୍ରୁପ୍-୨ ୨୦୦ମି. ବ୍ରେଷ୍ଟଷ୍ଟ୍ରୋକ୍ରେ ନୂଆ ଜାତୀୟ ରେକର୍ଡ କରିଥିଲେ । ସେ ୨:୪୦.୩୬ ସମୟ ନେଇ ୨୦୧୭ରେ ସଲୋନୀ ଦଲାଲ୍ଙ୍କ ଦ୍ୱାରା କରାଯାଇଥିବା ୨.୪୩.୦୧ ରେକର୍ଡକୁ ଭାଙ୍ଗି ସ୍ୱର୍ଣ୍ଣ ଜିତିଥିଲେ । କର୍ଣ୍ଣାଟକର ଦୁଇ ପ୍ରତିଯୋଗୀ ଏସ୍. ଲକ୍ଷ୍ୟ (୨.୪୫.୦୩) ରୌପ୍ୟ ଓ ସାନଭୀ (୨:୪୬.୪୯) କାଂସ୍ୟ ପଦକ ପାଇଥିଲେ ।
ବାଳିକା ଗ୍ରୁପ୍-୧ ୪୦୦ମି. ମିଡ୍ଲେରେ ମଧ୍ୟ ଏକ ରେକର୍ଡ ହୋଇଥିଲା । ତାମିଲନାଡ଼ୁର ଏସ୍. ଶକ୍ତି (୫:୧୧.୭୭) ସୟାନୀ ଘୋଷଙ୍କ ୫:୧୫.୦୪ ରେକର୍ଡକୁ ଭାଙ୍ଗି ସ୍ୱର୍ଣ୍ଣ ପଦକ ଜିତିଥିଲେ । ସେ ଦିଲ୍ଲୀର ବଭ୍ୟା ସଚଦେବ (୫:୧୪.୮୭) ଓ କର୍ଣ୍ଣାଟକର ଏ. ଜେଦିଦା (୫.୨୨.୮୧)ଙ୍କୁ ମାତ୍ ଦେଇଥିଲେ । ଉଦ୍ୟାପନୀ ଉତ୍ସବରେ ଉଚ୍ଚ ଶିକ୍ଷା ମନ୍ତ୍ରୀ ରୋହିତ ପୂଜାରୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ଅଭିନେତା ଆର୍. ମାଧବନ୍, କ୍ରୀଡ଼ା ଓ ଯୁବସେବା ସଚିବ ଆର୍. ଭିନୀଲ୍ କ୍ରିଷ୍ଣା, କେସିଏ ସଭାପତି ଗୋପାଳ ହୋସୁର, ଏସ୍ଏଫ୍ଆଇ ମହାସଚିବ ମୋନାଲ ଚୋକଶୀ ପ୍ରମୁଖ ମଞ୍ଚାସୀନ ଥିଲେ ।