ଝାଡ଼ାବାନ୍ତିର କାରଣ ଝରଣା ପାଣି
ଭୁବନେଶ୍ୱର, ୨୦ା୭ (ବୁ୍ୟରୋ): ସାଧାରଣ ଜଳ ଉତ୍ସ ଯୋଗୁଁ କାଶୀପୁରରେ ଭିବ୍ରିଓ କଲେରା ସଂକ୍ରମଣ ହୋଇଛି । ଦୂଷିତ ଝରଣା ପାଣି ହିଁ ରାୟଗଡ଼ା ଜିଲ୍ଲା କାଶିପୁର ଅଞ୍ଚଳରେ ବ୍ୟାପିଥିବା ଝାଡ଼ାବାନ୍ତିର କାରଣ । ସେଠାରେ ପ୍ରତ୍ୟେକଙ୍କ ପାଇଁ ଜଳ ଉତ୍ସ ସମାନ ଥିଲା । ସମ୍ପୃକ୍ତ ଅଞ୍ଚଳରେ ଥିବା ଜଳ ଉତ୍ସରେ ଭିବ୍ରିଓ କଲେରା ବିଜାଣୁର ସନ୍ଧାନ ମିଳିଛି । ସେହି ସ୍ଥାନରେ ଜଳ ଉତ୍ସ ବିଶୋଧନ କାର୍ଯ୍ୟ ଆରମ୍ଭ ହୋଇଛି । ପ୍ରଥମେ ସ୍ଥିତି ସେତେଟା ଭଲ ନଥିଲା କିନ୍ତୁ ବର୍ତ୍ତମାନ ସ୍ଥିତି ନିୟନ୍ତ୍ରଣରେ ଅଛି । ସ୍ୱାସ୍ଥ୍ୟ ବିଭାଗର ମନିଟରିଂ ଟିମ୍ ଲଗାତାର ସେଠାରେ ଉପସ୍ଥିତ ରହି ସମସ୍ତ ସ୍ଥିତି ଉପରେ ନଜର ରଖିଛି ବୋଲି ସ୍ୱାସ୍ଥ୍ୟ ନିଦେ୍ର୍ଦଶକ ବିଜୟ ମହାପାତ୍ର କହିଛନ୍ତି ।
ରାୟଗଡ଼ା ଜିଲ୍ଲା କାଶୀପୁରରେ ଭିବ୍ରିଓ କଲେରା ସଂକ୍ରମଣ ଉଗ୍ର ରୂପ ନେଇଛି । ବର୍ତ୍ତମାନ ସୁଦ୍ଧା ଏହି ସଂକ୍ରାମକ ରୋଗରେ ୮ ଜଣଙ୍କ ଜୀବନ ହାନୀ ହୋଇଥିବାବେଳେ ୧୦୪ ଜଣ ଆକ୍ରାନ୍ତ ହୋଇସାରିଲେଣି । ଆଦିବାସୀ ଅଧ୍ୟୁଷିତ ଅଞ୍ଚଳବାସୀ ସାଧାରଣତଃ ଝରଣାରୁ ପାଣି ସଂଗ୍ରହ କରି ବ୍ୟବହାର କରନ୍ତି । ପାଣି ଉତ୍ସ ସମସ୍ତଙ୍କ ପାଇଁ ସମାନ ଥିବାରୁ ସଂକ୍ରମଣ ସହଜରେ ଆଖପାଖ ସ୍ଥାନକୁ ସଂକ୍ରମିତ ହୋଇଛି । ତେଣୁ ପ୍ରଥମେ ଏହି ସଂକ୍ରମଣ ଚେନ୍ ଭାଙ୍ଗିବାକୁ ସ୍ୱାସ୍ଥ୍ୟ ବିଭାଗ ଟିମ୍କୁ ସେଠାରେ ନିୟୋଜିତ କରାଯାଇଥିବା ନିଦେ୍ର୍ଦଶକ ଶ୍ରୀ ମହାପାତ୍ର କହିଛନ୍ତି ।
ସେପଟେ କାଶୀପୁର ପରେ ଏବେ କୋରାପୁଟରେ କଲେରା ବ୍ୟାପିବା ଆରମ୍ଭ ହୋଇଥିବା ପରିଲିକ୍ଷିତ ହୋଇଛି । କୋରାପୁଟ ଜିଲ୍ଲା ଦଶମନ୍ତପୁର ବ୍ଲକରେ ଜଣଙ୍କର ମୃତୁ୍ୟ ହୋଇଥିବାବେଳେ ୬ ଜଣ ଆକ୍ରାନ୍ତ ହୋଇ ଅଙ୍ଗନବାଡ଼ି କେନ୍ଦ୍ରରେ ଚିକିତ୍ସିତ ହେଉଛନ୍ତି । ଏଥିପାଇଁ ମଙ୍ଗଳବାର ଜନସ୍ୱାସ୍ଥ୍ୟ ନିଦେ୍ର୍ଦଶକ ରାୟଗଡ଼ା ଓ କୋରାପୁଟ ଅଞ୍ଚଳ ପରିଦର୍ଶନ କରିଛନ୍ତି । କାଶୀପୁର ଭଳି ଅଞ୍ଚଳରେ ଅଧିକାଂଶ ଆଦିବାସୀ ରହୁଛନ୍ତି । ଝରଣା ପାଣିକୁ ସେମାନେ ପାନୀୟ ଜଳ ଭାବରେ ବ୍ୟବହାର କରୁଛନ୍ତି । ଯଦି ଏହି ପାଣିରେ ସଂକ୍ରମିତ ଜୀବାଣୁ ରହିଥିବେ ତେବେ ଏହି ପାଣି ଯେଉଁଆଡ଼େ ବୋହିଥିବ ସେହି ସବୁ ସ୍ଥାନରେ ଏହି ଜଳ ଉତ୍ସ ବ୍ୟବହାର କଲେ କଲେରା ବ୍ୟାପିବାର ଆଶଙ୍କା ରହିଛି । ଏଭଳି ଜଳ ଉତ୍ସ ବ୍ୟବହାର ନକରିବାକୁ ଲୋକଙ୍କୁ ସଚେତନ କରାଯାଉଛି । ବର୍ତ୍ତମାନ ସ୍ଥିତି ଉଦବେଗଜନକ ନାହିଁ । ଏହାକୁ ମହାମାରୀ କୁହାଯାଇପାରିବ ନାହିଁ ବୋଲି ନିଦେ୍ର୍ଦଶକ ଶ୍ରୀ ମହାପାତ୍ର କହିଛନ୍ତି ।
ସୂଚନାଯୋଗ୍ୟ, କାଶୀପୁରରେ ଏବେ ସ୍ଥିତି ନିୟନ୍ତ୍ରଣାଧୀନ ଥିଲେ ବି ରାୟଗଡ଼ାର ବିଭିନ୍ନ ମେଡିକାଲରେ ୫୪ ଝାଡ଼ାବାନ୍ତି ଆକ୍ରାନ୍ତ ଭର୍ତ୍ତି ହୋଇଛନ୍ତି । ୪୮ ଆକ୍ରାନ୍ତଙ୍କୁ ଘରେ ଚିକିତ୍ସା କରାଯିବା ସହ ସ୍ଥିତି ଅନୁଧ୍ୟାନ କରାଯାଉଛି । ସଂକ୍ରମିତଙ୍କ ସଂଖ୍ୟାକୁ ଦେଖି ଡଙ୍ଗାସିଲ ଓ ମାଣ୍ଡିବିଶି ଗାଁରେ ୨ଟି ଅସ୍ଥାୟୀ ସ୍ୱାସ୍ଥ୍ୟକେନ୍ଦ୍ର ଖୋଲାଯାଇଛି । ଏହାବାଦ ସମସ୍ତ ଜଳ ଉତ୍ସଗୁଡ଼ିକୁ ବିଶୋଧନ ସହ ଲୋକଙ୍କୁ ବିଶୋଧିତ ପାନୀୟ ଜଳ ଯୋଗାଇ ଦିଆଯାଉଛି । ସେହିପରି ରିପୋର୍ଟେ ଲେଖା ହେବା ସୁଦ୍ଧା କୋରାପୁଟ ଦଶମନ୍ତପୁର ବ୍ଲକରେ ପ୍ରାୟ ୨୨ ଜଣ ଆକ୍ରାନ୍ତ ହୋଇ ବିଭିନ୍ନ ସ୍ଥାନରେ ଚିକିତ୍ସିତ ହେଉଥିବା ଜଣାପଡ଼ିଛି । ଗୁରୁତର ଶିଶୁ ଓ ମହିଳାଙ୍କୁ ଆମ୍ବୁଲାନ୍ସରେ ଡାକ୍ତରଖାନା ଅଣାଯାଉଛି । ଛତାଆମ୍ବ ଗାଁରେ ଡାକ୍ତରୀ ଦଳ ପହଞ୍ଚô ଲୋକଙ୍କୁ ହାଲୋଜିନ୍ ବଟିକା ଏବଂ ଓଆରଏସ୍ ବଣ୍ଟନ କରୁଛନ୍ତି । ସ୍ୱଚ୍ଛ ପାଣି ପିଇବାକୁ ସଚେତନ କରୁଥିବା ବିଭାଗୀୟ କର୍ତ୍ତୃପକ୍ଷଙ୍କ ନିକଟରୁ ପ୍ରକାଶ ପାଇଛି ।