୨୪ ଘଣ୍ଟାରେ ୩ ପୁଲିସ୍ଙ୍କୁ ଗାଡ଼ି ଚଢ଼ାଇ ହତ୍ୟା
ହରିଆଣାରେ ଡିଏସ୍ପି, ଝାଡ଼ଖଣ୍ଡରେ ମହିଳା ଏସ୍ଆଇ ଓ ଗୁଜରାଟରେ କନେଷ୍ଟବଲ
ରାଞ୍ଚି/ ଅହମ୍ମଦାବାଦ (ଏଜେନ୍ସି): ମାଫିଆଙ୍କ ଆକ୍ରମଣର ଶିକାର ହୋଇ ୨୪ ଘଣ୍ଟାରେ ୩ ଜଣ ପୁଲିସ କର୍ମଚାରୀ ପ୍ରାଣ ହରାଇଛନ୍ତି । ମଙ୍ଗଳବାର ହରିଆଣାର ନୁହଁ ଜିଲ୍ଲାରେ ଖଣି ମାଫିଆମାନେ ଡିଏସ୍ପି ସୁରେନ୍ଦ୍ର ସିଂହଙ୍କୁ ଡମ୍ଫର ମଡ଼ାଇ ହତ୍ୟା କରିବାର ୧୨ ଘଣ୍ଟା ନ ଯାଉଣୁ ଝାଡ଼ଖଣ୍ଟରେ ଜଣେ ମହିଳା ପୁଲିସ ଏସ୍ଆଇଙ୍କୁ ଗୋରୁ ତସ୍କରମାନେ ଗାଡ଼ି ମଡ଼ାଇ ହତ୍ୟା କରିଛନ୍ତି । ଏହାର କେଇ ଘଣ୍ଟା ପରେ ବୁଧବାର ଗୁଜରାଟରେ ଜଣେ କନେଷ୍ଟବଲଙ୍କୁ ଟ୍ରକ୍ ଚପାଇ ହତ୍ୟା କରାଯାଇଛି । ସମାନ ଢ଼ଙ୍ଗରେ ୩ ଜଣ ପୁଲିସଙ୍କୁ ହତ୍ୟା କରାଯିବାଳ ଦେଶରେ ଆଲୋଡନ ସୃଷ୍ଟି କରିଛି ।
ଝାଡଖଣ୍ଡ ରାଞ୍ଚି ଅନ୍ତର୍ଗତ ତୁଡ଼ୁପନାରେ ମଙ୍ଗଳବାର ରାତି ପ୍ରାୟ ୩ଟା ସମୟରେ ଏସ୍ଆଇ ସନ୍ଧ୍ୟା ଟପ୍ନୋ ଗାଡି ଯାଞ୍ଚ ସମୟରେ ତାଙ୍କ ଉପରେ ଏକ ପିକଅପ୍ ଭ୍ୟାନ୍ ଚଢ଼ାଇ ଦିଆଯାଇଥିଲା । ଘଟଣାସ୍ଥଳରେ ତାଙ୍କର ମୃତୁ୍ୟ ଘଟିଥିଲା ଓ ଚାଳକ ଫେରାର ହୋଇଯାଇଥିଲା । ସନ୍ଧ୍ୟା ତୁଡ଼ୁପନା ଫାଣ୍ଡି ଦାୟିତ୍ୱରେ ଥିଲେ ।
ତୃତୀୟ ଘଟଣାରେ ଗୁଜରାଟର ଆନନ୍ଦ ଜିଲ୍ଲା ବୋରସାଦ ଅଞ୍ଚଳରେ କନେଷ୍ଟବଲ କୀରଣ ରାଜ(୪୦)ଙ୍କୁ ଗତ ରାତି ଗୋଟାଏ ସମୟରେ କଣ୍ଟେନର ଚଢ଼ାଇ ହତ୍ୟା କରାଯାଇଛି । କୀରଣ ବୋରସାଦ୍ ଟାଉନ ନିକଟସ୍ଥ ହାଇୱେରେ ଗାଡ଼ିମୋଟର ଯାଞ୍ଚ କରୁଥିବା ସମୟରେ ଉକ୍ତ କଣ୍ଟେନର୍କୁ ଅଟକିବା ଲାଗି ନିଦେ୍ର୍ଦଶଳ ଦେଇଥିଲେ । କିନ୍ତୁ ଡ୍ରାଇଭର୍ ଗାଡ଼ି ନ ଅଟକାଇ ତାଙ୍କ ଉପରେ ମଡାଇ ଦେଇଥିଲା । କୀରଣଙ୍କୁ ସଙ୍କଟାପନ୍ନ ଅବସ୍ଥାରେ ହସ୍ପିଟାଲ ନିଆଯାଇଥିଲା । ସେଠାରେ ବୁଧବାର ପୂର୍ବାହ୍ନ ୧୧.୩୦ରେ ତାଙ୍କର ପ୍ରାଣହାନି ଘଟିଛି । ରାଜସ୍ଥାନରୁ ଉକ୍ତ କଣ୍ଟେନର ଆସୁଥିଲା ।