ମହିମା ପୀଠର ବିକାଶ ପାଇଁ ୬ କୋଟି ମଞ୍ଜୁର
ଢେଙ୍କାନାଳ (ଆପ୍ର): ଜନସାଧାରଣ ଓ ଗଣମାଧ୍ୟମର ଅନୁରୋଧ କ୍ରମେ ଶେଷରେ ରାଜ୍ୟ ସରକାର ମହିମା ଗାଦିପୀଠ ଯୋରନ୍ଦାର ବିକାଶ ପାଇଁ ୫କୋଟି ୫୨ଲକ୍ଷ ଟଙ୍କା ମଞ୍ଜୁର କରିଛନ୍ତି । ଉପଲବ୍ଧ ଅର୍ଥରେ ଯୋରନ୍ଦାରେ ଏକ ସମ୍ମିଳନୀ କକ୍ଷ-୧କୋଟି ଟଙ୍କା, ପ୍ରାର୍ଥନା ଗୃହ-୧କୋଟି ୨୫ଲକ୍ଷ ଟଙ୍କା, ରୋଷେଇ ଓ ଭଣ୍ଡାର ଗୃହ-୫୦ଲକ୍ଷ ଟଙ୍କା, ପାନୀୟଜଳ ଓ ଶୌଚାଳୟ ବ୍ୟବସ୍ଥା- ୩୫ ଲକ୍ଷ, ପାରିପାଶ୍ୱର୍ିକ ସ୍ଥାନର ଉନ୍ନତି ଓ ସୌନ୍ଦର୍ଯ୍ୟକରଣ-୨୫ଲକ୍ଷ ଟଙ୍କା, ଗାଡି ରହଣିସ୍ଥଳ ଓ ଚଲାପଥ ନିର୍ମାଣ-୪୦ଲକ୍ଷ ଟଙ୍କା, ଆବଶ୍ୟକୀୟ ସୂଚନା ଫଳକ ସ୍ଥାପନ-୪ ଲକ୍ଷ ଟଙ୍କା, ସ୍ୱତନ୍ତ୍ର ଫଟୋଉଠା ସ୍ଥଳ-ସାଢେ ୩ଲକ୍ଷ ଟଙ୍କା, କଠିନ ବର୍ଜ୍ୟବସ୍ତୁ ପରିଚାଳନା- ୮ଲକ୍ଷ ୮୦ ହଜାର ଟଙ୍କା, ନର୍ଦ୍ଦମା ଓ ଗଭୀର ନଳକୂପ ବ୍ୟବସ୍ଥା-୮ଲକ୍ଷ ଟଙ୍କା, ବିଦୁ୍ୟତ୍ ସରବରାହ ଓ ସ୍ୱତନ୍ତ୍ର ଆଲୋକୀକରଣ- ୧୮ଲକ୍ଷ ଟଙ୍କା, ଶୌଚାଳୟର ସୋକ୍ପିଟ୍ ଓ ସେପ୍ଟିକ୍ ଟାଙ୍କି ନିର୍ମାଣ-୬ଲକ୍ଷ ଟଙ୍କା, ପ୍ରାଚୀର ହତା ଓ ପ୍ରବେଶ ତୋରଣ ନିର୍ମାଣ ପାଇଁ ୨୫ଲକ୍ଷ ଟଙ୍କାର ବ୍ୟବସ୍ଥା କରାଯାଇଛି । ଏଥିପାଇଁ ୪କୋଟି ୫୬ଲକ୍ଷ ଟଙ୍କାର ଟେଣ୍ଡର ଗତ ଏପ୍ରିଲ୍ ମାସରୁ ଚୂଡାନ୍ତ ହୋଇଛି । କିନ୍ତୁ ଆଶ୍ଚର୍ଯ୍ୟର ବିଷୟ ଏହି ଯେ, ଏହି ସର୍ବସାଧାରଣ ପ୍ରକଳ୍ପକୁ ଯୋରନ୍ଦାର ସର୍ବସାଧାରଣ ସ୍ଥାନରେ କରାନଯାଇ “ଓଡିଶା ପର୍ଯ୍ୟଟନ ଉନ୍ନୟନ ନିଗମ’ ପକ୍ଷରୁ ଏକ ନିର୍ଦ୍ଦିଷ୍ଟ ମହିମା ଗୋଷ୍ଠୀର ଆବାସିକ ପରିସର ମଧ୍ୟରେ ଏହାର ନିର୍ମାଣ କାର୍ଯ୍ୟ ଆରମ୍ଭ କରାଯାଇଛି । ଯୋରନ୍ଦାର ନିର୍ବାଚିତ ସରପଞ୍ଚ ଆରତୀ ନାୟକ ଓ ଗଁଦିଆ ୧ନଂ ଜୋନ୍ ଜିଲ୍ଲାପରିଷଦ ସଭ୍ୟ ବିଶ୍ୱନାଥ ଚିନରାଙ୍କ ସମେତ ଯୋରନ୍ଦା ମୌଜାର ବହୁ ବିଶିଷ୍ଟ ବ୍ୟକ୍ତି ଏବଂ କୌପିନଧାରୀ ମହିମା ସମାଜର ସଭାପତି ରଘୁନାଥ ବାବା, ସଂପାଦକ ସୁଶାନ୍ତ ବାବା, ସହ ସଂପାଦକ କରୁଣାକର ବାବା, ବରିଷ୍ଠ ସଭ୍ୟ ବୀଣାକାର ବାବା, ଦେବେନ୍ଦ୍ର ବାବା, ଆଦିତ୍ୟ ବାବା, ପରମାନନ୍ଦ ବାବା, ସଦାନନ୍ଦ ବାବା ଓ ସୁମନ୍ତ ବାବା ପ୍ରମୁଖ ଏହି ବେଆଇନ୍ ନିର୍ମାଣର ବିରୋଧ କରି ଜିଲ୍ଲାପାଳ ସରୋଜ କୁମାର ସେଠୀଙ୍କୁ ଲିଖିତ ଆକାରରେ ଜଣାଇଛନ୍ତି ।
ସରକାରୀ ଅର୍ଥ ସର୍ବସାଧାରଣ ଜମିରେ ଉପଯୋଗ ନହୋଇ କିଭଳି ଏକ ନିର୍ଦ୍ଦିଷ୍ଟ ଗୋଷ୍ଠୀର ଦଖଲ ଓ ମାଲିକାନାରେ ଥିବା ଜାଗା ଉପରେ ନିର୍ମାଣ କରାଯାଉଛି, ସେଥିନେଇ ସାଧାରଣରେ ବିସ୍ମୟ ପ୍ରକାଶ ପାଇଛି । ଗତ ମଇ ମାସ ୨୭ ତାରିଖ ଦିନ ଏ ସଂକ୍ରାନ୍ତ ଲିଖିତ ଅଭିଯୋଗ ଦାଖଲ ହେବା ପରଠାରୁ ନିର୍ମାଣ କାର୍ଯ୍ୟ ସ୍ଥଗିତ ରହିଛି । ଏହି ନିର୍ମାଣ କାର୍ଯ୍ୟ ସଂପର୍କରେ ଜିଲ୍ଲା ପ୍ରଶାସନକୁ ପର୍ଯ୍ୟଟନ ଉନ୍ନୟନ ନିଗମ କୌଣସି ସୂଚନା ଦେଇନଥିବାରୁ ଉପଜିଲ୍ଲାପାଳ ସୁଶ୍ରୀ ସ୍ନିଗ୍ଧାରାଣୀ ଧଳ ପ୍ରକାଶ କରିଛନ୍ତି । ତେବେ ଜନସ୍ୱାର୍ଥ ଦୃଷ୍ଟିରୁ ଏବଂ ଯୋରନ୍ଦା କ୍ଷେତ୍ରର ଉନ୍ନତି ପାଇଁ ଦୁଇଗୋଷ୍ଠୀ ମହିମା ସମାଜ ଓ ସରପଞ୍ଚଙ୍କ ସହ ଜିଲ୍ଲା ପ୍ରଶାସନ ଆଲୋଚନା କରିବ ବୋଲି ଉପଜିଲ୍ଲାପାଳ କହିଛନ୍ତି । ପଛ ଦ୍ୱାର ଦେଇ ଏହି ଅପରିଣାମଦର୍ଶୀ ନିର୍ମାଣକାର୍ଯ୍ୟକୁ ଅଂଚଳବାସୀଙ୍କ ସମେତ ଢେଙ୍କାନାଳ ଜିଲ୍ଲା ସକ୍ରିୟ ନାଗରିକ ପରିଷଦ ପକ୍ଷରୁ ଘୋର ବିରୋଧ କରାଯାଇଛି ।