କୋଟିଆରେ ଆନ୍ଧ୍ର ଜିଲ୍ଲାପାଳ
କୋରାପୁଟ, ୨୦ା୭ (ଆପ୍ର): କିଛି ଦିନର ନୀରବତା ପରେ ପୁଣି କୋରାପୁଟ ଜିଲ୍ଲାର କୋଟିଆରେ ଆନ୍ଧ୍ର ଅଧିକାରୀମାନେ ସଭା କରି ସ୍ଥାନୀୟ ଲୋକଙ୍କୁ ପୁଳାପୁଳା ପ୍ରତିଶ୍ରୁତି ଦେଇଛନ୍ତି । ଓଡ଼ିଶା ପୁଲିସ ଓ ଅଧିକାରୀ କୋଟିଆ ସୀମା ଜଗିଥିଲେ ବି ଅନ୍ୟ ରାସ୍ତା ଦେଇ ନବଗଠିତ ମାନ୍ୟମ୍ ଜିଲ୍ଲାର ଜିଲ୍ଲାପାଳ ଦଳବଳ ସହିତ ଅନୁପ୍ରବେଶ କରି ବିଭିନ୍ନ ଲୋକାଭିମୁଖି ଯୋଜନା କାର୍ଯ୍ୟକାରୀ କରାଯିବ ବୋଲି ପ୍ରଲୋଭନ ଦେଖାଇଛନ୍ତି ।
ବୁଧବାର ଅପରାହ୍ଣ ପ୍ରାୟ ୨ଟା ସମୟରେ ଜିଲାପାଳ ନିଶାନ୍ତ କୁମାର, ସାଲୁର ମଣ୍ଡଳ ଅଧିକାରୀ ଜି ପାର୍ବତୀ, କୋଟିଆ ସିଆଇ ରୋହିଣୀ ପାଥିଙ୍କ ସମେତ ଏକାଧିକ ପ୍ରଶାସନିକ ଅଧିକାରୀ କୋଟିଆର ନେରେଡିବାଲାସା ଏବଂ ତାଡିୱାଲାସା ଗ୍ରାମରେ ପହଞ୍ଚି ଲୋକଙ୍କ ସହିତ ଆଲୋଚନା କରିଛନ୍ତି । ଏଥିସହିତ ଆନ୍ଧ୍ର ସରକାରଙ୍କ ପକ୍ଷରୁ ·ଲିଥିବା ଜନକଲ୍ୟାଣ ଯୋଜନାର ସମୀକ୍ଷା କରିଥିବା ଜଣାପଡ଼ିଛି ।
ଜଗନ୍ନା କଲୋନୀ, ଜଗନ୍ନା ତୋଡୁ ଓ ଆମ୍ମା ବାଡି ଯୋଜନାରେ ଗ୍ରାମ ସଚିବାଳୟର କର୍ମ·ରୀଙ୍କଠାରୁ ହିତାଧିକାରୀଙ୍କ ବିବରଣୀ ସଂଗ୍ରହ କରିଛନ୍ତି । ଲୋକେ ରାସନ ପାଇଛନ୍ତି କି ନାହିଁ ସେକଥା ମଧ୍ୟ ବୁଝିଛନ୍ତି ।
ଆଲୋଚନା ବେଳେ ଇଣ୍ଟରନେଟ୍ ଅଭାବରୁ ସମସ୍ୟା ଉପୁଜୁଥିବା ଗାଁ ଲୋକେ କହିବାରୁ ଏହି ସମସ୍ୟାର ଶୀଘ୍ର ସମାଧାନ ହେବ ବୋଲି ଜିଲ୍ଲାପାଳ ପ୍ରତିଶ୍ରୁତି ଦେଇଛନ୍ତି । ଜାତୀୟ ରୋଜଗାର ଗ୍ୟାରେଣ୍ଟି ଯୋଜନାର କାର୍ଯ୍ୟ ଓ ଆଦିବାସୀଙ୍କୁ ସରକାର ବଣ୍ଟନ କରିଥିବା ଜମି ପଟା ବିଷୟରେ ବୁଝିଛନ୍ତି । ଘର ପାଇଁ ଆବେଦନ କରୁଥିବା ହିତାଧିକାରୀଙ୍କ ତାଲିକା ପ୍ରସ୍ତୁତ କରିବା ନିମିତ୍ତ ମଣ୍ଡଳ ଅଧିକାରୀ ଜି.ପାର୍ବତୀଙ୍କୁ ଜିଲ୍ଲାପାଳ ନିଦେ୍ର୍ଦଶ ଦେଇଥିଲେ । ଏହା ପରେ ଜିଲ୍ଲାପାଳ ତାଡିୱାଲାସା ଯାଇ ସେଠାରେ ଅଙ୍ଗନୱାଡି କେନ୍ଦ୍ର ଓ ଗ୍ରାମୀଣ ଜଳ ଯୋଗାଣ ବିଭାଗ ଦ୍ୱାରା ଚାଲିଥିବା ମଧୁର ଜଳ ଯୋଜନାର କାମ ଯାଞ୍ଚ କରିଥିଲେ । ଗସ୍ତ ସମୟରେ ତହସିଲଦାର ଭି.ରାମା ସ୍ୱାମୀ, ଗ୍ରାମ ସଚିବାଳୟର କର୍ମ·ରୀ, ସ୍ୱେଚ୍ଛାସେବୀ ଓ ଅନ୍ୟମାନେ ଉପସ୍ଥିତ ଥିଲେ ।
ଅନ୍ୟପକ୍ଷରେ ଆନ୍ଧ୍ର ଅଧିକାରୀଙ୍କ ଅନୁପ୍ରବେଶ ନେଇ କୋରାପୁଟ ଜିଲ୍ଲାପାଳ ଏମ୍ଡି ମହମଦ ଅକ୍ତର କହିଛନ୍ତି, ଯେ କୌଣସି ରାଜ୍ୟର ଅଧିକାରୀ ଅନ୍ୟ ରାଜ୍ୟକୁ ଯାଇପାରିବେ କିନ୍ତୁ ଉନ୍ନୟନ କାର୍ଯ୍ୟରେ ହସ୍ତକ୍ଷେପ କରିପାରିବେ ନାହିଁ । ଆନ୍ଧ୍ର ଅଧିକାରୀଙ୍କ ଅନୁପ୍ରବେଶର ତଦନ୍ତ କରାଯିବ ।
ସୂଚନାଯୋଗ୍ୟ, ଆନ୍ଧ୍ର ଅଧିକାରୀଙ୍କ ଅନୁପ୍ରବେଶ ସଂପର୍କରେ ଖବର ପାଇବା ପରେ ସୁନାବେଡା ଏସ୍ଡିପିଓ ମନୋଜ କୁମାର ବେହେରା, ପଟ୍ଟାଙ୍ଗି ବିଡ଼ିଓ ସୌମ୍ୟସାର୍ଥକ ମିଶ୍ର, ପଟ୍ଟାଙ୍ଗି ତହସିଲଦାର ବୀରେନ୍ଦ୍ର ନାହାଦୁର ସିଂ ଧାରୁଆ, ପଟ୍ଟାଙ୍ଗି ଆଇଆଇସି କୈବଲ୍ୟ ସେଠା ପ୍ରମୁଖ କୋଟିଆ ସୀମାରେ ଦୁଇ ପ୍ଲାଟୁନ ଫୋର୍ସ ସହିତ ଜଗି ରହିଥିଲେ । ହେଲେ ଆନ୍ଧ୍ର ଅଧିକାରୀମାାନେ ଏମାନଙ୍କୁ ଚକ୍ମା ଦେଖାଇ ଅନ୍ୟବାଟେ କୋଟିଆରେ ପଶି ସଭାକରି ଖସିଯିବା ଘଟଣା ବିସ୍ମୟ ସୃଷ୍ଟି କରିଛି ।