ଦୁର୍ଦ୍ଦଶା ଭୋଗୁଛନ୍ତି ୨୫ ପରିବାର
ପୋଲ ନିର୍ମାଣରେ ବିଳମ୍ବ
ମାହାଙ୍ଗା (ଆପ୍ର): ମାହାଙ୍ଗା ବ୍ଲକ୍ ପୋଡାମରାଇ ଓ ପାଇକରାପୁର ପଞ୍ଚାୟତର ସୀମାନ୍ତବର୍ତ୍ତୀ ଅଞ୍ଚଳ ଏରକଣାର ଝିଙ୍କଡ଼ି ପଡ଼ାରେ ନିର୍ମାଣାଧୀନ ଏକ ପୋଲ କାର୍ଯ୍ୟ ବିଳମ୍ବକୁ ନେଇ ଅଞ୍ଚଳ ଲୋକେ ନାହିଁନଥିବା ଅସୁବିଧା ଭୋଗୁଛନ୍ତି । ଏଠାରେ ୨୦ରୁ ୨୫ ପରିବାର ଦୀର୍ଘଦିନ ଧରି ବାସ କରୁଥିବା ବେଳେ ଯାତାୟାତ ପାଇଁ ମୁଖ୍ୟରାସ୍ତା ଉପରେ ଜିରା ପୋଡ଼ାମରାଇ ଡ୍ରେନେଜ୍ କଟ୍ ନଂ ୨୪ ଉପରେ ନୂତନ ସେତୁର ଶିଳାନ୍ୟାସ କରାଯାଇଥିଲା । ୨୦୨୨, ଏପ୍ରିଲ୍ ୯ରେ ପାଇକରାପୁର ଠାରେ ମାହାଙ୍ଗା ବିଧାୟକ ପ୍ରତାପ ଜେନା ଏହାର ଶୀଳାନ୍ୟାସ କରିବା ପରେ ଠିକାଦାର ଜଣକ କାର୍ଯ୍ୟାରମ୍ଭ କରିଥିଲେ ।
କାର୍ଯ୍ୟ ଆରମ୍ଭ ପୂର୍ବରୁ ଗ୍ରାମବାସୀମାନେ ଠିକାଦାରଙ୍କୁ ଜଣାଇଥିଲେ ଯେ ବର୍ଷାଦିନ ପୂର୍ବରୁ ପୋଲ କାର୍ଯ୍ୟ ଶେଷ କରିବା ନିତ୍ୟାନ୍ତ ଆବଶ୍ୟକ । ହେଲେ ଠିକାଦାର ଜଣକ ପୋଲ କାର୍ଯ୍ୟରେ ଅହେତୁକ ବିଳମ୍ବ କରିବାରୁ ଉକ୍ତ ପାଟନାଳୀରେ ଏବେ ବର୍ଷା ପାଣି ବହିଲାଣି । ଫଳରେ ୭୬ ଲକ୍ଷ ଟଙ୍କା ବ୍ୟୟରେ ହୋଇଥିବା ଏହି ନିର୍ମାଣ କାର୍ଯ୍ୟ ଏବେ ବନ୍ଦ ପଡ଼ିଛି । ଫଳରେ ଝିଙ୍କଡ଼ିପଡ଼ାରେ ବାସ କରୁଥିବା ପରିବାରମାନେ ନାହିଁ ନଥିବା ସମସ୍ୟା ଭୋଗୁଛନ୍ତି । ସେମାନଙ୍କର ପିଲାମାନେ ବିଦ୍ୟାଳୟ କିମ୍ବା କଲେଜକୁ ପାଠ ପଢିବାକୁ ଯାଇ ପାରୁ ନାହାନ୍ତି । ସାଧାରଣ ଲୋକ ଉକ୍ତ ରାସ୍ତା ଦେଇ ଯିବା ସମ୍ଭବପର ହେଉ ନାହିଁ । ଅଞ୍ଚଳକୁ ଥିବା ବିକଳ୍ପ ରାସ୍ତାଟି ପାଟ ମଝିରେ ରହିଥିବାରୁ ଏହା ବେଣା ଜଙ୍ଗଲରେ ପରିପୂର୍ଣ୍ଣ । ଯାହା ଫଳରେ ପିଲାମାନେ ଯାତାୟତ କରିବା କଷ୍ଟକର ହୋଇପଡ଼ିଛି । ସ୍କୁଲ ଗୋଟିଏ ପଟେ ରହୁଥିବା ବେଳେ ପୋଲ ନଥିବାରୁ ପିଲାଙ୍କର ଭବିଷ୍ୟତ ଏକ ପ୍ରକାର ଅନ୍ଧକାରମୟ ହୋଇପଡିଛି । ଏଣୁ ପ୍ରଶାସନ ଏଥିପ୍ରତି ତୁରନ୍ତ ଦୃଷ୍ଟି ଦେବାକୁ ସର୍ବସାଧାରଣରେ ଦାବି ହେଉଛି ।